ଦେଶର ପ୍ରଥମ ମହିଳା କୁଲି ମଞ୍ଜୁ ଦେବୀଙ୍କ ସଂଘର୍ଷର କାହାଣୀ ଆଜି ବହୁ ମହିଳାଙ୍କ ପାଇଁ ପାଲଟିଛି ପ୍ରେରଣା

ଜୟପୁର (ରାଜସ୍ଥାନ): ଦିନ ଥିଲା କୁହା ଯାଉଥିଲା, ଏସବୁ କାର୍ଯ୍ୟ କେବଳ ମାତ୍ର ପୁରୁଷମାନଙ୍କ ପାଇଁ; ସେହିପରି କୁହା ଯାଉଥିଲା ଏସମସ୍ତ କାର୍ଯ୍ୟ କେବଳ ମହିଳାମାନଙ୍କ ପାଇଁ। ହେଲେ, ଏବେ ବଦଳିଛି ଯୁଗ। ଯୁଗ ସହିତ ତାଳ ଦେଇ ମଧ୍ୟ ବଦଳିଛି ସମୟ। ତେଣୁ, ଏବେ ଆଉ କୌଣସିଟି କାର୍ଯ୍ୟକ୍ଷେତ୍ର କେବଳ ପୁରୁଷ ବା ମହିଳାମାନଙ୍କ ପାଇଁ ସଂରକ୍ଷିତ ହୋଇ ରହିନାହିଁ। ସେଥିପାଇଁ ଏବେ ପ୍ରତିଟି କାର୍ଯ୍ୟକ୍ଷେତ୍ରରେ ଏବେ ଦେଖିବା ପାଇଁ ମିଳୁଛି ଉଭୟ ପୁରୁଷ ଓ ମହିଳାଙ୍କୁ।ଏହିକ୍ରମରେ ରେଳବାଇରେ କୁଲି କାମ କରିବାକୁ ଆଗେଇ ଆସିଛନ୍ତି ଜନୈକା ମହିଳା। ଉତ୍ତର- ପଶ୍ଚିମ ରେଳବାଇରେ ସର୍ବ ପ୍ରଥମ ମହିଳା କୁଲି ଭାବେ ନିଯୁକ୍ତି ପାଇଛନ୍ତି ମଞ୍ଜୁ ଦେବୀ। କୁଲି ନମ୍ବର ୧୫ ଭାବେ ମଞ୍ଜୁ ଦେବୀଙ୍କୁ ସ୍ୱୀକୃତି ପ୍ରଦାନ କରିଛନ୍ତି ଉତ୍ତର- ପଶ୍ଚିମ ରେଳ ବିଭାଗ।

ମଞ୍ଜୁ ଦେବୀଙ୍କ କାହାଣୀ ଯେତିକି ସଂଘର୍ଷପୂର୍ଣ୍ଣ ଅନ୍ୟମାନଙ୍କ ପାଇଁ ସେତିକି ପ୍ରେଣାଦାୟୀ ମଧ୍ୟ।
ମଞ୍ଜୁ ଦେବୀଙ୍କର ସ୍ୱାମୀ ମହାଦେବ ମଧ୍ୟ ଥିଲେ ଜଣେ କୁଲି। ଏବଂ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ତେବେ, ହଠାତ୍‌ ରୋଗାକ୍ରାନ୍ତ ହୋଇ ମହାଦେବଙ୍କର ପରଲୋକ ହୋଇଗଲା। ସ୍ୱାମୀଙ୍କ ଅକାଳ ବିୟୋଗ ପରେ ସବୁ କିଛି ଅନ୍ଧାର ଦେଖାଗଲା ମଞ୍ଜ ଦେବୀଙ୍କୁ। କାରଣ, ସେତେବେଳକୁ ତାଙ୍କର ତିନିଟି ନାବାଳକ ପିଲା ସ୍କୁଲରେ ପଢ଼ୁଥିଲେ। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତର ପରଲୋକ ହୋଇଯିବା ପରେ ନିଜ ପରିବାରକୁ କେମିତି ଚଳାଇବେ, ସେଥିପାଇଁ ତାଙ୍କୁ କିଛି ହେଲେ ବୁଦ୍ଧିବାଟ ଦିଶି ନଥିଲା। ତାଙ୍କ ଆଡ଼କୁ ସହାୟତାର ହାତ ବଢ଼ାଇବାକୁ ପରିବାରରେ ମଧ୍ୟ ଆଉ କେହି ନଥିଲେ। ଏପରିସ୍ଥିତରେ ମଞକଜୁ ଦେବୀଙ୍କୁ ସାହସ ଦେଇଥିଲେ ତାଙ୍କ ମା’। ପରାମର୍ଶ ଦେଇ କହିଥିଲେ ସ୍ୱାମୀଙ୍କର ସେଇ କୁଲି ବୃତ୍ତିକୁ ଆପଣାଇ ନେବା ପାଇଁ। ପ୍ରଥମେ ତ ଏଥିପାଇଁ ସାହସ ଜୁଟାଇ ପାରୁ ନଥିଲେ ମଞ୍ଜୁ। କାରଣ କେବଳ ମାତ୍ର ପୁରୁଷଙ୍କ ପ୍ରାଧାନ୍ୟ ରହି ଆସିଥିବା କୁଲି ବୃତ୍ତିରେ ସେ ନିଜକୁ ଖାପ ଖୁଆଇବେ କେମିତି? କେମିତି ନିଜକୁ ପ୍ରତିଷ୍ଠିତ କରିବେ ଏଇ କୁଲି ବୃତ୍ତିରେ? ହେଲେ, ତାଙ୍କ ମନର ସବୁ ସଂଶୟକୁ ଦୂର କରିଥିଲେ ତାଙ୍କ ମା।

ଶେଷରେ ମଞ୍ଜୁ ଯାଇ ଉତ୍ତର- ପଶ୍ଚିମ ରେଳବାଇ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ତାଙ୍କ ମୃତ ସ୍ୱାମୀ ମହାଦେବଙ୍କ କୁଲି ଲାଇସେନ୍ସକୁ ତାଙ୍କ ନାମରେ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ହେଲେ, ରେଳବାଇ କର୍ତ୍ତୃପକ୍ଷ ଏଥିରେ ପ୍ରଥମେ ରାଜି ହୋଇପାରି ନଥିଲେ। କାରଣ, ସେ ପର୍ଯ୍ୟନ୍ତ କୁଲି ବୃତ୍ତି କେବଳ ମାତ୍ର ପୁରୁଷ ପ୍ରଧାନ୍ୟ ହୋଇ ରହିଥିଲା। କିନ୍ତୁ ଶେଷରେ ମଞଗଜୁ ଦେବୀଙ୍କ ଜିଦ୍‌ ଆଗରେ ଉତ୍ତର- ପଶ୍ଚିମ ରେଳବାଇ କର୍ତ୍ତୃପକ୍ଷଙ୍କୁ ହାର୍‌ ମାନିବାକୁ ପଡ଼ିଥିଲା। ସେମାନେ ତାଙ୍କ ସ୍ୱାମୀ ମହାଦେବଙ୍କ ୧୫ ନମ୍ବର ବିଶିଷ୍ଟ କୁଲି ବ୍ୟାଚ୍‌ ପ୍ରଦାନ କରିଥିଲେ ମଞ୍ଜୁ ଦେବୀଙ୍କୁ।

ବାସ୍‌ ତା’ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ମଞ୍ଜୁ ଦେବୀ। ନିଜର ପରିଶ୍ରମ ଓ କର୍ତ୍ତବ୍ୟନିଷ୍ଠାକୁ ପାଥେୟ କରି ସେ ବଢ଼ି ଚାଲିଛନ୍ତି ଆଗରୁ ଆଗକୁ। ଆଉ ଉତ୍ତର- ପଶ୍ଚିମ ରେଳବାଇ କର୍ତ୍ତୃପକ୍ଷ ବି କେବେ ପଶ୍ଚାତାପ କରି ନାହାନ୍ତି ମଞ୍ଜୁ ଦେବୀଙ୍କୁ କୁଲି ଲାଇସେନ୍ସ କାହିଁକି ପ୍ରଦାନ କଲେ ବୋଲି। ଆଜି ମଞ୍ଜୁ ଦେବୀ ପାଲଟିଛନ୍ତି ଅନେକ ଅସହାୟା ମହିଳାଙ୍କ ପାଇଁ ପ୍ରେଣାର ଉତ୍ସ। ମଞ୍ଜୁ ଦେବୀଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ଏବେ ବହୁ ମହିଳା ଆଗେଇ ଅସୁଛନ୍ତି ଏହି ବୃତ୍ତିକୁ ନିଜ ପେସା ଭାବେ ଗ୍ରହଣ କରିବା ପାଇଁ।

ସମ୍ବନ୍ଧିତ ଖବର