ସୁକମାରେ ପୁଣି ଲ୍ୟାଣ୍ଡମାଇନ ବିସ୍ଫୋରଣ, ୪ ଡିଆରଜି ଯବାନ ଗୁରୁତର

ଓଡ଼ିଶା, ଛତିଶଗଡ଼ ଓ ମହାରାଷ୍ଟ୍ରରେ ମାଓଙ୍କ ତାଣ୍ଡବ

ରାୟପୁର/ମାଲକାନଗିରି: ମାଓବାଦୀମାନେ ଶନିବାର ଓଡ଼ିଶା, ଛତିଶଗଡ଼ ଓ ମହରାଷ୍ଟ୍ରରେ ପୁଣି ଥରେ ସକ୍ରିୟ ହୋଇ ଉଠିଛନ୍ତି। ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀମାନେ ପୁଣି ଥରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି। ସୁକୁମାର ଫୁଲବଗଡ଼ି ଅଞ୍ଚଳରେ ହୋଇଥିବା ଏହି ବିସ୍ଫୋରଣରେ ୪ ଜଣ ଡିଆରଜି ଯବାନ ଗୁରୁତର ହୋଇଛନ୍ତି। ଗୁରୁତର ଭାବେ ଆହତ ହୋଇଥିବା ଯବାନମାନଙ୍କୁ ରାୟପୁରସ୍ଥିତ ଆମ୍ବେଦକର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଫୁଲବଗଡ଼ି ଫୁଗାଭେଜୀ ଅଞ୍ଚଳକୁ ଯବାନମାନେ ଆଜି ସକାଳୁ ଅପରେସନ ପାଇଁ ଯାଇଥିଲେ। ସେମାନେ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ବେଳେ ପୂର୍ବରୁ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଏଏସପି ସୁଲଭ ସ୍ନିହା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ଅନ୍ୟଏକ ଘଟଣାରେ ମାଓବାଦୀମାନେ ଜଣେ ଏସ୍‌ପିଓଙ୍କୁ ଶନିବାର ହତ୍ୟା କରିଛନ୍ତି। ମହାରାଷ୍ଟ୍ରର ଗଢ଼ଚିରୋଲି ଜିଲ୍ଲା ଧନୋରା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଛତିଶଗଡ଼-ମହାରାଷ୍ଟ୍ର ସୀମାରେ ମାଓବାଦୀମାନେ ଏହି କାଣ୍ଡ କରିଛନ୍ତି।

ସେହିଭଳ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ମହୁପଦର ଜଙ୍ଗଲରେ ଥିବା ତୁଳସୀ ପାହାଡରେ ମାଓବାଦୀ ଥିବା ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଅଚାନକ ଏନକାଉଣ୍ଟର କରିଥିଲା। ମାଓବାଦୀମାନେ ମଧ୍ୟ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଘଟଣା ସ୍ଥଳରେ ମାଓବାଦୀ ଏରା ଓରଫ ମାଧବ ନିହତ ହୋଇଛି ବୋଲି ଡିଭିଏଫ ଯବାନମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର