ପ୍ରଧାନମନ୍ତ୍ରୀ ହେବାକୁ ଇଛା ଜାହିର୍‌ କଲେ ମାୟାବତୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ହେବାପାଇଁ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ଆଜି ତାଙ୍କର ମନକଥାକୁ ନିର୍ବାଚନୀ ସଭାରେ କହିଛନ୍ତି। ମାୟାବତୀ କହିଛନ୍ତି ଯେ ଏହି ନିର୍ବାଚନ ପରେ ଯଦି ପ୍ରଧାନମନ୍ତ୍ରୀ ହେବାପାଇଁ ତାଙ୍କ ନିମନ୍ତେ ସୁଯୋଗ ସୃଷ୍ଟିହେବ ତା’ହେଲେ ସେ ଆମ୍ବେଦକର ନଗରରୁ ଲୋକସଭା ନିର୍ବାଚନ ଲଢ଼ିବେ। ସୂଚନାଯୋଗ୍ୟ ମାୟାବତୀ ଏହି ଆସନରୁ ୪ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଆଜି ଏଠାରେ ଏକ ରୢାଲିକୁ ଉଦ୍‌ବୋଧନ ଦେଇ ମାୟାବତୀ କହିଛନ୍ତି ଯେ ଏବେ ‘ନମୋ ନମୋ’ର ଯୁଗ ଶେଷ ହୋଇଯାଇଛି ଏବଂ ‘ଜୟ ଭୀମ୍‌’ ଯୁଗ ଆରମ୍ଭ ହୋଇଯାଇଛି।
ମାୟାବତୀ ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସ୍ବପ୍ନ ପୂରଣ କରିବା ନିମନ୍ତେ ଏବେ ବିଶେଷ ଭାବେ ସମାଜବାଦୀ ପାର୍ଟି ଉପରେ ନିର୍ଭରଶୀଳ ଥିଲେ ମଧ୍ୟ ଏ ନେଇ ସପା ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ସେ କହିଛନ୍ତି ଯେ ଏବେଠାରୁ ଏ ସଂପର୍କରେ କିଛି କହିହେବ ନାହିଁ ଏବଂ ମେ’ ୨୩ ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ଆର୍‌ଏଲ୍‌ଡି ମହାମେଣ୍ଟ ଗଠନ କରି ନିର୍ବାଚନ ଲଢ଼ୁଛନ୍ତି। ମହାମେଣ୍ଟର ସଫଳତା ଏବଂ ଅଖିଳେଶଙ୍କ ସମର୍ଥନ ଉପରେ ମାୟାବତୀଙ୍କ ପ୍ରଧାନମନ୍ତ୍ରୀ ହେବା ଯୋଜନା ନିର୍ଭର କରୁଥିବା ବେଳେ ତୃତୀୟ ସାମ୍ମୁଖ୍ୟର ସ୍ଥିତି କ’ଣ ହେବ ତାହା ନିର୍ବାଚନ ପରିଣାମ ଆସିବା ପରେ ହିଁ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର