ଠିକ ସମୟରେ ଆମ୍ବୁଲାନ୍ସ ମିଳିଲା ନାହିଁ, ନବଜାତ ପୁତ୍ର ସହ ଅଧାବାଟ‌ରେ ଆଖିବୁଜିଲେ ଅଭିନେତ୍ରୀ

ମୁମ୍ବାଇ: ଆମ‌େ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଆମ୍ବୁଲାନ୍ସ ନ ଆସି ପ୍ରସୂତିଙ୍କ ମୃତ୍ୟୁ ହେବା ଭଳି ଘଟଣା ଶୁଣିଛେ, କିନ୍ତୁ ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ  ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ଯେ ଏଭଳି ଘଟିବ, ତାହା ହୁଏତ ଅନେକ କଳ୍ପନାରେ ଆଣି ନ ଥି‌ବେ। ମାତ୍ର ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ଠିକ ସମୟରେ ଆମ୍ବୁଲାନ୍ସ ନ ଆସିବାରୁ ବହୁ ମରାଠୀ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ପୂଜା ଝୁଞ୍ଜାର୍ ଏବଂ ତାଙ୍କ ସନ୍ତାନର ମୃତ୍ୟୁ ହୋଇଯାଇଛି।  ମହାରାଷ୍ଟ୍ରର ଏହି ୨୫ ବର୍ଷୀୟ ଅଭିନେତ୍ରୀ ରବିବାର ହିଙ୍ଗୋଲୀ ଜିଲ୍ଲା ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ବିଡମ୍ବନାର ବିଷୟ ହେଲା ଜନ୍ମର କିଛି ସମୟ ପରେ ହିଁ ସଦ୍ୟଜାତ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା ଏବଂ ଆମ୍ବୁଲାନ୍ସ ଅଭାବରୁ ଅଭିନେତ୍ରୀ ମଧ୍ୟ ଚିରଦିନ ପାଇଁ ଆଖି ବୁଜିଛନ୍ତି ।

ସମ୍ପର୍କୀୟଙ୍କ କହିବାନୁସାରେ ଯଦି ଠିକ୍ ସମୟରେ ଆମ୍ବୁଲାନ୍ସ ମିଳିଯାଇଥାନ୍ତା ତେବେ ଉଭୟ ମା’ ଏବଂ ପୁଅକୁ ବଚାଂଯାଇପାରିଥାନ୍ତା । ମୁମ୍ବାଇରୁ ୬୦୦ କି.ମି. ଦୂର ହିଙ୍ଗୋଲୀ ଜିଲ୍ଲା ପୁଲିସର କହିବାନୁସାରେ , ପୂଜାଙ୍କୁ ରବିବାର ପ୍ରାଇମେରୀ ହେଲଥ୍ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାକାର ଡାକ୍ତର ପରିବାର ଲୋକଙ୍କୁ ତୁରନ୍ତ ମା’ ଏବଂ ପିଲାକୁ ସିଭିଲ୍ ଡାକ୍ତରଖାନାରେ ଭର୍ତ୍ତି କରିବାକୁ କହିଥିଲେ । କିନ୍ତୁ ଅନେକ ଖୋଜାଖୋଜି କରିବା ପରେ ଶେଷରେ ବେସରକାରୀ ଆମ୍ବୁଲାନ୍ସରେ ଉଭୟ ମା’ ଏବଂ ଶିଶୁକୁ ଅଣାଯାଇଥିଲା । ତେବେ ପୂର୍ବରୁ ଶିଶୁଟିର ମୃତ୍ୟୁ ହୋଇଥିବା ବେଳେ ଅଧାବାଟରେ ମା’ର ମୃତ୍ୟୁ ହୋଇଯାଇଥିଲା । ଦୁଇଟି ମରାଠୀ ସିନେମାରେ ଲିଡ୍ ରୋଲରେ ନଜର ଆସିଥିବା ଏହି ଅଭିନେତ୍ରୀ କିଛି ସମୟ ପାଇଁ ସିନେମା ଜଗତରୁ ବିରତି ନେଇଥିଲେ ।

ସମ୍ବନ୍ଧିତ ଖବର