ଜୀବନ୍ତ ଶିଶୁକୁ ମୃତ ଘୋଷଣା କରିଥିବା ମାକ୍ସ ହସ୍ପିଟାଲ୍‌ର ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: ଜଣେ ଜୀବନ୍ତ ନବଜାତକକୁ ଦିଲ୍ଲୀର ସାଲିମାର ବାଗ୍‌ ମାକ୍ସ ହସ୍ପିଟାଲ୍‌ ମୃତ ଘୋଷଣା କରିଥିବାରୁ ଦିଲ୍ଲୀ ସରକାର ହସ୍ପିଟାଲ୍‌ର ଲାଇସେନ୍ସ ରଦ୍ଦ କରି ଦେଇଛନ୍ତି। ବର୍ତ୍ତମାନ ହସ୍ପିଟାଲ୍‌କୁ କୌଣସି ନୂଆ ରୋଗୀ ଯାଇପାରିବେ ନାହିଁ। ହସ୍ପିଟାଲ୍‌ର ଏପରି ଅବହେଳା ଆଦୌ ଗ୍ରହଣୀୟ ନୁହେଁ ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜୈନ କହିଛନ୍ତି। ଜୀବନ୍ତ ଶିଶୁକୁ ମୃତ ଘୋଷଣା ମାମଲା ନେଇ ତଦନ୍ତ ହେବା ପରେ ହସ୍ପିଟାଲ୍‌ ଦୋଷୀ ବୋଲି ସ୍ପଷ୍ଟ ହେବାରୁ ସରକାର ଏହି ନିଷ୍ପତ୍ତି ଶୁଣାଇଛନ୍ତି। ପୂର୍ବରୁ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ରୋଗୀ ସେମାନଙ୍କ ଚିକିତ୍ସା ପୂରା ନ ହେବା ପର୍ଯ୍ୟନ୍ତ ସେଠାରେ ଚିକିତ୍ସିତ ହୋଇପାରିବେ।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୩୦ ତାରିଖରେ ମାକ୍ସ ହସ୍ପିଟାଲାରେ ୨ ଜଣ ଯାଆଁଳା ଅପରିପକ୍ୱ ଶିଶୁ ଜନ୍ମ ନେଇଥିଲେ। ଗତ ଗୁରୁବାର ଦିନ ଏହି ଶିଶୁ ଦ୍ୱୟ ମୃତ ବୋଲି ହସ୍ପିଟାଲ୍‌ ପକ୍ଷରୁ ତାଙ୍କ ପରିବାର ବର୍ଗଙ୍କୁ କୁହାଯାଇଥିଲା। ଏପରିକି ଶିଶୁ ୨ଜଣଙ୍କୁ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ପୂରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ପରିବାର ଲୋକ ଦେଖିଲେ ଯେ ସେମାନଙ୍କ ମଧ୍ୟରୁ ଜଣେ ଶିଶୁ ଜୀବିତ ଅଛି। ଶିଶୁଟିର ମାଆ ତାକୁ ନେଇ ଅନ୍ୟ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଅନ୍ୟ ହସ୍ପିଟାଲ୍‌ରେ ଡାକ୍ତରମାନେ ଶିଶୁଟି ବଞ୍ଚିଥିବା ସୂଚନା ଦେଇଥିଲେ। ଏହାପରେ ମାକ୍ସ ହସ୍ପିଟାଲ୍‌ ବିରୋଧରେ ପୁଲିସରେ ଅଭିଯୋଗ ହୋଇଥିଲା।

ଶୁକ୍ରବାର ଦିନ ଘଟଣାର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା ପରେ ଦିଲ୍ଲୀ ପୁଲିସ୍‌ ମାକ୍ସ କର୍ତ୍ତୃପକ୍ଷଙ୍କୁ ଏକ ନୋଟିସ୍‌ ପଠାଇଥିଲେ। ଏହା ପରେ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରାଯାଇଥିଲା। ଏହି ମାମଲାର ଉପଯୁକ୍ତ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଶିଶୁଟିର ପରିବାର ଲୋକ ଦାବି କରିଥିଲେ।

ଶିଶୁଟିର ଚିକିତ୍ସାରେ ସଂପୃକ୍ତ ଥିବା ୨ ଡାକ୍ତରଙ୍କୁ ନିକଟରେ ଚାକିରିରୁ ବହିଷ୍କାର କରାଯାଇଥିଲା। ବହୁ ତଦନ୍ତ ହେବା ପରେ ଶୁକ୍ରବାର ଏହି ମାମଲାରେ ହସ୍ପିଟାଲର ତ୍ରୁଟି ପରିଲକ୍ଷିତ ହେବା ପରେ ହସ୍ପିଟାଲ୍‌ର ଲାଇସେନ୍ସକୁ ରଦ୍ଦ କରି ଦିଆଯାଇଛି।

ସମ୍ବନ୍ଧିତ ଖବର