୧୪ ବର୍ଷ ତଳର ବାଲ୍ୟ ବିବାହକୁ ଅସିଦ୍ଧ ଘୋଷଣା କଲା ଯୋଧପୁର କୋର୍ଟ

ଯୋଧପୁର: ଗୁରୁବାର ଦିନ ଯୋଧପୁରର ଏକ ଫ୍ୟାମିଲି କୋର୍ଟ ଜଣେ ଝିଅର ବିବାହକୁ ଅସିଦ୍ଧ ଘୋଷଣା କରିଛନ୍ତି। ସେ ଝିଅଟି ୧୪ ବର୍ଷ ତଳେ ବିବାହ କରିଥିଲା। ସେତେବେଳେ ତାକୁ ମାତ୍ର ତିନି ବର୍ଷ ହୋଇଥିଲା। ଉଭୟ ପକ୍ଷର ସମ୍ମତିକ୍ରମେ ଅଦାଲତ ଏହି ବିବାହକୁ ଅସିଦ୍ଧ ଘୋଷଣା କରିଥିଲେ।

୨୦୦୩ ମସିହାରେ ସେ ଝିଅଟିର ଜଣେ ୧୧ ବର୍ଷିୟ ସ୍କୁଲ ପଢୁଆ ବାଳକ ସହ ବାହାଘର କରାଯାଇଥିଲା। ନିଜ ସମ୍ପ୍ରଦାୟ ଚାପରେ ପଡ଼ି ପରିବାର ଲୋକେ ଝିଅ ବାହା କରାଇଥିଲେ ବୋଲି କୁହାଯାଉଛି। କିଛି ଦିନ ପରେ ଝିଅର ବାପା ମରି ଯାଇଥିଲେ। ଏଥର ଝିଅକୁ ତା’ ଶାଶୂ ଘରକୁ ପଠା ଯାଉ ବୋଲି ସମ୍ପ୍ରଦାୟର ମୁଖିଆ ଏବଂ ସାହିଭାଇମାନେ ସେ ବିଧବା ସ୍ତ୍ରୀଲୋକକୁ ବାଧ୍ୟ କରିଥିଲେ।

ଶାଶୂ ଘରକୁ ଯିବାକୁ ଅନିଚ୍ଛୁକ ଝିଅଟି ସାର୍ଥୀ ଟ୍ରଷ୍ଟ୍‍ ସହ ଯୋଗାଯୋଗ କରିଥିଲା। ପରେ ବିବାହକୁ ଅସିଦ୍ଧ କରାଇବା ପାଇଁ ଗତ ଜୁନ୍‌ ମାସରେ ଫ୍ୟାମିଲି କୋର୍ଟକୁ ଆବେଦନ ଯାଇଥିଲା। ତା’ପରେ ଝିଅର ସ୍ୱାମୀ ଏବଂ ଶାଶୂ ଶଶୁରଙ୍କ ସହ କଥାବର୍ତ୍ତା କରାଯାଇଥିଲା। ପ୍ରଥମେ ସେମାନେ ସହଯୋଗ କରୁ ନ ଥିଲେ। ଶେଷରେ ଏ ଭଳି ଅନୈତିକ ବାହାଘରକ ଭାଙ୍ଗି ଦେବାକୁ ରାଜି ହୋଇଥିଲେ।

ଗରିବ ପରିବାର ହୋଇଥିବାରୁ ଝିଅଟି ଅଧାରୁ ପାଠପଢ଼ା ଛାଡ଼ି ଦେଇଥିଲା। ଏବେ ଟ୍ରଷ୍ଟ୍‍ ସହାୟତାରେ ସେ ପଢ଼ାପଢ଼ି ଆରମ୍ଭ କରିବ ବୋଲି କହିଛି।

ଏଥର ସେ ମୁକ୍ତ ବିଦ୍ୟାଳୟରେ ମାଧ୍ୟମିକ ପରୀକ୍ଷା ଦେବ। ସେଥିପାଇଁ ଟ୍ରଷ୍ଟ୍‍ ତରଫରୁ ତା’ର ଫର୍ମ ପୂରଣ କରାଯାଇଛି।
ଝିଅର ପାଠ ପଢ଼ା ଶେଷ ହେଲା ପରେ ତା’ ବାହାଘର କଥା ଚିନ୍ତା କରିବି ବୋଲି ବିଧବା ମାଆ କହୁଛନ୍ତି। ତା’ଛଡ଼ା ସେ କହିଛନ୍ତି, ବାହା ହେବାକୁ ରାଜି ନ ହେଲା ଯାଏଁ ତାକୁ ବାଧ୍ୟ କରାଯିବ ନାହିଁ।

ଝିଅଟି ପୂର୍ବରୁ ବାହା ହୋଇଥିବା ପିଲାଟି ଏବେ ୨୫ ବର୍ଷର ଯୁବକ। ସେ ଏକ ଘରୋଇ ସ୍କୁଲ୍‌ରେ କାମ କରୁଛନ୍ତି। ଏହି ବିବାହ ଅନୈତିକ ବୋଲି କୁହାଯିବା ପରେ ଏହାକୁ ଅସିଦ୍ଧ କରିବାକୁ ସେ ରାଜି ହୋଇଥିଲେ।

ସମ୍ବନ୍ଧିତ ଖବର