‘ଆନନ୍ଦମୟ ଶ୍ରେଣୀ ବ୍ୟବସ୍ଥା’କୁ ଅନୁଧ୍ୟାନ କରିଲେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଦୁଇଦିନିଆ ଭାରତଗସ୍ତ ସମୟରେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍‌ ଦିଲ୍ଲୀର ଏକ ସରକାରୀ ସ୍କୁଲ୍‌ ପରିଦର୍ଶନରେ ଆଜି ଆସିଛନ୍ତି। ସେ ନାନକପୁରାରେ ଥିବା ସର୍ବୋଦୟ ସିନିଅର୍ ସେକେଣ୍ଡାରି ସ୍କୁଲକୁ ପରିଦର୍ଶନରେ ଆସି କେଜ୍ରିୱାଲ ସରକାରଙ୍କ ପରିଚାଳିତ ‘ଆନନ୍ଦମୟ ଶ୍ରେଣୀ ବ୍ୟବସ୍ଥା’କୁ ଅନୁଧ୍ୟାନ କରିଛନ୍ତି।

ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ଉଭୟ ଭାରତ ଏବଂ ଆମେରିକାର ପତକା ଏବଂ ଫୁଲ ଧରି ମେଲାନିଆ ଟ୍ରମ୍ପଙ୍କୁ ସ୍ବାଗତ କରିଥିଲେ। ବିଦ୍ୟାଳୟର ଜଣେ ଛାତ୍ର ମେଲାନିଆ ଟ୍ରମ୍ପଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ତାଙ୍କୁ ଆଳତୀ ଓ ତିଳକ ଜରିଆରେ ବି ସ୍ବାଗତ କରାଯାଇଥିଲା। ଦିଲ୍ଲୀର ଏହି ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ମେଲାନିଆ ପ୍ରାୟ ଏକ ଘଣ୍ଟା ସମୟ ବିତାଇଥିଲେ। ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ କୁନି କୁନି ପିଲାଙ୍କ ଗହଣରେ ପିଲାଙ୍କ ସହ କଥାବାର୍ତ୍ତା ବି ହୋଇଥିଲେ। ଦକ୍ଷିଣ ମୋତି ବାଗରେ ମେଲାନିଆ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କ ସହ କଥା ହୋଇଥିଲେ।

image source-business today

ଏହି ସମୟରେ ମେଲାନିୟାଙ୍କ ମଥାରେ ସିନ୍ଦୁର ବିନ୍ଦି  ଦେଖିବାକୁ ମିଳିଥିଲା।

ସୌହାର୍ଦ୍ଦ୍ୟପୂର୍ଣ୍ଣ ଢଙ୍ଗରେ ପରସ୍ପର ସହ ସହାବସ୍ଥାନ କରିବାକୁ କିଭଳି ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି, ତାହା ମେଲାନିଆ ଦେଖିବାକୁ ପାଇଥିଲେ। ଏହି ଅବସରରେ ସେ ଭାରତ ଆସି ବହୁତ ଖୁସି ବୋଲି କହିଛନ୍ତି ମେଲାନିଆ ଟ୍ରମ୍ପ୍‌।

ସୂଚନାଯୋଗ୍ୟ, ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀର ସରକାରୀ ସ୍କୁଲରେ ‘ଆନନ୍ଦମୟ ଶ୍ରେଣୀ ଶିକ୍ଷା’ ବ୍ୟବସ୍ଥାର ପ୍ରଚଳନ କରିଛନ୍ତି। ମେଲାନିଆଙ୍କ ଗସ୍ତ ପୂର୍ବରୁ ନାନକପୁରାରେ ଥିବା ସର୍ବୋଦୟ ସିନିଅର୍ ସେକେଣ୍ଡାରି ସ୍କୁଲକୁ ସୁସଜ୍ଜିତ କରାଯାଇଥିଲା।

 

ସମ୍ବନ୍ଧିତ ଖବର