ସର୍ବସାଧାରଣରେ ନିଜ ସ୍ୱାମୀଙ୍କୁ ଚାପୁଡା ମାରିବା ଆତ୍ମହତ୍ୟାକୁ ଉସୁକାଇବା ବୋଲି କୁହାଯାଇପାରିବ ନାହିଁ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କଣ ଜଣେ ସ୍ୱାମୀ ନିଜ ପତ୍ନୀ ଅଥବା ଜଣେ ପତ୍ନୀ ନିଜ ସ୍ୱାମୀଙ୍କୁ ସର୍ବସାଧାରଣ ସ୍ଥାନରେ ଚାପୁଡା ମାରିଲେ ତାହା ଆତ୍ମହତ୍ୟାକୁ ଉସୁକାଇବା ବୋଲି କୁହାଯାଇପାରିବ କି? ଏ ସଂପର୍କରେ କଣ କହେ ଆଇନ?

ଏପରି ଏକ ମାମଲା ନିକଟରେ ଦିଲ୍ଲୀ ହାଇକୋର୍ଟଙ୍କ ବିଚାର ପାଇଁ ଆସିଥିଲା । ଏହି ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ଜଜ୍‌ ସଂଜୀବ ସଚଦେବା କହିଛନ୍ତି ଯେ ଜଣକୁ ସର୍ବସାଧାରଣରେ ଏକ ଚାପୁଡା ମାରିବା ଦ୍ୱାରା ଉକ୍ତ ବ୍ୟକ୍ତି ଅପମାନିତ ହୋଇ ଆତ୍ମହତ୍ୟା କଲେ ତାହାକୁ ଏକ ସ୍ୱାଭାବିକ ପରିସ୍ଥିତିରେ ଆତ୍ମହତ୍ୟାକୁ ଉସୁକାଇବା ବୋଲି କୁହାଯାଇପାରିବ ନାହିଁ ।

ଏକ ଆତ୍ମହତ୍ୟା ମାମଲାର ବିଚାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ଫେବ୍ରୁଆରୀ ୨୦୧୫ରେ ଦିଲ୍ଲୀର ଶିଖା ଗୁପ୍ତା ନାମକ ଯୁବତୀ ହିରେନ ଶର୍ମାଙ୍କ ପୁତ୍ରଙ୍କୁ ବିବାହ କରିଥିଲେ । କିନ୍ତୁ ପାରିବାରିକ ବିବାଦ କାରଣରୁ ସେହିବର୍ଷ ମେ ମାସରେ ଶିଖା ଘରଛାଡି ପଳାଇଯାଇଥିଲେ । ଏହାର କିଛି ଦିନ ପରେ ଏକ ସର୍ବସାଧାରଣ ସ୍ଥାନରେ ସେ ନିଜ ସ୍ୱାମୀଙ୍କୁ ଚାପୁଡା ମାରିଥିଲେ । ଏହି ଅପମାନ ସହିନପାରି ସ୍ୱାମୀ ଆତ୍ମହତ୍ୟା କରିଥିଲେ । ଏହି ଆତ୍ମହତ୍ୟା ପାଇଁ ଶିଖାଙ୍କୁ ଦାୟୀ କରି ହିରେନ ଏକ ଏଫଆଇଆର ଦାଏର କରିଥିଲେ । ଏହି ଏଫଆଇଆର ବିରୋଧରେ ଶିଖା ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ । ମାମଲାର ବିଚାର କରି ହାଇକୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି ।

ସମ୍ବନ୍ଧିତ ଖବର