‘ତାଲିବାନ୍‌ର ଜନକ’ କୁହାଯାଉଥିବା ମୌଲାନା ସାମି-ଉଲ୍‌-ହକ୍‌ ପାକିସ୍ତାନରେ ନିହତ

ଇସ୍‌ଲାମାବାଦ୍‌: ‘ତାଲିବାନ୍‌ର ଜନକ’ ନାମରେ ଜଣାଶୁଣା ମୌଲାନା ସାମିଉଲ୍‌ ହକ୍‌ ରାଓ୍ଵଲପିଣ୍ଡି ଠାରେ ନିହତ ହୋଇଛନ୍ତି ବୋଲି ଖବର ମିଳିଛି।
ମୁସଲମାନ୍‌ ସନ୍ଥ ସାମି-ଉଲ୍‌-ହକ୍‌ଙ୍କୁ ଶୁକ୍ରବାର ଦିନ ପାକିସ୍ତାନୀ ସହରରେ ହତ୍ୟା କରାଯାଇଥିବା କଥା ତାଙ୍କର ଜଣେ ଆତ୍ମୀୟ ଏବଂ ତାଙ୍କ ଡେପୁଟି କହିଛନ୍ତି। କିଛି ଆଫ୍‌ଗାନ୍‌ ଇସ୍‌ଲାମୀୟ ଆନ୍ଦୋଳନର ନେତାଙ୍କୁ ସେ ଶିକ୍ଷାଦାନ କରିଥିବାରୁ ସେ ‘ତାଲିବାନ୍‌ର ଜନକ’ ଭାବେ ପରିଚିତ ଥିଲେ।

ଉତ୍ତର-ପଶ୍ଚିମ ପାକିସ୍ତାନରେ ଗୋଟାଏ ଇସ୍‌ଲାମିକ୍‌ ସ୍କୁଲ୍‌ ଚଳାଉଥିବା ଏହି ଜଣାଶୁଣା ମୌଲବିଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି ମାରି ହତ୍ୟା କରିଥିବା କଥା ତାଙ୍କର ଡେପୁଟି ୟୋଉସଫ୍‌ ଶା’ ଏବଂ ପୁତୁରା କହିଛନ୍ତି। ସେମାନେ କହିଛନ୍ତି, ଗତ ସପ୍ତାହରେ ସେ ରାଜଧାନୀ ଇସ୍‌ଲାମାବାଦ୍‌ ଭ୍ରମଣରେ ଯାଇଥିଲେ, କିନ୍ତୁ ଗୁଳିକାଣ୍ଡ ବିଷୟରେ ଅଧିକ ବିବରଣୀ ଅସ୍ପଷ୍ଟ ରହିଛି। କେତେକ ସାମାଜିକ ଗଣମାଧ୍ୟମ କହିଛନ୍ତି, ହତ୍ୟା କରାଯିବା ବେଳେ ଉଲ୍‌-ହକ୍‌ ରାଓ୍ଵଲ୍‌ପିଣ୍ଡି ଠାରେ ଥିଲେ।

ସାମିଉଲ୍‌ ହକ୍‌ ଥିଲେ ଜାମିଆତ୍‌ ଉଲେମା-ଇ-ଇସ୍‌ଲାମ୍‌ର ମୁଖ୍ୟ ଏବଂ ହତ୍ୟା ଉଦ୍ୟମରେ ମରିଛନ୍ତି ବୋଲି ଅନ୍ୟ ଏକ ସମ୍ବାଦ ସରବରାହ ସଂସ୍ଥା କହିଛି।

୧୯୮୫ ରୁ ୧୯୯୧ ଏବଂ ପୁଣି ୧୯୯୧ ରୁ ୧୯୯୭ ଯାଏଁ ସେ ଦୁଇ ଥର ପାକିସ୍ତାନ ସିନେଟ୍‌ର ସଦସ୍ୟ ଥିଲେ।

ତାଲିବାନ୍‌ ନେତା ମୁଲ୍ଲା ମହମ୍ମଦ୍‌ ଓମାରଙ୍କ ସହ ସାମିଉଲ୍‌ ହକ୍‌ଙ୍କର ନିବିଡ଼ ସମ୍ପର୍କ ଥିଲା।

ସେ ମଧ୍ୟ ଖାଇବର ପାଖତୁନ୍‌ଖ୍ଵାର ଅକୋରା ଖଟ୍ଟକ୍‌ ଠାରେ ଥିବା ଦାରୁଲ୍‌ ଉଲୂମ୍‌ ହାକ୍କିନିଆ ସେମିନାରିର ମୁଖ୍ୟ ଥିଲେ ବୋଲି ‘ଡନ୍‌’ ରିପୋର୍ଟ କରିଛି।

ସମ୍ବନ୍ଧିତ ଖବର