ଶୁଣାଣି କରିବାକୁ ମନାକଲେ ଜଷ୍ଟିସ୍‌ ଚେଲମେଶ୍ୱର

ମାଷ୍ଟର ଅଫ୍‌ ରୋଷ୍ଟର ବିବାଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ‘ମାଷ୍ଟର ଅଫ୍‌ ରୋଷ୍ଟର୍‌’ ଅଧିକାରକୁ ନେଇ ପ୍ରଶ୍ନ ଉଠାଇଥିବା ପୂର୍ବତନ ଆଇନ୍‌ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ଆବେଦନର ଶୁଣାଣି କରିବାକୁ ଆଜି ଜଷ୍ଟିସ୍‌ ଜେ.ଚେଲମେଶ୍ୱର ମନା କରିଦେଇଛନ୍ତି। ଗତ ଜାନୁଆରି ମାସରେ ପ୍ରଧାନ ବିଚାରପତିଙ୍କ ଏହି ସ୍ୱତନ୍ତ୍ର ଅଧିକାର ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଥିବା ଜଷ୍ଟିସ୍‌ ଚେଲମେଶ୍ୱର ଆଜି କହିଛନ୍ତି ଯେ, ତାଙ୍କ ରାୟକୁ ୨୪ଘଣ୍ଟା ମଧ୍ୟରେ ପୁଣିଥରେ ପରିବର୍ତ୍ତନ କରାଯିବାକୁ ସେ ଦେଖିପାରିବେ ନାହିଁ। ଆଉ ୨ମାସ ପରେ ଅବସର ଗ୍ରହଣ କରିବାକୁ ଥିବା ବେଳେ ସେ ଆଉ ଏ ପ୍ରକାର ବିବାଦରେ ପଡ଼ିବାକୁ ଚାହୁନଥିବା ମଧ୍ୟ କହିଛନ୍ତି। ଆଜି ସୁପ୍ରିମକୋର୍ଟରେ କଂଗ୍ରେସ ନେତା ତଥା ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଜଷ୍ଟିସ୍‌ ଚେଲମେଶ୍ୱର କହିଛନ୍ତି, ବିଗତ ୨ ମାସ ହେବ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି। କୌଣସି ପଦବି ହାସଲ ପାଇଁ ସେ ଏଭଳି କରୁଥିବା ମଧ୍ୟ ଅଭିଯୋଗ ହେଉଛି। ତେଣୁ ଯଦି ଅନ୍ୟ କାହାକୁ ଦେଶ ବିଷୟରେ ଚିନ୍ତା କରିବାର ନାହିଁ,ତେବେ ମୁଁ କାହିଁକି ଏହି ବିବାଦରେ ପଡ଼ିବି ବୋଲି ଜଷ୍ଟିସ୍‌ ଚେଲମେଶ୍ୱର ପ୍ରଶ୍ନ କରିଛନ୍ତି। ନିକଟରେ ମେଡିକାଲ ଦୁର୍ନୀତି ମାମଲାରେ ଜଷ୍ଟିସ୍‌ ଚେଲମେଶ୍ୱରଙ୍କ ଖଣ୍ଡପୀଠ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ପରିବର୍ତ୍ତନ କରି ଅନ୍ୟ ଏକ ଖଣ୍ଡପୀଠ ଦ୍ୱାରା ଶୁଣାଣି କରିଥିଲେ।

ପ୍ରଧାନ ବିଚାରପତିଙ୍କୁ ଜଷ୍ଟିସ୍‌ କୁରିଏନ୍‌ ଜୋସେଫ୍‌ଙ୍କ ଚିଠି
ଇତିହାସ ଆମକୁ କ୍ଷମାଦେବ ନାହିଁ

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ମାମଲାରେ କେନ୍ଦ୍ର ସରକାରଙ୍କ ସ୍ଥାଣୁତାକୁ ବିରୋଧ କରି ଆଜି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି କୁରିଏନ୍‌ ଜୋସେଫ୍‌ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ଚିଠି ଲେଖିଛନ୍ତି। ଜଷ୍ଟିସ୍‌ ଜୋସେଫ୍‌ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଅସ୍ତିତ୍ୱ ଏବେ ସଙ୍କଟରେ ରହିଛି। ଦେଶର ବିଭିନ୍ନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବଡ଼ ସମସ୍ୟା ସୃଷ୍ଟି କରିଛି। ସରକାରଙ୍କ ଏଭଳି ନୀତିକୁ ଗ୍ର୍ରହଣ କରିନେଲେ ଇତିହାସ ଆମକୁ କ୍ଷମା କରିବ ନାହିଁ ବୋଲି ସେ ପତ୍ରରେ ଦର୍ଶାଇଛନ୍ତି। କଲେଜିୟମ୍‌ ସୁପାରିସର ୩ ମାସ ପରେ ବି କେନ୍ଦ୍ର ସରାକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ଭାରତୀୟ ନ୍ୟାୟପାଳିକାର ଇତିହାସରେ ପ୍ରଥମ ଘଟଣା ବୋଲି ସେ କହିଛନ୍ତି। ଜଷ୍ଟିସ୍‌ କର୍ଣ୍ଣନ୍‌ଙ୍କ ମାମଲା ଭଳି ସୁପ୍ରିମକୋର୍ଟ ୭ ଜଣିଆ ଖଣ୍ଡପୀଠ ଗଠନ କରି ନ୍ୟାୟିକ ବ୍ୟବସ୍ଥାରେ ଏହାର ସମାଧାନ ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜଷ୍ଟିସ୍‌ କେଏମ୍‌ ଜୋସେଫ ଓ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରାଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ କରିବାକୁ କଲେଜିୟମ୍‌ ସୁପାରିସକୁ ୩ମାସ ପୂରିଥିବା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରତ୍ୟୁତ୍ତର ମିଳିନଥିବାରୁ ଜଷ୍ଟିସ୍‌ ଜୋସେଫ୍‌ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।

ଏସ୍‌ସି/ଏସ୍‌ଟି ଆଇନ ଦୁର୍ବଳ ହୋଇଛି: କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଅନୁସୂଚିତ ଜାତି/ଜନଜାତି ନିର୍ଯାତନା ନିବାରଣ ଆଇନରେ ସଂଶୋଧନ ପରେ ଦେଶବ୍ୟାପୀ ଅସନ୍ତୋଷର ନିଅାଁ ବ୍ୟାପୁଥିବା ବେଳେ ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପକ୍ଷ ରଖି କହିଛନ୍ତି ଯେ, ଏହି ଆଇନ୍‌ରେ ସଂଶୋଧନ ଆଇନର ପ୍ରକୃତ ଉଦ୍ଦେଶ୍ୟ ସାଧନ କରିବାରେ ବିଫଳ ହୋଇଛି। ଏଥିଯୋଗୁଁ ଏହି ଆଇନ ଦୁର୍ବଳ ହୋଇଯାଇଛି ଏବଂ ଦେଶବ୍ୟାପୀ କ୍ରୋଧ ଓ ବିଭ୍ରାନ୍ତି ଦେଖିବାକୁ ମିଳିଛି। ଆଜି ସୁପ୍ରିମକୋର୍ଟରେ ଲିଖିତ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପଳ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର