ସ୍ପଞ୍ଜ ଭଳି ମଙ୍ଗଳ ପୃଷ୍ଠ ଶୋଷି ନେଇଛି ଜଳ!

ଲଣ୍ଡନ:ଲୋହିତ ଗ୍ରହ ମଙ୍ଗଳର ପୃଷ୍ଠଭୂମି ଏବେ ଅନୁର୍ବର ଥିବା ବେଳେ ସେଠାକାର ମୁଖ୍ୟ ସମସ୍ୟା ହେଉଛି ଜଳର ଉତ୍କଟ ଅଭାବ। ମରୁଭୂମି ପ୍ରାୟ ଥିବା ପୃଥିବୀର ଏହି ନିକଟତର ଗ୍ରହରେ ସାଟେଲାଇଟ୍‌ ଫଟୋରୁ କୌଣସି ଜଳର ସନ୍ଧାନ ମିଳିନଥିବା ବେଳେ ‘ମଙ୍ଗଳୟାନ’ ଅଭିଯାନ ମାଧ୍ୟମରେ ସେଠକାର ମୃତ୍ତିକା ଓଦାଥିବା ଜଣାପଡ଼ିଥିଲା। ମାତ୍ର ଆଖିକୁ ଦୃଶ୍ୟମାନ ଜଳରାଶି ସେଠାରେ ମିଳୁ ନଥିବାରୁ ବୈଜ୍ଞାନିକମାନେ ଏନେଇ ଗବେଷଣା ଜାରି ରଖିଛନ୍ତି। ମଙ୍ଗଳପୃଷ୍ଠରୁ ଆସିଥିବା ମାଟିର ପରୀକ୍ଷଣ ପରେ ଏନେଇ ସମସ୍ତ ସନ୍ଦେହ ଦୂର ହୋଇଛି। ସଦ୍ୟ ରିପୋର୍ଟ ମୁତାବକ ମଙ୍ଗଳଗ୍ରହରେ ମଧ୍ୟ ପ୍ରଚୁର ଜଳ ରହିଛି।

କିନ୍ତୁ ସମସ୍ତ ଜଳ ଭୂଗର୍ଭରେ ମିଶି ଯାଇଥିବା ଜଣାପଡ଼ିଛି। ଏକଦା ମଙ୍ଗଳ ଗ୍ରହରେ ପ୍ରବାହିତ ସମସ୍ତ ଜଳ ସେଠାକାର ଭୂଗର୍ଭ ଅବଶୋଷଣ କରି ନେବା ଫଳରେ ଉପରିସ୍ଥ ଅଞ୍ଚଳ ଜଳ ଶୂନ୍ୟ ହୋଇଯାଇଛି। ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ, ମଙ୍ଗଳପୃଷ୍ଠସ୍ଥ ଜଳ ଏହି ଗ୍ରହର ଚୁମ୍ବକୀୟ କ୍ଷେତ୍ର ଯୋଗୁଁ ଭୂପୃଷ୍ଠକୁ ଚାଲିଯାଇଛି। ଆଉ କେତେକଙ୍କ ମତାନୁସାରେ ସେଠାକାର ଜଳରାଶି ଭୂଗର୍ଭରେ ବରଫ ଆକାରରେ ଜମାହୋଇ ରହିଛି। କିନ୍ତୁ ଏବେ ମିଳିଥିବା ମୃତ୍ତିକା ରିପୋର୍ଟ ବୈଜ୍ଞାନିକଙ୍କ ସବୁ ଅନୁମାନକୁ ଭୁଲ୍‌ ପ୍ରମାଣିତ କରିଦେଇଛି। ଏହି ଗ୍ରହରେ ଥିବା ଭୂଗର୍ଭସ୍ଥ ପ୍ଲେଟଗୁଡ଼ିକର ନିୟମିତ ବ୍ୟବଧାନରେ ପରିବର୍ତ୍ତନ ଯୋଗୁଁ ଏଠାରେ ସବୁ ସମୟରେ ଲାଭା ଉଦ୍‌୍‌ଗିରଣ ହୋଇଥାଏ। ଫଳରେ ଲାଭା ଥଣ୍ଡା ହେବା ପରେ ଏହା ବାସାଲ୍ଟ ପଥର ହୋଇଯାଇଥାଏ।

ଏହି ପଥର ଅନ୍ୟ ପଥର ଅନେକ୍ଷା ଅପେକ୍ଷାକୃତ ହାଲୁକା ଓ ଏଥିରେ ଛିଦ୍ର ରହିଥାଏ। ଏହା ପ୍ରାୟତଃ ସ୍ପଞ୍ଜ ଭଳି। ପୃଥିବୀ ପୃଷ୍ଠରେ ମଧ୍ୟ ଏଭଳି ପଥର ଦେଖିବାକୁ ମିଲେ। କିନ୍ତୁ ଏଠାରେ ମିଳୁଥିବା ବାସାଲ୍ଟ ପଥର ଅପେକ୍ଷା ମଙ୍ଗଳ ଗ୍ରହର ବାସାଲ୍ଟ ପଥର ୨୫ ପ୍ରତିଶତ ଅଧିକ ଜଳଶୋଷଣ କରିବାର କ୍ଷମତା ରଖୁଥିବା ବ୍ରିଟେନର ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଜନ୍‌ ବୈଡ୍‍ ତାଙ୍କ ଗବେଷଣାରୁ ଜାଣିବାକୁ ପାଇଛନ୍ତି।

ସମ୍ବନ୍ଧିତ ଖବର