ନକ୍ସଲଙ୍କ ଟାର୍ଗେଟରେ ସାଧାରଣ ନିର୍ବାଚନ : ନିର୍ବାଚନ ଭଣ୍ଡୁର କରାଇବା ଲକ୍ଷ୍ୟରେ ୪ କ୍ୟାମ୍ପରେ ମିଲିସିଆଙ୍କୁ ଦେଉଛନ୍ତି ଟ୍ରେନିଂ ; ଓଡ଼ିଶାରେ ବି ଚାଲିଛି କ୍ୟାମ୍ପ

ନୂଆଦିଲ୍ଲୀ: ଏବେ ନକ୍ସଲଙ୍କ ଟାର୍ଗେଟରେ ରହିଛି, ଆଗାମୀ ସାଧାରଣ ନିର୍ବାଚନ। ଛତିଶଗଡ଼ରେ ବିଧାନସଭା ନିର୍ବାଚନ କାଳରେ ରାଜ୍ୟରେ ବ୍ୟାପକ ହିଂସା ଘଟାଇବା ପାଇଁ ନକ୍ସଲମାନେ ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ସେମାନଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଏବେଠାରୁ ସମସ୍ତ ପ୍ରକାରର ପ୍ରୟାସ ଆରମ୍ଭ କରି ଦେଇଥିବା ଗୁଇନ୍ଦା ବିଭାଗ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଏକ ରିପୋର୍ଟ ପ୍ରଦାନ କରା ଯାଇଥିବା ଜାଣିବାକୁ ମିଳିଛି।

ନକ୍ସଲ ଗୋଷ୍ଠୀ ନିର୍ବାଚନକୁ ବିରୋଧ କରିବା ସହ ସାଧାରଣ ଜନତା ଯେପରି ନିର୍ବାଚନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ନପାରନ୍ତି ଏବଂ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ଯେପରି ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ପ୍ରବେଶ କରି ନପାରନ୍ତି, ତାହାକୁ ନିଶ୍ଚିତ କରିବା ପାଇଁ ଏବେ ଠାରୁ ନକ୍ସଲ ଗୋଷ୍ଠୀ ସେମାନଙ୍କ ପ୍ରୟାସ ଆରମ୍ଭ କରି ଦେଇଥିବା ଗୁଇନ୍ଦା ବିଭାଗ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପ୍ରଦାନ କରା ଯାଇଥିବା ଏହି ରିପୋର୍ଟରେ କୁହାଯାଇଛି।

ଏଥିପାଇଁ ଟପ୍‌ ନକ୍ସଲ କ୍ୟାଡରମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ମାଓ ମିଲିସିଆ ନେତାମାନଙ୍କୁ ଏକାଠି କରିବା ସହ ହିଂସା ଘଟାଇବା ପାଇଁ ସେମାନଙ୍କୁ ଟ୍ରେନିଂ ଦେବା ଲକ୍ଷ୍ୟରେ ଚାରିଟି ଟ୍ରେନିଂ କ୍ୟାମ୍ପ ସୁଦ୍ଧା ଖୋଲି ସାରିଛନ୍ତି। ଏହି ଟ୍ରେନିଂ କ୍ୟାମ୍ପରେ ତୃଣମୂଳ ସ୍ତରରେ ନକ୍ସଲ ସଂଗଠନ ପାଇଁ କାର୍ଯ୍ୟ କରୁଥିବା କର୍ମୀମାନଙ୍କୁ ଆଇଇଡିର ପ୍ରସ୍ତୁତି ପ୍ରଣାଳୀ ସହ ବନ୍ଧୁକ ଚାଳନାର ମଧ୍ୟ ଟ୍ରେନିଂ ପ୍ରଦାନ କରୁଛନ୍ତି। ଏହି ଚାରିଟି ଟ୍ରେନିଂ କ୍ୟାମ୍ପ ମଧ୍ୟରୁ ଗୋଟିଏ କ୍ୟାମ୍ଫ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାକର୍ତ୍ତା ଜଙ୍ଗଲ ମଧ୍ୟସ୍ଥ ରାଜନନ୍ଦଗାଓଁରେ ଚାଲିଥିବା ବେଳେ ଅନ୍ୟଟି ଗାଡ଼ଚିରୋଲୀରେ ଚାଲିଛି; ଯେଉଁଠାରେ କି ନିକଟ ଅତୀତରେ ସୁରକ୍ଷା ବାହିନୀର ଯବାନମାନେ ୩୯ ଜଣ ମାଓବାଦୀଙ୍କୁ ନିପାତ କରିଥିଲେ। ସେହପରି ନକ୍ସଲଙ୍କ ତୃତୀୟ କ୍ୟାମ୍ପଟି ମଧ୍ୟପ୍ରଦେଶ- ଛତିଶଗଡ଼ ସୀମାନ୍ତ ବାଲାଘାଟ ଅଞ୍ଚଳରେ ଚାଲିଥିବା ବେଳେ ଚତୁର୍ଥ କ୍ୟାମ୍ପଟି ଛତିଶଗଡ଼- ଓଡ଼ିଶା ସୀମାନ୍ତ ମାଲକାନଗିରିର ଜଙ୍ଗଲ ମଧ୍ୟରେ ଚାଲିଥିବା ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି।

ଏଥିସହ ନକ୍ସଲମାନେ ଗାଁ ସରପଞ୍ଚ ଓ ପଟେଲମାନଙ୍କୁ ନିର୍ବାଚନରେ ସହଯୋଗ ନ କରିବାକୁ ଧମକ ଦେଉଛନ୍ତି। ଏବଂ ସେମାନଙ୍କ କଥା ନମାନିଲେ ପରିଣତି ଭୟାବହ ହେବ ବୋଲି ସୁଦ୍ଧା ଖୋଲା ଧମକ ଦେଉଛନ୍ତି। ଗୁରୁତ୍ୱପୂର୍ଣ୍ଣ ହେଲା ସୁକୁମା ଓ ଦାନ୍ତେଓ୍ଵାଡ଼ା ଅଞ୍ଚଳରେ ନକ୍ସଲ କାର୍ଯ୍ୟକ୍ରମର ଦାୟିତ୍ୱ ନେଇଥିବା ଦୁର୍ଦ୍ଦାନ୍ତ ମାଓ କମାଣ୍ଡର ହିଡ଼ିମା ନେତୃତ୍ୱରେ ଏହି ସବୁ ଟ୍ରେନିଂକ୍ୟାମ୍ପ ଚାଲିଚି। ଏବଂ ଆହୁରି ଅଧିକରୁ ଅଧିକ ଲୋକଙ୍କୁ ମିଲିସିଆ ଭାବେ ଆଣି ମାଓ ସଂଗଠନରେ ସାମିଲ କରାଇ ଟ୍ରେନିଂ ଦେବାକୁ ପ୍ରୟାସ ଚଳାଇଛି ହିଡ଼ିମା। ଇତିମଧ୍ୟରେ ବସ୍ତର ଅଞ୍ଚଳରେ ହିଡ଼ିମାର ଚଳପ୍ରଚଳ ବୃଦ୍ଧି ପାଇଥିବା ବେଳେ ମହାରାଷ୍ଟ୍ର- ମଧ୍ୟପ୍ରଦେଶ- ଛତିଶଗଡ଼ ଜୋନ୍‌ରେ ନକ୍ସଲ ଗତିବିଧି ବହୁମାତ୍ରରେ ବୃଦ୍ଧି ପାଇଥିବା ଏହି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର