ଦୁଇ କୋରିଆ ମୁଖ୍ୟଙ୍କ ଅପ୍ରତ୍ୟାଶିତ ବୈଠକ

ଆଭିମୁଖ୍ୟ ବଦଳାଇଲେ ଟ୍ରମ୍ପ୍‌ ଶିଖର ବୈଠକ ପାଇଁ ଆଶାବାଦୀ

ସିଓଲ/ଓ୍ଵାସିଂଟନ : ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ ଇନ୍‌ ଆଜି ଉତ୍ତର କୋରିଆ ଶାସକ କିମ୍‌୍‌ ଜଙ୍ଗ୍‌ ଉନ୍‌୍‌ଙ୍କ ସହିତ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ଏକ ବୈଠକରେ ମିଳିତ ହୋଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏଭଳି ଅଚାନକ ସାକ୍ଷାତ ଆଲୋଚନା ଆମେରିକା ପାଇଁ ଝଟ୍‌୍‌କା ହୋଇଥିବା ବେଳେ ଆସନ୍ତା ମାସରେ ଶିଖର ବୈଠକ ହେବାନେଇ ପୁଣି ସମ୍ଭାବନା ସୃଷ୍ଟି ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ସିଙ୍ଗାପୁରରେ କିମ୍‌ ଜଙ୍ଗ୍‌୍‌ ଉନ୍‌ଙ୍କ ସହିତ ତାଙ୍କର ଶିଖର ବୈଠକକୁ ବାତିଲ କରିଥିବା ନେଇ ୨ ଦିନ ତଳେ ଘୋଷଣା କରିଥିବା ବେଳେ ଏବେ ଦୁଇ କୋରିଆ ମଧ୍ୟରେ ନିବିଡ଼ତାକୁ ଦେଖି ତାଙ୍କର ମତ ବଦଳାଇଛନ୍ତି। ତେଣୁ ଅନିଶ୍ଚିତତା ସତ୍ତ୍ୱେ ସିଙ୍ଗାପୁରରେ ଜୁନ୍‌ ୧୨ ତାରିଖରେ ପ୍ରସ୍ତାବିତ ଶିଖର ବୈଠକ ହେବ ବୋଲି ଦକ୍ଷିଣ କୋରିଆ ଏବେ ଆଶାବାଦୀ ରହିଛି।
ଆଜି ଦକ୍ଷିଣ ଏବଂ ଉତ୍ତର କୋରିଆ ସୀମାନ୍ତ ଗ୍ରାମ ପାନ୍‌ପୁନଜୋମ୍‌ରେ ମୁନ୍‌ ଏବଂ କିମ୍‌ଙ୍କ ମଧ୍ୟରେ ଅଘୋଷିତ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଦୁଇ ନେତା ଶାନ୍ତି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ଏକ ପରମାଣୁ ଅସ୍ତ୍ର ମୁକ୍ତ କୋରିଆ ଉପଦ୍ୱୀପ ପାଇଁ ଦୁଇ ନେତା ଗୁରୁତ୍ୱାରୋପ କରିଛନ୍ତି। ଟ୍ରମ୍ପ୍‌ଙ୍କ ସହିତ ଉନ୍‌ଙ୍କ ବୈଠକ ବର୍ତ୍ତମାନ ସ୍ଥିତିରେ ଅତି ଜରୁରୀ ଥିବାରୁ ଏହି ପ୍ରକ୍ରିୟାକୁ ଭଣ୍ଡୁର ହେବାକୁ ଦିଆଯିବ ନାହିଁ ବୋଲି ମୁନ୍‌ କହିଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ ମଧ୍ୟ ତାଙ୍କ ଆଭିମୁଖ୍ୟ ନରମ କରି ଆଜି କହିଛନ୍ତି ଯେ ଉତ୍ତର କୋରିଆ ସହ ଫଳପ୍ରଦ କଥାବାର୍ତ୍ତା ପାଇଁ ସେ ଆଗ୍ରହୀ ଅଛନ୍ତି। ଦକ୍ଷିଣ କୋରିଆ ନାଗରିକ ଏବେ କିମ୍‌ଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇ ଥିବା ବେଳେ ଟ୍ରମ୍ପ୍‌ ବିରୋଧୀ ବିକ୍ଷୋଭ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଟ୍ରମ୍ପ୍‌ ବୈଠକରୁ ଓହରିଲେ ଆମେରିକାର ପ୍ରଭାବ କୋରିଆ ଉପଦ୍ୱୀପରେ ଗୌଣ ହୋଇଯିବ ବୋଲି ବରିଷ୍ଠ କୂଟନୀତିଜ୍ଞମାନେ କହିଛନ୍ତି। ତେଣୁ କୋରିଆ ଉପଦ୍ୱୀପରେ ଶାନ୍ତି ପ୍ରକ୍ରିୟାରୁ ରାଷ୍ଟ୍ରପତି ଟ୍ରମ୍ପ୍‌ ଓହରିଲେ ଏଥିପାଇଁ ସିଧାସଳଖ ଟ୍ରମ୍ପ୍‌ଙ୍କୁ ହିଁ ଦାୟୀ କରାଯିବ ଏବଂ ଉତ୍ତର କୋରିଆ ବିରୋଧରେ ଲାଗୁ ହୋଇଥିବା କଟକଣା ଆଯୌକ୍ତିକ ସାବ୍ୟସ୍ତ ହେବ। ଏଭଳି ସ୍ଥିତିରେ ଆଗାମୀ ଦିନରେ ରୁଷ୍‌ ଏବଂ ଚୀନ୍‌ର ପଦକ୍ଷେପ ହିଁ ଉତ୍ତର କୋରିଆ ପାଇଁ ନିର୍ଣ୍ଣାୟକ ହେବ। ୪ ଦିନ ତଳେ ସାରା ବିଶ୍ୱକୁ ଆଶ୍ୱସ୍ତି ପ୍ରଦାନ କରି ଉତ୍ତର କୋରିଆ ତା’ର ଏକମାତ୍ର ପରମାଣୁ ପରୀକ୍ଷଣ କେନ୍ଦ୍ରକୁ ଧ୍ୱଂସ କରିଦେଇଥିଲା। ଉତ୍ତର କୋରିଆର ଉତ୍ତର ପୂର୍ବ ସ୍ଥିତ ପୁଙ୍ଗେରିରେ ଥିବା ଏକମାତ୍ର ପରମାଣୁ ପରୀକ୍ଷଣ କେନ୍ଦ୍ରକୁ ବିସ୍ଫୋରକ ବ୍ୟବହାର କରି ମାଟିରେ ମିଶାଇ ଦିଆଯାଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଉତ୍ତର କୋରିଆ ଏହି ପ୍ରମୁଖ ପରମାଣୁ ପରୀକ୍ଷଣ କେନ୍ଦ୍ରକୁ ଧ୍ୱଂସ କରିଥିବାରୁ ନିରସ୍ତ୍ରୀକରଣ ଦିଗରେ ଏହାର ନିଜର ପ୍ରତିବଦ୍ଧତାକୁ ମଧ୍ୟ ପ୍ରମାଣିତ କରିଛି।

ସମ୍ବନ୍ଧିତ ଖବର