ନିରବ ମୋଦି ବିରୋଧରେ ତଥ୍ୟ ସଂଗ୍ରହ ପାଇଁ ସିଂଗାପୁରରେ ପହଞ୍ଚିଲା ଇଡି

ମେହୁଲ ଚୋକସୀ ଆମେରିକାରେ ନାହିଁ : ଇଣ୍ଟରପୋଲ

ସିଙ୍ଗାପୁର : ବହୁ କୋଟି ଟଙ୍କାର ପଂଜାବ ନ୍ୟାସନାଲ ଋଣ ଠକେଇ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ (ଇଡି)ର ଏକ ତିନିଜଣିଆ ତଦନ୍ତକାରୀ ଦଳ ସିଂଗାପୁରରେ ପହଞ୍ଚିଛନ୍ତି । ସେମାନେ ସିଂଗାପୁରର ବିଭିନ୍ନ ଅଧିକାରୀଙ୍କୁ ଭେଟି ଭାରତର ପକ୍ଷ ରଖିବେ । ନିରବ ମୋଦି ଓ ତାଙ୍କର ମାମୁ ମେହୁଲ ଚୋକସୀଙ୍କୁ ପଳାଚତ ଅପରାଧୀ ଘୋଷିତ କରିବାକୁ ଗତ ବୁଧବାରଦିନ ଇଡି ପକ୍ଷରୁ ମୁମ୍ବାଇର ଏକ ସ୍ଥାନୀୟ କୋର୍ଟରେ ଆବେଦନ କରାଯାଇଥିଲା । ଗତ ଜୁଲାଇ ୨ ତାରିଖରେ ନିରବ ମୋଦିଙ୍କୁ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରିଥିଲା । ଗତ ଜାନୁୟାରୀ ମାସରେ ନିରବ ଓ ମେହୁଲ ଭାରତରୁ ପଳାଇଯାଇଥିଲେ । ଅନ୍ୟପକ୍ଷରେ ୧୩,୫୦୦ ପଂଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ସହ ଅଭିଯୁକ୍ତ ମେହୁଲ ଚୋକସୀ ଆମେରିକାରେ ନାହିଁ ବୋଲି ଇଣ୍ଟରପୋଲ କହିଛି । ଚୋକସୀର ଅବସ୍ଥିତି ଠାବ କରିବାକୁ ସିବିଆଇ ପକ୍ଷରୁ ଇଣ୍ଟରପୋଲକୁ ଅନୁରୋଧ କରାଯାଇଥିଲା । ଏହାର ଜବାବରେ ଇଣ୍ଟରପୋଲ ଉପରୋକ୍ତ ସୂଚନା ଦେଇଛି । ଇଡି ପକ୍ଷରୁ କିଛି ମାସ ତଳେ ନିରବ ଓ ମେହୁଲଙ୍କ ବିରୋଧରେ ଫ୍ୟୁିଜିଟିଭ ଇକନମିକ ଅଫେଣ୍ଡର୍ସ ଅର୍ଡିନାନ୍ସ ଅଧିନରେ ଅଭିଯୁକ୍ତ ଘୋଷଣା କରାଯାଇଥିଲା ।

ସମ୍ବନ୍ଧିତ ଖବର