ଏନ୍‌କାଉଣ୍ଟରରେ ମାସୁଦ ଆଝାରର ଭଣଜା ନିହତ!ମିଳିଲା ଆମେରିକା ନିର୍ମିତ ଏମ୍‌-୪ କାର୍ବାଇନ୍‌

ଶ୍ରୀନଗର : ଗତକାଲି ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲାର ଅଗଲାର ଅନ୍ତର୍ଗତ କାଣ୍ଡି ଗ୍ରାମରେ ଭାରତୀୟ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ତିନି ଜଣ ଆତଙ୍କବାଦୀ ନିପାତ ହୋଇଥିଲେ। ତେବେ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ପାକିସ୍ତାନ ସ୍ଥିତ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦ(ଜେଇଏମ୍‌) ମୁଖ୍ୟ ମୌଲାନା ମାସୁଦ୍‌ ଆଝାରର ଭଣଜା ତଥା ସଂଗଠନର ଡିଭିଜନାଲ୍‌ କମାଣ୍ଡର ତଲ୍‌ହା ରସିଦ ଥିବା ଜଣାପଡ଼ିଛି। ଜେଇଏମ୍‌ର ଜଣେ ମୁଖପାତ୍ର ତଲ୍‌ହାକୁ ଚିହ୍ନଟ କରିଥିବା ବେଳେ ସେ ତଲ୍‌ହା କି ନୁହେଁ ସେ ନେଇ ତଦନ୍ତ କରାଯିବ ବୋଲି କଶ୍ମୀର ପୁଲିସ ଆଇଜି ମୁନୀର୍‌ ଖାଁ କହିଛନ୍ତି।
ଅପରପକ୍ଷେ, ଗତକାଲି ଏନ୍‌କାଉଣ୍ଟର ବେଳେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ସୁରକ୍ଷା କର୍ମୀ ଜଣକ ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲା ଅନ୍ତର୍ଗତ ସ୍ୟାନା ବାସିନ୍ଦା ତଥା ଲାନ୍ସ ନାଏକ ବ୍ରହ୍ମ ପାଲ୍‌ ସିଂହ ବୋଲି ଜଣାଯାଇଛି। ସେହିପରି ସୁରକ୍ଷା କର୍ମୀମାନେ ନିପାତ କରିଥିବା ଅନ୍ୟ ଦୁଇ ଆତଙ୍କବାଦୀ ହେଲେ ଜେଇଏମ୍‌ର ଅନ୍ୟତମ ଡିଭିଜନାଲ୍‌ କମାଣ୍ଡର ମହମ୍ମଦ ଭାଇ ଏବଂ ବାହାର ଅଞ୍ଚଳ(ଦ୍ରୁବଗାମ୍‌)ର ଓ୍ଵାସିମ୍‌। ଏଥି ସହିତ ନିହତ ଆତଙ୍କବାଦୀଙ୍କ ପାଖରୁ ସୁରକ୍ଷା କର୍ମୀମାନେ ୨ଟି ଏକେ-୪୭ ରାଇଫଲ୍‌ ଏବଂ ଗୋଟିଏ ଆମେରିକା ନିର୍ମିତ ଏମ୍‌-୪ କାର୍ବାଇନ୍‌ ଉଦ୍ଧାର କରିଛନ୍ତି। ଆତଙ୍କବାଦୀଙ୍କ ହାତକୁ ଆମେରିକା ନିର୍ମିତ ରାଇଫଲ୍‌ କେମିତି ଆସିଲା, ତାହାର ମଧ୍ୟ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ଆଇଜି କହିଛନ୍ତି। ତେବେ ଏଥିପାଇଁ ସୀମା ସେପଟୁ ଆତଙ୍କବାଦୀଙ୍କୁ ସହଯୋଗ ମିଳିଥିଲା ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର