ବାଣ ଗୋଦାମରେ ନିଆଁ ଲାଗି ୧୦ମୃତ; ମୃତ୍ୟୁ ସଂଖ୍ୟା ବଢ଼ିବା ଅାଶଙ୍କା

ହାଇଦ୍ରାବାଦ: ବାଣ ଗୋଦାମରେ ବିସ୍ଫୋରଣ ଘଟି ୧୦ଜଣଙ୍କ ମୃତ୍ୟୁ ଘଟିଛି। ପଡୋଶୀ ତେଲେଙ୍ଗାନା ରାଜ୍ୟର ଓ୍ଵାରାଙ୍ଗଲ୍‌ ଜିଲ୍ଲାରେ ଘଟିଛି ଏହି ମର୍ମନ୍ତୁଦ ଘଟଣା। ଓ୍ଵାରାଙ୍ଗଲ ସହରଠାରୁ ପ୍ରାୟ ୧୩୫କିଲୋମିଟର ଦୂରରେ କୋଟାଲିଙ୍ଗାଲା ଗାଁରେ ଥିବା ବାଣ ଗୋଦାମରେ ଗତ ରାତିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ବାଣଗୁଡ଼ିକ ଫୁଟିବା ଆରମ୍ଭ ହୋଇଥିଲା। ଗୋଦାମ ଘରେ ଥିବା ୧୫ଜଣଙ୍କ ମଧ୍ୟରୁ ୧୦ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାକି ୫ଜଣ ଗୁରୁତର ଅବସ୍ଥାରେ ଏମ୍‌ଜିଏମ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ଶରୀରଅବସ୍ଥା ଗମ୍ଭୀର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ମୃତକଙ୍କ ପରିଚୟ ଏଯାବତ୍‌ ମିଳି ନାହିଁ।

ନିଆଁର ପ୍ରକୋପ ଜୋର୍‌ ଥିବାରୁ ଅଗ୍ନିଶମ ବାହିନୀ ପକ୍ଷରୁ ଚାରିଟି ଦମକଳ ଗାଡ଼ି ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଉଦ୍ୟମ ଜାରି ରଖିଛନ୍ତି।  ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇ ନଥିଲା।  କେଉଁ କାରଣ ପାଇଁ ବାଣ ଗୋଦାମରେ ନିଆଁ ଲାଗି ଯାଇଥିଲା, ତାହା ଜଣାପଡ଼ିନାହିଁ।

କୁହାଯାଉଛି, ବାଣ ବାନାଇବା ପାଇଁ ବ୍ୟବହୃତ ହେଉଥିବା କୌଣସି ପ୍ରଦାର୍ଥରୁ ଏହି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଘଟିବା ସମୟରେ ବାଣ ଗୋଦାମରେ ୨୫ଜଣ ଲୋକ କାମ କରୁଥିଲେ। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ଅନୁମାନ କରାଯାଉଛି। ଏବେ ବି କେତେକ ଲୋକ ନିଖୋଜ ଥିବା ନେଇ କୁହାଯାଉଛି।

ସମ୍ବନ୍ଧିତ ଖବର