୨୭ରେ ଶୁଣାଣି କରିବେ ଦୁଇ ଜଣିଆ ଖଣ୍ଡପୀଠ

ମାଷ୍ଟର ଅଫ୍‌ ରୋଷ୍ଟର ବିବାଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ‘ମାଷ୍ଟର ଅଫ୍‌ ରୋଷ୍ଟର’ ଅଧିକାରକୁ ନେଇ ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣ ଦାଖଲ କରିଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଆସନ୍ତା ୨୭ ତାରିଖରେ ଜଷ୍ଟିସ୍‌ ଏ.କେ.ସିକ୍ରି ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ କରିବେ। ତେବେ ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳ ଓ ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଏନେଇ ମତ ରଖିବାକୁ ମଧ୍ୟ କୋର୍ଟ କହିଛନ୍ତି। ଗତ ଜାନୁଆରି ୧୨ ତାରିଖରେ ସୁପ୍ରିମକୋର୍ଟର ୪ଜଣ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲମେଶ୍ୱର, ରଞ୍ଜନ ଗୋଗୋଇ, କୁରିଏନ୍‌ ଜୋସେଫ୍‌ ଓ ଏମ୍‌ବି ଲୋକୁର ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ବିଚାରପତିଙ୍କ ମାମଲା ବଣ୍ଟନ ଅଧିକାରକୁ ନେଇ ପ୍ରଶ୍ନ ଉଠାଇଥିଲେ। ତେବେ ଏହି ନୂତନ ଖଣ୍ଡପୀଠ ଉକ୍ତ ପ୍ରଶ୍ନକୁ ନେଇ କୌଣସି ପ୍ରକାର ରାୟ ଦେବେ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଶୁଣାଣି ପୂର୍ବରୁ ଖଣ୍ଡପୀଠ ସମସ୍ତଙ୍କର ମତ ଲୋଡ଼ିଛନ୍ତି। ତେବେ ସୁପ୍ରିମକୋର୍ଟ ନିକଟରେ ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ହିଁ ମାଷ୍ଟର ଅଫ୍‌ ରୋଷ୍ଟର ବୋଲି ରାୟ ଦେଇଥିଲେ।

ସମ୍ବନ୍ଧିତ ଖବର