ସେନା, ହେଲିକପ୍ଟର ହଟାଅ, ଭାରତକୁ ମାଳଦୀପର ପରାମର୍ଶ

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ମାଳଦୀପରେ ରହିିଥିବା ଭାରତୀୟ ସେନା ଓ ହେଲିକପଟରକୁ ତୁରନ୍ତ ହଟିବା ଲାଗି ସେଠାର ସରକାର ପରାମର୍ଶ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତି ଅନୁଯାୟୀ ଭାରତୀୟ ସେନା ସେଠାରେ ମୁତୟନ ଥିଲେ। ଚୁକ୍ତି ମିଆଦ ଗତ ଜୁନ ମାସରେ ସମାପ୍ତ ହୋଇଯାଇଥିବାରୁ ଭାରତୀୟ ସେନା ତୁରନ୍ତ ହଟିଯାନ୍ତୁ ବୋଲି ମାଳଦୀପ ସରକାର କହିଛନ୍ତି। ତେବେ ଚୀନ ଚାପରେ ମାଳଦୀପ ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିବା ଜଣାପଡ଼ିଛି। କାରଣ ଭାରତୀୟ ମହାସାଗରରେ ଭାରତର ପ୍ରଭାବକୁ କ୍ଷୁଣ୍ଣ କରିବା ଲାଗି ଚୀନ ଚଳାଇଥିବା ଷଡ଼ଯନ୍ତ୍ରର ଏହା ଏକ ଅଂଶବିଶେଷ ବୋଲି କୁହାଯାଉଛି। ମାଳଦୀପରେ ମାନବିକ ଓ ଅନ୍ୟାନ୍ୟ ସହାୟତା ପାଇଁ ଭାରତ ଦୁଇଟି ହେଲିକପଟର ଏବଂ ୫୦ ଯବାନଙ୍କୁ ମୁତୟନ କରିଥିଲା। କିନ୍ତୁ ସେଠାରେ ବିଭିନ୍ନ ପ୍ରକଳ୍ପ କାମ ଚଳାଇଥିବା ଚୀନ ଏହାକୁ ସହଜରେ ଗ୍ରହଣ କରିପାରୁ ନାହିଁ। ଏହି ଅଞ୍ଚଳରେ ଭାରତର ଉପସ୍ଥିତିକୁ ବିରୋଧ କରି ମାଳଦୀପ ସରକାର ଉପରେ ଚାପ ପକାଉଛି। ବିଭିନ୍ନ ପ୍ରସଙ୍ଗରେ ଭାରତ ଉପରେ ଅସନ୍ତୁଷ୍ଟ ଥିବା ମାଳଦୀପ ରାଷ୍ଟ୍ରପତି ଅବଦୁଲ୍ଲା ୟମିନ୍‌ ଚୀନ କଥାରେ ପଡ଼ି ଏଭଳି ପରାମର୍ଶ ଦେଇଥିବା କୁହାଯାଉଛି। ଭାରତରେ ମାଳଦୀପର ରାଷ୍ଟ୍ରଦୂତ ଅହମଦ ମହମ୍ମଦ କହିଛନ୍ତି ଯେ ଡାକ୍ତରୀ ସହାୟତା ଲାଗି ଭାରତ ଏହି ଦୁଇଟି ହେଲିକପଟର ଏବଂ ସାମରିକ କର୍ମଚାରୀ ମୁତୟନ କରିଥିଲା। କିନ୍ତୁ ଇତିମଧ୍ୟରେ ମାଳଦୀପ ସରକାର ଏକ୍ଷେତ୍ରରେ ଆତ୍ମନିର୍ଭରଶୀଳ। ତେଣୁ ଭାରତୀୟ ହେଲିକପଟର ଓ ସେନାର ସହାୟତା ଆଉ ଦରକାର ନାହିଁ। ତେବେ ମାଳଦୀପର ଏଭଳି ଆଚରଣ ନେଇ ଭାରତର ପ୍ରତିକ୍ରିୟା ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ ଯେ ମାଳଦୀପରେ ୟମିନ ସରକାର ଯେଉଁ ରାଜନୈତିକ ବିରୋଧୀଙ୍କୁ ଦମନ କରିବା ଲାଗି ଅଭିଯାନ ଚଳାଇଛନ୍ତି ତାହାକୁ ଭାରତ ବିରୋଧ କରୁଛି। ଜେଲରେ ଥିବା ପୂର୍ବତନ ରାଷ୍ଟ୍ରପତି ଗୟୁମ ଏବଂ ସୁପ୍ରିମ କୋର୍ଟ ବିଚାରପତିମାନଙ୍କୁ ମୁକ୍ତ କରିବା ଲାଗି ଭାରତ ଚାପ ପକାଉଛି। ଏହାକୁ ନେଇ ୟମିନ ସରକାର ଅସନ୍ତୁଷ୍ଟ ଅଛନ୍ତି। ଏଭଳି ପରିସ୍ଥିତିରୁ ଫାଇଦା ଉଠାଇବାକୁ ଯାଇ ଚୀନ ଏହି ଅଞ୍ଚଳରେ ଭାରତର ପ୍ରଭାବକୁ ହ୍ରାସ କରିବାକୁ ଷଡ଼ଯନ୍ତ୍ର ଚଳାଇଛି। ୨୦୧୧ରେ ମାଳଦୀପରେ ଦୂତାବାସ ଖୋଲିବା ପରେ ଚୀନ ସେଠାରେ ଅନେକ ବଡ଼ ବଡ଼ ପ୍ରକଳ୍ପ ହାତକୁ ନେଇଛି। କେବଳ ଏତିକି ନୁହେଁ ଚୀନ ଚାପରେ ଅନେକ ପ୍ରକଳ୍ପରୁ ଭାରତୀୟ ସଂସ୍ଥାକୁ ବିଦା କରି ଚୀନକୁ ଦିଆଯାଉଛି। ଭାରତୀୟ ମହାସାଗରେ ଏହାର ପ୍ରଭାବକୁ ବଜାୟ ରଖିବା ଲାଗି ଭାରତ ମାଳଦୀପ, ମରିସସ୍‌ ଏବଂ ସିସେଲ୍ସକୁ ଭାରତ ହେଲିକ୍ଟର, ପାଟ୍ରୋଲ ବୋଟ୍‌ ଏବଂ ଉପଗ୍ରହ ସେବା ଯୋଗାଇ ଆସୁଛି।

ସମ୍ବନ୍ଧିତ ଖବର