ଚା’ବିକାଳିରୁ କୋଟିପତି : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ପି.ଅନିଲ

ବେଙ୍ଗାଲୁରୁ : ସମୟ ସମସ୍ତଙ୍କ ପାଇଁ ସବୁବେଳେ ସମାନ ଯାଏ ନାହିଁ । ଭଲ ଖରାପ ସବୁ ବେଳେ ଲାଗି ରହିଥାଏ । ଏହାର ଉଦାହରଣ ଆମେ ଆଗରୁ ଦେଖି ସାରିଛେ । ଚା’ବିକୁଥିବା ଲୋକ ମଧ୍ୟ ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାରମ୍ଭିକ ଜୀବନ ବିଷୟରେ ତ ଆପଣମାନେ ସମସ୍ତେ ଜାଣିଥିବେ । ଦିନେ ପେଟ ପୋଷିବା ପାଇଁ ସେ ଚା’ ବିକୁଥିବା ବେଳେ ଆଜି ସେ ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିଛନ୍ତି । ସେଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ବଜାରରେ ଫଳ ଏବଂ ଚା’ ବିକ୍ରି କରୁଥିବା ଜଣେ ଯୁବକ ଏବେ ଜଣେ ଲକ୍ଷପତି ହୋଇ ପାରିଛନ୍ତି । ଏକଦା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ରିକ୍ସା ଭଡ଼ା ଦେବା ପାଇଁ ପଇସା ନଥିବା ବେଳେ ଏବେ ତାଙ୍କ ପାଖରେ ୧୬ଟି କାର୍‌ ରହିଛି ।

ସେ ହେଉଛନ୍ତି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ସ୍ୱାଧୀନ ପ୍ରାର୍ଥୀ ପି.ଅନିଲ କୁମାର । ନିର୍ବାଚନ ମେ ୧୨ରେ ହେବାକୁ ସ୍ଥିର କରାଯାଇଥିବା ବେଳେ ପି.ଅନିଲ ୩୯୯କୋଟି ଟଙ୍କାର ମାଲିକ ବୋଲି ଜଣା ପଡ଼ିଛି । ଏହା ସହ ସେ ସବୁଠାରୁ ଧନୀ ସ୍ୱାଧୀନ ପ୍ରାର୍ଥୀ ବୋଲି ସୂଚନା ମିଳିଛି । ଖୁବ୍‌ କମ ବୟସରୁ ନିଜ ବାପାଙ୍କୁ ହରାଇଥିବା ଅନିଲ ପିଲା ବୟସରୁ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ମା’ ଘର ଘର ବୁଲି ବାସନ ସଫା କରୁଥିବା ବେଳେ ଘର ସଫା କରୁଥିଲେ । ଖାଇବାକୁ ଟଙ୍କା ଏବଂ ରହିବାକୁ ଘର ନଥିବା ବେଳେ ଅନିଲ ପାଠ ପଢ଼ା ଛାଡ଼ି ବେଙ୍ଗାଲୁରୁ ଆସିଥିଲେ ।

NDTV.com

ପ୍ରଥମେ କାମ ନମିଳିବାରୁ ରାତିରେ ବନ୍ଦ ଦୋକାନ ସାମ୍ନାରେ ଶୋଇବା ସହ ୧୧ ବର୍ଷ ବୟସରୁ ସେ ପାଠ ପଢ଼ା ଛାଡ଼ି ଆମ୍ବ ବିକ୍ରି କରିବା ଆରମ୍ଭ କରିଥିଲେ । ଧୀରେ ଧୀରେ ସେ ରୋଜଗାର କରିବା ଆରମ୍ଭ କରିଥଲେ । ଆମ୍ବ ବିକ୍ରି ଛାଡ଼ି ସେ ନିଜର ଏକ ଚା’ ଦୋକାନ କରିଥିଲେ । ଚା’ର ଚର୍ଚ୍ଚା ସବୁଆଡ଼େ ହେବା ପରେ ସେ ବିଭିନ୍ନ କମ୍ପାନିମାନଙ୍କୁ ଚା’ ଦେବା ଆରମ୍ଭ କରିଥିଲେ । ପରିସ୍ଥିତି ସ୍ୱଚ୍ଛଳ ହେବା ପରେ ସେ ବିବାହ କରିଥିଲେ । ବିବାହ ପରେ ପରେ ସେ ଏକ ଜମି କିଣିଥିଲେ ଯାହା ପରେ ସେ ଦୁଇ ଗୁଣ ଟଙ୍କା ନେଇ ଅନ୍ୟ ଜଣଙ୍କୁ ବିକ୍ରି କରି ଦେଇଥିଲେ । ଏହି ପରି ଭାବରେ ଜମି କିଣା ବିକା କରି ସେ ତାଙ୍କର ରିୟଲ ଇଷ୍ଟେଟ୍‌ର ବ୍ୟବସାୟ ଆରମ୍ଭ ହୋଇଥିଲା ଏବଂ ଆଜି ସଫଳ ହେବା ସହ ୩୯୯କୋଟିର ମାଲିକ ହୋଇ ପାରିଛନ୍ତି ।

ସମ୍ବନ୍ଧିତ ଖବର