ଫାଶୀ ଦେବାପାଇଁ ନିଆଗଲା ନିର୍ଭୟା ଦୋଷୀଙ୍କ ବେକର ମାପ, ଭୋ ଭୋ ହୋଇ କାନ୍ଦିଲେ ଚାରିଜଣ ଦୋଷୀ

ନୂଆଦିଲ୍ଲୀ: ପଟିଆଲା ହାଉସ କୋର୍ଟ ପକ୍ଷରୁ ନିର୍ଭୟା ଦୋଷୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି ହୋଇସାରିଛି | ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଦିଲ୍ଲୀର ତିହାର ଜେଲ୍‌ରେ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବ। ଏହାରି ମଧ୍ୟରେ ଫାଶୀ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ତିହାର ଜେଲ ପକ୍ଷରୁ ଆଜି ୪ ଜଣ ଦୋଷୀଙ୍କ ବେକର ମାପ ନିଆଯାଇଛି | ଏହି ମାପ ହିସାବରେ ୪ ଜଣ ଦୋଷୀଙ୍କ ପାଇଁ ଫାଶୀର ଦଉଡି ପ୍ରସ୍ତୁତ କରାଯିବ | ଏହି ଚାରିଜଣ ଦୋଷୀଙ୍କର ଆଜି ଉଚ୍ଚତା ଓ ଓଜନ ମଧ୍ୟ ମପାଯାଇଛି | ଆଜି ଏହି ମାପ ପ୍ରକ୍ରିୟା ଚାଲିଥିବାବେଳେ ଚାରି ଜଣ ଦୋଷୀ ଭୋ ଭୋ ହୋଇ କାନ୍ଦିଥିବାର ଚର୍ଚ୍ଚା ହେଉଛି | ଏଠାରେ ସୂଚନା ଥାଉ କି ଜେଲ ମାନୁଆଲ ମୁତାବକ ଏସବୁ କାର୍ଯ୍ୟ ଫାଶୀ ଦେବା ପୂର୍ବରୁ ନିର୍ଦ୍ଧାରିତ ପ୍ରକ୍ରିୟାର ଅଂଶ ହୋଇଥାଏ |

ଏହି ୪ ଜଣଙ୍କ ମଧ୍ୟରୁ ୨ ଜଣ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଥିବାରୁ ସୁପ୍ରିମକୋର୍ଟ ଆସନ୍ତା ୧୪ ତାରିଖରେ ଏହି କ୍ୟୁରେଟିଭ୍‌ ପିଟିସନ୍‌ ଉପରେ ଶୁଣାଣି କରିବେ। ଜଷ୍ଟିସ୍‌ ଏନ୍‌ ଭି ରମଣା, ଅରୁଣ ମିଶ୍ର, ଆରଏଫ୍‌ ନରିମାନ୍‌, ଆର ଭାନୁମତୀ, ଏବଂ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ନିର୍ଭୟା ମାମଲାରେ କ୍ୟୁରେଟିଭ୍‌ ପିଟିସନ୍‌ର ଶୁଣାଣି କରିବେ। ଦୋଷୀ ବିନୟ ଶର୍ମା ଏବଂ ମୁକେଶ ଦ୍ବାରା ଗତ ୯ ତାରିଖରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୧୨ରେ ରାଜଧାନୀ ନୂଆଦିଲ୍ଲୀର ଏକ ଚଳନ୍ତା ବସ୍‌ ମଧ୍ୟରେ ଜନୈକା ପାରାମୋଡିକାଲ ଛାତ୍ରୀ ନିର୍ଭୟାଙ୍କୁ ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ଠାକୁର, ମୁକେଶ ସିଂହ ଓ ରାମ ସିଂହ ନିର୍ମମ ଭାବେ ଗଣଦୁଷ୍କର୍ମ କରି ରାଜଧାନୀର ରାଜରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ଏକ ଫାଷ୍ଟଟ୍ରାକ୍‌ କୋର୍ଟରେ ଏହି ମାମଲାର ବିଚାର ହେବା ପରେ ବିଚାରପତି ଏହି ୫ ଜଣଙ୍କୁ ଅପରାଧୀ ଘୋଷିତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ, ଯାହା ପରେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ କାଏମ୍ ରଖିଥିଲେ। ତେବେ, ତିହାର ଜେଲରେ ଥିବା ଏହି ୫ ଜଣ ଅପରାଧୀଙ୍କ ମଧ୍ୟରୁ ରାମ ସିଂହ ଗତ ୨୦୧୩ ମାର୍ଚ୍ଚ ମାସରେ ଆତ୍ମହତ୍ୟା କରିଦେବା ପରେ ଏବେ ଅନ୍ୟ ୪ ଅପରାଧୀ ଏବେ ତିହାର ଜେଲରେ ରହିଛନ୍ତି।

ସମ୍ବନ୍ଧିତ ଖବର