ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବାଙ୍କ ଇସ୍ତଫା, ରାଜ୍ୟପାଳ ଶାସନ ପାଇଁ ସୁପାରିସ

ମେଣ୍ଟରୁ ଓହରିଲା ବିଜେପି

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ୩ ବର୍ଷ ଧରି ଚାଲିଥିବା ପିଡିପି-ବିଜେପି ମେଣ୍ଟ ସରକାରର ଆଜି ପତନ ଘଟିଛି। ବିଜେପି ମେଣ୍ଟରୁ ଓହରି ଆସିବା ପରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ରାଜ୍ୟପାଳ ନରେନ୍ଦ୍ର ନାଥ ଭୋରାଙ୍କୁ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତିି। କୌଣସି ଦଳ ନେତୃତ୍ୱରେ ସରକାର ଗଠନର ସମ୍ଭାବନା ନଥିବାରୁ ରାଜ୍ୟପାଳ ଶାସନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି। ୮୭ ଆସନ ବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭାରେ ବିଜେପିର ୨୫ ବିଧାୟକ ରହିଥିବାବେଳେ ପିଡିପି ପାଖରେ ୨୮ ବିଧାୟକ ଅଛନ୍ତି। ଅନ୍ୟପକ୍ଷରେ ପ୍ରମୁଖ ବିରୋଧୀ ଦଳ ନ୍ୟାସନାଲ କନ୍‌୍‌ଫରେନ୍‌୍‌ସର ୧୫, କଂଗ୍ରେସର ୧୨ ଏବଂ ଅନ୍ୟ ଦଳମାନଙ୍କର ୭ ବିଧାୟକ ରହିଛନ୍ତି। ଆତଙ୍କବାଦପ୍ରବଣ ରାଜ୍ୟରେ ଏବେ ରାଜନୈତିକ ସଙ୍କଟ ଜଟିଳ ହୋଇଥିବାରୁ ରାଜ୍ୟପାଳ ଶାସନ ଏକ ବଡ଼ ବିକଳ୍ପ ଭାବେ ସାମ୍ନାକୁ ଆସିଛି । ରାଜ୍ୟପାଳ ଶାସନ ହିଁ ଏକମାତ୍ର ବିକଳ୍ପ ବୋଲି ସମସ୍ତ ଦଳ ଏକସ୍ୱରରେ କହିଥିବାରୁ ଯେ କୌଣସି ସମୟରେ ରାଜ୍ୟପାଳ ଶାସନ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ବିଜେପି ମହାସଚିବ ତଥା ଜମ୍ମୁ-କଶ୍ମୀର ପ୍ରଭାରୀ ରାମ ମାଧବ କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ମେଣ୍ଟ ସରକାରରେ ରହିବା ବିଜେପି ପକ୍ଷରେ ଆଉ ସମ୍ଭବ ନଥିବାରୁ ଆମେ ସରକାରରୁ ଓହରି ଆସିବାକୁ ବାଧ୍ୟ ହେଲୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କଶ୍ମୀରରେ ଆତଙ୍କବାଦ ଓ ହିଂସାକାଣ୍ଡ ବଢ଼ିବାରେ ଲାଗିଛି ଏବଂ ଜନସାଧାରଣଙ୍କ ମୌଳିକ ଅଧିକାର ମଧ୍ୟ ବିପଦରେ ରହିଥିବାରୁ ଦେଶର ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ବିଜେପି ଏଭଳି ପଦକ୍ଷେପ ନେଇଛି। ସୀମାପାର ଆତଙ୍କବାଦ ଏବଂ ଘାଟିରେ ହିଂସାକୁ ରୋକିବା ପାଇଁ ସରକାର ଏବଂ ସେନା ବ୍ୟାପକ ପ୍ରୟାସ କରିଥିଲେ ମଧ୍ୟ ପରିସ୍ଥିତିରେ ସୁଧାର ହୋଇନାହିଁ। ନିକଟରେ ବରିଷ୍ଠ ସାମ୍ବାଦିକ ସୁଜାତ୍‌ ବୁଖାରୀଙ୍କୁ ହତ୍ୟା କରାଯାଇଛି । ରାଜ୍ୟରେ ଗଣମାଧ୍ୟମର ସ୍ୱାଧୀନତା ବିପଦଗ୍ରସ୍ତ ହୋଇଛି। କେନ୍ଦ୍ରର ସକଳ ସହଯୋଗ ସତ୍ତ୍ୱେ ରାଜ୍ୟ ସରକାର ଆଇନଶୃଙ୍ଖଳା ରକ୍ଷା ଦିଗରେ ସମର୍ଥ ହୋଇନାହାନ୍ତି। ଏଭଳି ସ୍ଥିତିରେ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହିଁ ଉଚିତ ପଦକ୍ଷେପ ହେବ ବୋଲି ରାମମାଧବ କହିଛନ୍ତି। ଜମ୍ମୁ ଏବଂ ଲଦାଖ୍‌ରେ କୌଣସି ବିକାଶମୂଳକ କାର୍ଯ୍ୟପାଇଁ ମଧ୍ୟ ପିଡିପି ଆଗ୍ରହ ପ୍ରକାଶ କରିନାହିଁ। ଅନେକ ବିଭାଗରେ ଦୁର୍ନୀତି ଓ ନିମ୍ନମାନର କାର୍ଯ୍ୟ ଯୋଗୁଁ ସମସ୍ୟା ଉତ୍ପନ୍ନ ହୋଇଛି । ଆଇନଶୃଙ୍ଖଳା ସ୍ଥିତି ଅତି ଜଟିଳ ହେବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିଥିବାରୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଜମ୍ମୁ କଶ୍ମୀରରେ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଏବେ ସମୁଚିତ ପଦକ୍ଷେପ ଗ୍ରହଣ କରିବା ସମୟ ଆସିଯାଇଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୫ ନିର୍ବାଚନରେ ଜମ୍ମୁ କଶ୍ମୀରରେ ଝୁଲା ବିଧାନସଭା ହେବାପରେ ବିଜେପି-ପିଡିପି ମେଣ୍ଟ ସରକାର ଗଠନ ହୋଇଥିଲା। ତେବେ ସୁରକ୍ଷା ପ୍ରସଙ୍ଗକୁ ନେଇ ଉଭୟ ଦଳର ବିଭିନ୍ନ ସମୟରେ ମୁହାଁମୁହିଁ ହୋଇଥିଲେ। ଜମ୍ମୁ-କଶ୍ମୀରରେ ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ହିଂସାକାଣ୍ଡ ପାଇଁ ଉଭୟ ବିଜେପି ଏବଂ ପିଡିପି ପରସ୍ପରକୁ ଦୋଷାରୋପ କରି ଆସିଛନ୍ତି। ଆଜି ବିଜେପି ମେଣ୍ଟରୁ ଓହରି ଆସିବା ପରେ ଉପମୁଖ୍ୟମନ୍ତ୍ରୀ କବିନ୍ଦ୍ର ଗୁପ୍ତାଙ୍କ ସମେତ ସମସ୍ତ ବିଜେପି ମନ୍ତ୍ରୀ ତତ୍କାଳ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ପ୍ରବକ୍ତା ତଥା ପିଡିପି ନେତା ନଇମ ଅଖତର ସମସ୍ତ ବିଜେପି ମନ୍ତ୍ରୀ ଇସ୍ତଫା ଦେଇଥିବା ସ୍ୱୀକାର କରିବା ସହ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌୍‌ତି ମଧ୍ୟ ରାଜ୍ୟପାଳଙ୍କୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର