‘ମେରି ମାଡାମ୍‌ ମହାନ୍‌’ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ କହିଲେ ହମିଦ୍‌ ଅନ୍‌ସାରି ଏବଂ ତାଙ୍କ ମାଆ

ନୂଆଦିଲ୍ଲୀ: ‘ମେରା ଭାରତ ମହାନ୍‌, ମେରି ମାଡାମ୍‌ ମହାନ୍‌, ସବ୍‌ ମାଡାମ୍‌ ନେ ହି କିୟା ହୈ’ ବୋଲି ଗୁପ୍ତଚରବୃତ୍ତି କରୁଥିବା ଅପରାଧରେ ଛଅ ବର୍ଷ ପାକିସ୍ତାନର ପେଶଓ୍ଵାର୍‌ ଜେଲ୍‌ରେ କଟାଇ ମୁକ୍ତ ହେବା ପରେ ବୁଧବାର ଦିନ ନୂଆଦିଲ୍ଲୀ ଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାକ୍ଷାତ୍‌ କରି କହିଛନ୍ତି ହମିଦ୍‌ ଅନ୍‌ସାରିଙ୍କ ମାଆ।

ମଙ୍ଗଳବାର ଦିନ ଅଟ୍ଟାରି-ଓ୍ଵାଘା ସୀମାନ୍ତରେ ଭାରତକୁ ପ୍ରବେଶ କରିବା ପରେ ମୁମ୍ବାଇ ବାସିନ୍ଦା ହମିଦ୍‌ ତାଙ୍କ ମାଆଙ୍କ ସହ ମିଶି ଆଜି ନୂଆଦିଲ୍ଲୀ ଠାରେ ସୁଷମା ସ୍ୱରାଜଙ୍କୁ ତାଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

ସ୍ୱରାଜ ହମିଦଙ୍କ କ୍ରନ୍ଦନରତା ମାଆ ଫୌଜିଆଙ୍କୁ କୋଳାଗ୍ରତ କରି ସାନ୍ତ୍ୱନା ଦେଇ କହିଥିଲେ ହମିଦ୍‌ର କଠିନ ସମୟର ସମ୍ମୁଖୀନ ହୋଇଛି।
ନଭେମ୍ବର ୧୨ ତାରିଖ ୨୦୧୨ ମସିହାରେ ସାମାଜିକ ଗଣମାଧ୍ୟମରେ ବନ୍ଧୁତା ସ୍ଥାପନ କରିଥିବା ଜଣେ ଝିଅକୁ ଭେଟିବାକୁ ପାକିସ୍ତାନରେ ପ୍ରବେଶ କରିଥିଲେ। ନଭେମ୍ବର ୨୦୧୨ରେ ହିଁ ୩୩ ବର୍ଷିୟ ଅନ୍‌ସାରିଙ୍କୁ ଗିରଫ କରାଯାଇଥିଲା ଓ ଜାଲି ପାକିସ୍ତାନୀ ପରିଚୟପତ୍ର ରଖିଥିବା କାରଣରୁ ୨୦୧୫ରେ ତିନି ବର୍ଷ କାରାଦଣ୍ଡାଦେଶ ହୋଇଥିଲା।

ଗତକାଲି ସେ ଭାରତକୁ ପ୍ରବେଶ କରିବା ବେଳେ ମାଆ ଫୌଜିଆ, ବାପା ନେହାଲ୍‌ ଏବଂ ଭାଇ ତାଙ୍କୁ ସୀମାନ୍ତରେ ଭେଟିଥିଲେ। ପୁଅକୁ ପାଛୋଟି ନେବା ପୂର୍ବରୁ ବାପା ନେହାଲ୍‌ କହିଥିଲେ: ଆମ ପାଇଁ, ହମିଦ୍‌ ନୂଆ ଜନ୍ମ ନେଲାପରି ଘଟନା। ପୁଅ ନିରୁଦ୍ଦେଶ ହେଲା ପରଠାରୁ ଆମେ କୌଣସି ପର୍ବ ପାଳି ନାହୁଁ, କିନ୍ତୁ ଆଜିର ଦିନଟିକୁ ପାଳନ କରିବୁ।

ସମ୍ବନ୍ଧିତ ଖବର