‘#ମି ଠୁ’ ଖାଇଲା ମନ୍ତ୍ରୀ ପଦ : ଶେଷରେ ଇସ୍ତଫା ଦେଲେ ଆକବର

ନୂଆଦିଲ୍ଲୀ : ବଲିଉଡ୍‌, ଗଣମାଧ୍ୟମ, କଳା ଓ ସାହିତ୍ୟ ଏବଂ କ୍ରୀଡ଼ା ଭଳି କ୍ଷେତ୍ରରେ ଚହଳ ପକାଇଥିବା ‘#ମି ଠୁ’ ଅଭିଯାନ ଆଜି ତାହାର ଅସଲ ଶକ୍ତି ଦେଖାଇଛି। ବିଭିନ୍ନ କ୍ଷେତ୍ରର ସେଲିବ୍ରିଟିଙ୍କ ପୂର୍ବ କଳା କାରନାମାର ପର୍ଦ୍ଦାଫାସ କରୁଥିବା ଏହି ଅଭିଯାନ ଶେଷ‌େର ରାଜନୀତି କ୍ଷେତ୍ରରେ ଏକ ବଡ଼ ମୁଣ୍ଡ ନେଇଛି। ମି ଠୁ ଅଭିଯାନ ମାଧ୍ୟମରେ ଡଜନେରୁ ଅଧିକ ଯୌନ ନିର୍ଯାତନା ଅଭିଯୋଗର ସାମ୍ନା କରୁଥିବା ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର ବୁଧବାର ତାଙ୍କ ପଦରୁ ଇସ୍ତଫା‌ ଦେଇଛନ୍ତି। ସୋମବାର ଆକବର ଜଣେ ଅଭିଯୋଗକାରିଣୀଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିଥିଲେ ହେଁ, ଅନ୍ୟମାନଙ୍କ ପକ୍ଷରୁ ତୀବ୍ର ସମାଲୋଚନାର ଶିକାର ହୋଇ ଶେଷରେ ସେ ହାର୍‌ ମାନିଛନ୍ତି।

ଏକ ବିବୃତି ଜାରି କରି ଆକବର କହିଛନ୍ତି, ‘ମୋ ବିରୋଧରେ ଆସିଥିବା ଅଭିଯୋଗ ନେଇ ମୁଁ ବ୍ୟକ୍ତିଗତ ଭାବେ କୋର୍ଟର ଦ୍ବାରସ୍ଥ ହୋଇଛି। ବ୍ୟକ୍ତିଗତ ଭାବେ ଏହି ମାମଲା ଲଢ଼ିବାକୁ ଯାଉଥିବାରୁ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ସ୍ଥିର କରିଛି।’ ଦେଶର ସେବା କରିବା ଲାଗି ତାଙ୍କୁ ସୁଯୋଗ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଇଂରାଜୀ ଖବରକାଗଜ ‘ଏସିଆନ୍‌ ଏଜ୍‌’ରେ ସମ୍ପାଦକ ଥିବାବେଳେ ଆକବର ତାଙ୍କ ପଦବିର ଦୁରୁପଯୋଗ କରି ଅନେକ ମହିଳା ସାମ୍ବାଦିକଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିବା ଅଭି‌େଯାଗ ହୋଇଛି। ପ୍ରିୟା ରମାନି ମି ଠୁ ଅଭିଯାନରେ ସାମିଲ ହୋଇ ପ୍ରଥମେ ଆକବରଙ୍କ ବିରୋଧରେ ଟ୍ବିଟର୍‌ରେ ସ୍ବର ଉଠାଇଥିଲେ। ହୋ‌େ‌ଟଲ୍‌ ରୁମ୍‌ରେ ସେ କିଭଳି ତାଙ୍କ ସହିତ ଅସଦାଚରଣ କରିଥିଲେ, ସେ ନେଇ ରମାନି ବିସ୍ତୃତ ଭାବେ ଦର୍ଶାଇଥିଲେ। ଏହାପରେ ଜଣକ ପରେ ଜଣେ ଆଉ ୧୧ ଜଣ ମହିଳା ମଧ୍ୟ ଆକବରଙ୍କୁ ଟାର୍ଗେଟ କରି ଅଭିଯୋଗମାନ ଆଣିଥିଲେ। କିନ୍ତୁ ଆକବର ଏ ସବୁ ଅଭିଯୋଗକୁ ଖଣ୍ଡନ କରିବା ସହିତ ଆଇନର ଦ୍ବାରସ୍ଥ ହୋଇଥିଲେ।

ଗତ ରବିବାର ବିଦେଶରୁ ଫେରିବା ପରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଆକବର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ଏମିତି କି ଏହାକୁ ଚାଲେଞ୍ଜ୍ କରି ସେ ଆଇନର ଦ୍ବାରସ୍ଥ ହେବେ ବୋଲି ସ୍ପଷ୍ଟ କରିଥିଲେ। କିନ୍ତୁ ଇସ୍ତଫା ଦେବେନାହିଁ ବୋଲି କହିଥିଲେ। ଏହାର ଦିନକ ପରେ ଅର୍ଥାତ୍ ସୋମବାର ଆକବର ଦିଲ୍ଲୀର ଏକ କୋର୍ଟରେ ସାମ୍ବାଦିକ ପ୍ରିୟା ରମାନିଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିଥିଲେ। ଫଳରେ ଘଟଣା ଭିନ୍ନ ମୋଡ଼ ନେଇଥିଲା। ଆକବର ନିଜକୁ ସ୍ବଚ୍ଛ ପ୍ରମାଣିତ କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ତାଙ୍କର ଏଭଳି ମନ୍ତବ୍ୟକୁ ଅନ୍ୟ ଅଭିଯୋଗକାରିଣୀ କଠୋର ସମାଲୋଚନା କରିଥିଲେ।

ଆକବରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭି‌େଯାଗ ଆଣିଥିବା ଡଜେନରୁ ଊର୍ଦ୍ଧ୍ବ ମହିଳାଙ୍କୁ ସମର୍ଥନ ଜଣାଇ ଗତକାଲି ଆଉ ୨୦ ଜଣ ସାମ୍ବାଦିକା ଏକତ୍ରିତ ହୋଇଥିଲେ। ଆକବରଙ୍କ ବିରୋଧରେ ସେମାନେ ଅଭିଯୋଗ କରିବେ ବୋଲି ଧମକ ଦେଇଥିଲେ। ଏମିତି କି କୋର୍ଟ ତାଙ୍କ ଅଭିଯୋଗଗୁଡ଼ିକୁ ଶୁଣାଣି ପାଇଁ ଗ୍ରହଣ କରନ୍ତୁ ବୋଲି ସେମାନେ ଅନୁରୋଧ କରିଥିଲେ। ଫଳରେ ଘଟଣା ଅତ୍ୟନ୍ତ ସଙ୍ଗିନ୍‌ ହେବାରେ ଲାଗିଥିଲା। ଆକବରଙ୍କ ବିରୋଧ‌େର ଯଦିଓ ଡଜ‌େନ ମହିଳା ସାମ୍ବାଦିକ ଅଭିଯୋଗ କରିଥିଲେ, ସେ କିନ୍ତୁ କେବଳ ରମାନିଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିଥିଲେ।

୨୦ ମହିଳା ସାମ୍ବାଦିକ ଏକ ମିଳିତ ବିବୃତିରେ କହିଛନ୍ତି ଯେ ମାନହାନି ମୋକଦ୍ଦମା କରି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ନିଜ କଲା କର୍ମ ପାଇଁ ଆତ୍ମସମୀକ୍ଷା କରିବାକୁ ଅସହମତି ପ୍ରକାଶ କରିଛନ୍ତି। ଏହାଦ୍ବାରା ପୀଡ଼ିତା ମହିଳାମାନଙ୍କ ମର୍ଯ୍ୟାଦା କ୍ଷୁଣ୍ଣ ହୋଇଛି ବୋଲି ସେମାନେ ଦର୍ଶାଇଛନ୍ତି। ପ୍ରକୃତରେ ଏମ୍‌.ଜେ ଆକବର ତାଙ୍କ ସାମ୍ବାଦିକତା କ୍ୟାରିୟର୍‌ ମଧ୍ୟରେ ବର୍ଷ ବର୍ଷ ଧରି ଅନେକ ମହିଳାଙ୍କୁ କ୍ଷତି ପହଞ୍ଚାଇଛନ୍ତି। ଏହାସତ୍ତ୍ବେ ‌ସେ ରାଜନୀତି କ୍ଷେତ୍ର‌େର ପ୍ରବେଶ କରି ଜଣେ ସାଂସଦ ଓ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରଚୁର କ୍ଷମତା ଉପଭୋଗ କରୁଛନ୍ତି। ଏହା ଠିକ୍ ନୁହେଁ ବୋଲି ସେମାନେ ଦର୍ଶାଇବା ସହିତ ତାଙ୍କ ବିରୋଧରେ ସେମାନେ ପ୍ରମାଣ ଦେବାକୁ ପ୍ରସ୍ତୁତ ବୋଲି କହିଥିଲେ। ସେମାନେ ଆହୁରି କହିଥି‌େଲ କି ଆକବର ତାଙ୍କ ସାମ୍ବାଦିକତା ଜୀବନରେ ଅନେକ ପେସାଦାର ମହିଳାଙ୍କୁ ନିର୍ଯାତନା ଦେଇଥିଲେ। ଅନେକ ମହିଳା ସାମ୍ବାଦିକଙ୍କ ସାମ୍ନାରେ ଏହା ବାରମ୍ବାର ଘଟିଛି। ତେଣୁ ସେମାନେ ଏଥିପାଇଁ ସ୍ବର ଉଠାଇବାକୁ ପ୍ରସ୍ତୁତ ବୋଲି ୨୦ ସାମ୍ବାଦିକା ନିଜ ବିବୃତିରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜନୀତିରେ ପ୍ର‌େବଶ ପୂର୍ବରୁ ଏମ୍‌. ଜେ ଆକବର ଜଣେ ସାମ୍ବାଦିକ ଭାବେ ଏକାଧିକ ବଡ଼ ଗଣମାଧ୍ୟମ ସଂସ୍ଥାରେ ସମ୍ପାଦକ ରହିଥିଲେ। ସମ୍ପାଦକ ଥିବା ବେଳେ ସେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ହୋଟେଲ୍‌ ରୁମ୍‌ରେ ସାକ୍ଷାତକାର ବେଳେ ଆକବର ଅଶ୍ଳୀଳ ଆଚରଣ କରିବା ସହିତ ଯୁବତୀମାନଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ କରାଯାଇଛି। ପ୍ରିୟା ରମାନିଙ୍କୁ ଛାଡ଼ି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଅନ୍ୟ ସାମ୍ବାଦିକାମାନେ ହେଲେ ବ୍ରିଟେନ୍‌ର ରଥ୍‌ ଡେଭିଡ୍‌, ଆମେରିକାର ମଜ୍‌ଲି ଡି ପୁ କ୍ୟାମ୍ପ୍, ସବା ନକ୍‌ବି, ଗଜଲା ୱାହାବ, ସୁତାପା ପଲ୍‌, ସୁମା ରାହା, କନିକା ଗେହଲଟ୍‌, ସୁପର୍ଣ୍ଣା ଶର୍ମା, ପ୍ରେରଣା ବିନ୍ଦ୍ରା ଓ କାଦମ୍ବରୀ ୱାଦେ।

ସମ୍ବନ୍ଧିତ ଖବର