ମସୁଦ୍‌କୁ ନେଇ ସସ୍‌ପେନ୍ସ ଜାରି:ପାକ୍‌ ସେନା ହସ୍ପିଟାଲ୍‌ରୁ ଅନ୍ୟତ୍ର ସ୍ଥାନାନ୍ତର!

ଇସଲାମାବାଦ୍‌ : ଜେଇଏମ୍‌ (ଜୈସ୍‌ ଏ ମହମ୍ମଦ୍‌) ମୁଖ୍ୟ ମସୁଦ୍‌ ଆଝାରର ମୃତ୍ୟୁ ଖବର ଆଜି ମଧ୍ୟ ରହସ୍ୟ ଘେରରେ ରହିଛି। ପାକିସ୍ତାନ ସେନା କିମ୍ବା ସରକାର ଏ ବାବଦରେ କିଛି ସ୍ପଷ୍ଟ କରୁନଥିବା ବେଳେ ପାକିସ୍ତାନ ଗଣମାଧ୍ୟମ ମସୁଦ୍‌ ବଂଚିଥିବା ଦାବି କରୁଛି। ୫୦ ବର୍ଷୀୟ ଆତଙ୍କବାଦୀ ମସୁଦ୍‌ର କିଡିନି ଫେଲ୍‌ ହୋଇଥିବାରୁ ସେ ରାୱଲପିଣ୍ଡି ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିଲା। ଗତକାଲି ତା’ର ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମସୁଦର ମୃତ୍ୟୁ ଘଟିଥିବା ଖବର ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ପରେ ପାକିସ୍ତାନର ଅଡ଼ୁଆ ବଢ଼ିଥିଲା। ଆଜି ମସୁଦ୍‌କୁ ପାକ୍‌ ସେନା ହସ୍ପିଟାଲରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ବୋଲି କେତେକ ପାକ୍‌ ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଛି।
ଗତ ୨୬ ତାରିଖରେ ବାଲାକୋଟ୍‌ ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ ବେଳେ ମସୁଦ୍‌ ମଧ୍ୟ ଉକ୍ତ କ୍ୟାମ୍ପ୍‌ରେ ଥିଲା ବୋଲି ସୋସିଆଲ୍‌ ମିଡିଆରେ ଖବର ପ୍ରସାରିତ ହୋଇଥିଲା। ମସୁଦର୍‌ ପରିବାର ସଦସ୍ୟ ସେ ବଞ୍ଚିଛି ବୋଲି ଆଜି ଦାବି କରିଛନ୍ତି, ‌କିନ୍ତୁ ସେ କେଉଁଠି ଅଛି ଜାଣନାହାନ୍ତି ବୋଲି ସେମାନେ କହିଛନ୍ତି। ପାକ୍‌ ବି‌‌‌‌ଦେଶ ମନ୍ତ୍ରୀ ଶାହ ମହମ୍ମଦ୍‌ କ୍ୟୁରେଶି ନିକଟରେ କହିଥିଲେ ଯେ ମସୁଦ୍‌ ପାକିସ୍ତାନରେ ହିଁ ରହିଛି। ପରବର୍ତ୍ତୀ ସମୟରେ ମସୁଦ୍‌ର କିଡ୍‌ନି ଫେଲ୍‌ କରିଥିବା ଏବଂ ସେ ପାକ୍‌ ସେନା ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ପାକ୍‌ ସେନା ସୂତ୍ରରୁ ଜଣାପଡ଼ିଥିଲା। ତେବେ ମସୁଦ୍‌ ବିମାନ ଆକ୍ରମଣରେ ଅତି ଗୁରୁତର ଆହତ ହେବାପରେ ହିଁ ସେନା ହ‌ସ୍ପିଟାଲ୍‌ରେ ପହଞ୍ଚିଥିଲା ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର