ମଥୁରା ପୁଲିସଙ୍କ ୟୁନିଫର୍ମରେ ଲାଗିବ କୃଷ୍ଣଙ୍କ ଚିତ୍ର ଥିବା ବ୍ୟାଜ୍‌

ଆଗ୍ରା: ଉତ୍ତର ପ୍ରଦେଶ ସରକାର ବୃନ୍ଦାବନକୁ ଆନୁଷ୍ଠାନିକ ଭାବେ ପବିତ୍ର ତୀର୍ଥ ସ୍ଥଳୀ ଘୋଷଣା କରିଛନ୍ତି। ଏଥିପାଇଁ ଖୁବ୍‌ ଶୀଘ୍ର ମଥୁରା ପୁଲିସଙ୍କୁ ନୂତନ ୟୁନିଫର୍ମ ଦିଆଯାଇ ପାରେ। ଏହି ନୂତନ ୟୁନିଫର୍ମର କାନ୍ଧ ବ୍ୟାଜ୍‌ରେ ରହିବ କୃଷ୍ଣଙ୍କର ଚିତ୍ର। ସେ ଲୋଗୋରେ ‘ଟୁରିଜିମ୍‌ ପୋଲିସ୍‌’ ବୋଲି ଲେଖା ରହିବ। ଏହା ସହ ସେ ପୁଲିସମାନେ ତାଙ୍କର ର‍୍ୟାଙ୍କ୍‌ ଚିହ୍ନ ମଧ୍ୟ ପରିଧାନ କରିବେ।

ମଥୁରାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସ୍ୱପ୍ନିଳ ମାଙ୍ଗେନ୍‌ କହିଛନ୍ତି: ଉତ୍ତର ପ୍ରଦେଶ ପୁଲିସକୁ ଅଧିକ ପର୍ଯ୍ୟଟନ-ଅନୁକୂଳ କରାଇବା ଏହି ଲୋଗୋର ଉଦ୍ଦେଶ୍ୟ। କିଛି ଦିନ ତଳେ ଫତେପୁର ସିକ୍ରି ଠାରେ କେତେକ ସ୍ଥାନୀୟ ଯୁବକ ଏବଂ ନାବାଳକ ଏକ ସୁଇସ୍‌ ଦମ୍ପତିଙ୍କୁ ଆକ୍ରମଣ କରିବାରୁ ଉତ୍ତର ପ୍ରଦେଶ ପୁଲିସ ତୀବ୍ର ସମାଲୋଚନାର ସରବ୍ୟ ହୋଇଥିଲା। ଏଥିପାଇଁ ନୂଆ ବ୍ୟାଜ୍‌ର ପରିକଳ୍ପନା ବୋଲି ଉତ୍ତର ପ୍ରଦେଶ ପୁଲିସ ବିଭାଗର କେତେକ କହୁଛନ୍ତି।

Image Courtesy of Siasat

ରାଜ୍ୟର ଅନ୍ୟ ସଂସ୍ଥାନ ଭଳି ପୁଲିସ ବିଭାଗ ମଧ୍ୟ ସାମ୍ବିଧାନିକ ଧାରାରେ ଧର୍ମନିରପେକ୍ଷ ଆଦର୍ଶରେ ଆଧାରିତ। ତେଣୁ ସେମାନେ କୌଣସି ଧାର୍ମିକ ସଙ୍କେତ, ଈଶ୍ୱର କିଂବା ପବିତ୍ର ଚିହ୍ନ ରହିବା କଥା ନୁହେଁ। ତଥାପି କୃଷ୍ଣଙ୍କ ଚିତ୍ର ଥିବା ବ୍ୟାଜ୍‌ ନୂତନ ୟୁନିଫର୍ମରେ ସିଲାଇ କରାଯିବାକୁ ପ୍ରସ୍ତାବ ଦିଆ ଯାଇଛି। ଏହା ୟୁନିଫର୍ମ ଉପରେ ସ୍ପଷ୍ଟ ଭାବେ ଦେଖାଯିବ। ଡିଜାଇନ୍‌ ହୋଇ ଥିବା ଲୋଗୋଟି ଚୂଡ଼ାନ୍ତ ବୋଲି ଜଣା ପଡ଼ିଥିଲେ ସୁଦ୍ଧା ବର୍ତ୍ତମାନ ପ୍ରସ୍ତାବଟି ପୁଲିସ ମହାନିର୍ଦେଶକଙ୍କ କାର୍ଯ୍ୟାଳୟରେ ରହିଛି।

ଅନେକ ଏହି ଲୋଗୋକୁ ଉତ୍ତର ପ୍ରଦେଶ ସରକାରଙ୍କର ଗୈରିକୀକରଣ ଆଜେଣ୍ଡା ବୋଲି ବିଚାରୁଛନ୍ତି। ରାଜ୍ୟ ରାଜଧାନୀ ଏବଂ ରାଜ୍ୟବ୍ୟାପୀ ଥିବା ସମସ୍ତ ସରକାରୀ ଭବନକୁ ଗେରୁଆ ରଙ୍ଗ କରାଯିବାର ଯୋଜନା ସହ ନୂତନ ବ୍ୟାଜ୍‌ ପ୍ରସ୍ତାବ ମଧ୍ୟ ମେଳ ଖାଇ ଯାଉଛି।

ପୂର୍ବତ୍ତନ ଡିଜିପି ବ୍ରଜ ଲାଲ୍‌ କହନ୍ତି: ପୁଲିସ ଧର୍ମନିରପେକ୍ଷତା ଭାବମୂର୍ତ୍ତୀ ଉପରେ ଆଞ୍ଚ ଆଣୁଥିବାରୁ ଏ ଭଳି ଲୋଗୋକୁ ଅନୁମତି ଦିଆଯିବା ଅନୁଚିତ।

କଂଗ୍ରେସର ଜାତୀୟ ମୁଖପାତ୍ର ବିବେକ ବଂଶଲ କହନ୍ତି: ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ସରକାର କୌଣସି ଧର୍ମର ପୃଷ୍ଠପୋଷକତା କିଂବା ପ୍ରଚାର କରିବା ଅନୁଚିତ। ସବୁ ଧର୍ମର ପର୍ଯ୍ୟଟକ ଆସୁଥିବାରୁ ବୃନ୍ଦାବନ ପର୍ଯ୍ୟଟନ କେବଳ ହିନ୍ଦୁମାନଙ୍କର ନୁହେଁ। ଏହି ଲୋଗୋଟି ସମ୍ବିଧାନର ଉଲ୍ଲଂଘନ କରିବ।

Image Courtesy of Times Now

କିନ୍ତୁ, ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି, କୃଷ୍ଣଙ୍କ ଚିତ୍ର ଥିବା ସେ ଲୋଗୋରେ କୌଣସି ଅସୁବିଧା ନାହିଁ। ସମସ୍ତେ ଜାଣନ୍ତି ମଥୁରା ଏବଂ ବୃନ୍ଦାବନ କୃଷ୍ଣଙ୍କର ଜନ୍ମଭୂମି। ତେଣୁ ଲୋଗୋରେ ଭଗବାନଙ୍କର ଚିତ୍ରଟିଏ ରଖିବାରେ ଭୁଲ୍‌ କେଉଁଠି?

ଏସ୍‌ଏସ୍‌ପି ମାଙ୍ଗେନ୍‌ କହନ୍ତି: ଆଗ୍ରା ଯେମିତି ତାଜମହଲ ପାଇଁ ପ୍ରସିଦ୍ଧ, ମଥୁରା ସେମିତି ବାଙ୍କେ ବିହାରୀଙ୍କ ମନ୍ଦିର ପାଇଁ ପ୍ରସିଦ୍ଧ। ଏଠାରେ ବାଙ୍କେ ବିହାରୀ ଶ୍ରୀକୃଷ୍ଣଙ୍କର ଅନ୍ୟ ଏକ ନାମ। ଏହି ଲୋଗୋ ପୁଲିସମାନଙ୍କୁ ଏକ ଭିନ୍ନ ପରିଚୟ ଦେବ। ବିଦେଶୀ ପର୍ଯ୍ୟଟକଙ୍କୁ ସହଯୋଗ କରିବାକୁ ଇଂରାଜୀରେ ଉତ୍ତମ ଜ୍ଞାନ ଥିବା ପୁଲିସ ଅଧିକାରୀମାନଙ୍କୁ ବୃନ୍ଦାବନକୁ ଅଣାଯିବ। ଏଭଳି ଅଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କର ସାକ୍ଷାତ୍‌କାର ନେବା କାର୍ଯ୍ୟ ଚାଲିଛି। ଡିସେମ୍ବର ମାସ ଶେଷ ସୁଦ୍ଧା ସେମାନଙ୍କୁ ଅଣାଯିବ।

ସମ୍ବନ୍ଧିତ ଖବର