ପ୍ରବଳ ବର୍ଷା ପରେ ଉପକୂଳବର୍ତ୍ତୀ କର୍ଣ୍ଣାଟକରେ ବନ୍ୟା ବିତ୍ପାତ

ବେଙ୍ଗାଲୁରୁ: ଗତ ୪ ଦିନ ହେବ ପ୍ରବଳ ବୃଷ୍ଟି ଯୋଗୁଁ କର୍ଣ୍ଣାଟକର ଦୁଇ ଉପକୂଳବର୍ତ୍ତୀ ଜିଲ୍ଲା ଦକ୍ଷିଣ କନଡ଼ ଏବଂ ଉଦୁପିରେ ସ୍ୱାଭାବିକ ଜୀବନଯାତ୍ରାରେ ବ୍ୟାଘାତ ସୃଷ୍ଟି ହୋଇଛି।

ତଳି ଅଞ୍ଚଳ ଓ ଅନେକ ସ୍ଥାନରେ ରାସ୍ତା ଜଳାର୍ଣ୍ଣବ ହୋଇ ଯାଇଥିବାରୁ ଯୋଗାଯୋଗ ଏବଂ ପରିବହନ ବ୍ୟାହତ ହୋଇଛି।
ପ୍ରତିଷେଧାତ୍ମକ ପଦକ୍ଷେପ ଭାବେ ଜିଲ୍ଲା ପ୍ରଶାସନ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ୨ ଦିନ ସକାଶ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି।
ମାଙ୍ଗାଲୁରୁରେ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରିବାକୁ ଡଙ୍ଗା ବ୍ୟବହାର କରାଯାଉଛି। ପ୍ରାୟ ବୁଡ଼ି ଯାଇଥିବା ସହରର କୁଡ୍ରୌଲି ଅଞ୍ଚଳରେ ସ୍କୁଲ୍‌ ପିଲାଏ ମଧ୍ୟ ଜଳବନ୍ଦୀ ହୋଇ ରହିଯାଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ସହରରେ ୩୭. ୫ ମିଲି ମିଟର ବୃଷ୍ଟିପାତ ହୋଇଛି।

ପାଣି ଜମି ଯିବାରୁ ଅଲକେ ଗୁଜରାଟୀ ସ୍କୁଲ୍‌ରେ ପିଲାଏ ଅଟକି ରହିଥିଲେ। ସାଧାରଣ ଲୋକେ ଏବଂ ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରିଥିଲେ।

ବୈକାମ୍ପାଡ଼ୀ ଶିଳ୍ପାଞ୍ଚଳର କେତେକ କାରଖାନାରେ ପାଣି ପଶିଯିବାରୁ ବହୁ କ୍ଷତି ଘଟିଛି। ଗତ କେତେ ଦଶନ୍ଧି ଧରି ଏ ଭଳି ବର୍ଷା ଦେଖି ନ ଥିବା କଥା କହୁଛନ୍ତି କାରଖାନା ମାଲିକମାନେ।

ପମ୍ପ୍‌େଓ୍ଵଲ୍‌ ଏବଂ କୁତାର ଜଙ୍କ୍‌ସନ୍‌ର ପାଣି ବେଢ଼ି ରହିବାରୁ ଏକ ନିର୍ମାଣଧୀନ ଘର ଭାଙ୍ଗି ପଡ଼ିଛି।
ପାଡ଼ିଲ୍‌ ପୋଲ ତଳେ ବର୍ଷାପାଣି ଉବୁଟୁବୁ ହେବାରୁ ଅନେକ ଗାଡ଼ିଘୋଡ଼ା ଅଟକି ରହିଛି। ସହର ଅନ୍ତର୍ଗତ ହମ୍ପାନକଟ୍ଟା ଏବଂ ବେଜାଇ ଅଞ୍ଚଳରେ ମଧ୍ୟ ଅନୁରୂପ ପରିସ୍ଥିତି ଉପୁଜିଛି।

ଉଦୁପିରେ ଗୋଟାଏ ବିଶାଳ ବରଗଛ ରାସ୍ତା ଉପରକୁ ଉପୁଡ଼ି ପଡ଼ି ଯାନବାହନ ଯାତାୟାତ ବନ୍ଦ ରହିଥିଲା। ଅନେକ ବିଜୁଳିଖୁଣ୍ଟ ଓ ବିଜ୍ଞାପନ ହୋର୍ଡିଙ୍ଗ୍‌ ମଧ୍ୟ ଧରାଶାୟୀ ହୋଇଥିଲା।

ଗତ ଦୁଇ ଦିନ ମଧ୍ୟରେ ଉଦୁପି ଜିଲ୍ଲାରେ ୧୩୦ଟି କୋଠା ଆଶିଂକ ବା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ସମୁଦାୟ ୫୧. ୩୭ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି।

ପ୍ରାକ୍‌ମୌସୁମି ବର୍ଷା କାରଣରୁ ବୃଷ୍ଟିପାତ ହୋଇଛି ବୋଲି ପାଣିପାଗ ବିଭାଗ କହିଛି। ମଙ୍ଗଳବାର ଦିନ ମୌସୁମି କେରଳରେ ପହଞ୍ଚି ଥିଲେ ମଧ୍ୟ କର୍ଣ୍ଣାଟକରେ ପହଞ୍ଚିବାକୁ କିଛି ସମୟ ଲାଗିବ।

ସମ୍ବନ୍ଧିତ ଖବର