ମି ଠୁ ଆନ୍ଦୋଳନ, ଆକବରଙ୍କ ଅଡ଼ଆ ବଢ଼ିଲା

ବିଦେଶୀ ସାମ୍ବାଦିକାଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ, ସୋସିଆଲ ମିଡିଆରେ ସବୁ ସତ ନୁହଁ: ଅମିତ ଶାହ

ନୂଆଦିଲ୍ଲୀ: ଦେଶରେ ମି ଠୁ ଆନ୍ଦୋଳନ ବ୍ୟାପକ ହେଉଥିବା ବେଳେ ପ୍ରତିଦିନି ସେଲିବ୍ରିଟିଙ୍କ ବିରୋଧରେ ନୂଆ ନୂଆ ଅଭିଯୋଗ ହଇଚଇ ସୃଷ୍ଟି କରିଛି। ସିନେମା, ରାଜନୀତି, କ୍ରିଡ଼ା ଓ କର୍ପୋରେଟ ଜଗତରେ ଏହା ଝଡ଼ ସୃଷ୍ଟି କରିଛି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌ ଜେ ଆକବରଙ୍କ ବିରୋଧରେ ଆଜି ଆଉ ଜଣେ ବିଦେଶୀ ସାମ୍ବାଦିକା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସିଏନ୍‌ଏନ୍‌ ସାମ୍ବାଦିକା ଏମ୍‌ଡି ପୟ କ୍ୟାମ୍ପ୍‌ କହିଛନ୍ତି ଯେ ସେ ୨୦୦୭ ମସିହାରେ ଏସିଆନ୍‌ ଏଜ୍‌ ଖବର କାଗଜରେ ଇଣ୍ଟର୍ନସିପ୍ କରୁଥିଲେ। ଇଣ୍ଟର୍ନସିପ୍‌ର ଶେଷ ଦିବସରେ ତାଙ୍କୁ ଆକବର ବଳପୂର୍ବକ ଆଲିଙ୍ଗନ କରି ଓଠରେ ଚୁମ୍ବନ ଦେଇଥିଲେ। ସେତେବେଳେ ତାଙ୍କୁ ୧୮ ବର୍ଷ ହୋଇଥିଲା ବୋଲି ପୟ କ୍ୟାମ୍ପ କହିଛନ୍ତି। ହଫ୍‌ ପୋଷ୍ଟକୁ ଦେଇଥିବା ସାକ୍ଷାତକାରରେ ପୟ କ୍ୟାମ୍ପ୍‌ ଆକବରଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ମାମଲା ଆହୁରି ସରଗରମ ହୋଇଛି। କେନ୍ଦ୍ରମନ୍ତ୍ରୀ ଆକବରଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ନିଶ୍ଚିତ ତଦନ୍ତ ହେବ ଏବଂ ପ୍ରକୃତ ସତ୍ୟ କ’ଣ ତାହା ସାମ୍ନାକୁ ଆସିବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି। ତେବେ ସତ୍ୟାସତ୍ୟ ଯାଞ୍ଚ ନକରି ଏ ବାବଦରେ କୌଣସି ସିଦ୍ଧାନ୍ତରେ ଆମେ ଉପନୀତ ହୋଇପାରିବୁ ନାହିଁ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଆକବରଙ୍କ ବିରୋଧରେ ୧୦ ଜଣ ମହିଳା ସାମ୍ବାଦିକ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତେବେ ସୋସିଆଲ ମିଡିଆରେ ମିଥ୍ୟା ଅଭିଯୋଗ ମଧ୍ୟ ପୋଷ୍ଟ ହେଉଛି। ସବୁ ପୋଷ୍ଟ ସତ ନୁହଁ ଏବଂ ଏଥିପ୍ରତି ସତର୍କତା ଅବଲମ୍ବନ କରାଯିବା ଉଚିତ ବୋଲି ଶାହ କହିଛନ୍ତି। ଏବେ ଆଫ୍ରିକା ଗସ୍ତରେ ଥିବା ଆକବର ଆସନ୍ତାକାଲି ଭାରତ ପହଞ୍ଚିବେ।

ଖୋଲା ଚିଠି ଲେଖିଲେ ବିଜ୍ଞାପନ ଶିଳ୍ପର ମହିଳା ଅଧିକାରୀ
ନୂଆଦିଲ୍ଲୀ: ଦେଶରେ ଏବେ ମି ଠୁ ଆନ୍ଦୋଳନ ଚାଲିଛି। ଏହି ପରିପ୍ରେକ୍ଷୀରେ ବିଜ୍ଞାପନ, ଡିଜାଇନ ଓ ଗଣମାଧ୍ୟମ କ୍ଷେତ୍ରର ବରିଷ୍ଠ ମହିଳା ଅଧିକାରୀମାନେ ଏକତ୍ର ହୋଇ ଏହି ଅଭିଯାନକୁ ସମର୍ଥନ ଜଣାଇଛନ୍ତି। କର୍ମକ୍ଷେତ୍ରରେ ହେଉଥିବା ଯୌନ ନିର୍ଯାତନାକୁ ରୋକିବା ଲାଗି ସେମାନେ ଏକ ଖୋଲା ଚିଠି ‌ମଧ୍ୟ ଲେଖିଛନ୍ତି। ବିଭିନ୍ନ କମ୍ପାନିର ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଅବସ୍ଥାପିତ ଏହି ମହିଳାମାନେ ସେମାନଙ୍କ ଚିଠିରେ ଲେଖିଛନ୍ତି କର୍ମକ୍ଷେତ୍ରରେ କୌଣସି ପ୍ରକାର ନିର୍ଯାତନା ଠିକ ନୁହେଁ। କୌଣସି ବ୍ୟକ୍ତି ସେମାନଙ୍କ ପଦବି ଏବଂ ଲିଙ୍ଗଗତ କ୍ଷମତାର ଦୁରୁପଯୋଗ କରି କାହାରିକୁ ହଇରାଣ କରାଯାଇ ପାରିବ ନାହିଁ। ସବୁ କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟକୁ ନିରାପଦ କରାନଗଲେ ଶିଳ୍ପ ଆଗକୁ ବଢ଼ିପାରିବ ନାହିଁ ବୋଲି‌ ସେମାନେ ମତ ଦେଇଛନ୍ତି। ବିଜ୍ଞାପନ, ଡିଜାଇନ ଏବଂ ଗଣମାଧ୍ୟମ ଶିଳ୍ପରେ କାର୍ଯ୍ୟରତ ମହିଳାଙ୍କ ଉଦ୍ଦେଶ୍ୟରେ ସେମାନେ ଏହି ଚିଠି ଲେଖିଛନ୍ତି। ଏହି ଚିଠିରେ ଦସ୍ତଖତ କରିଥିବା ମହିଳା ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଜେଡବ୍ଲୁଟିର ରିଜିଓନାଲ କ୍ରିଏଟିଭ ଡାଇରେକ୍ଟର ତିସ୍ତା ସେନ, ଓଗିଲଭି ୱେଷ୍ଟର ଚିଫ କ୍ରିଏଟିଭ ଅଫିସର କାଇନାଜ କର୍ମକାର, ଏଫସିବି ଉଲକାର ଚିଫ କ୍ରିଏଟିଭ ଅଫିସର ସ୍ବାତୀ ଭଟ୍ଟାଚାର୍ଯ୍ୟ ପ୍ରମୁଖ।

ସମ୍ବନ୍ଧିତ ଖବର