#ମି ଠୁ: ଏମ୍‌ଜେ ଆକବର ତାଙ୍କ ସହ ଦୁଷ୍କର୍ମ କରିଛନ୍ତି ବୋଲି ‘ଦି ଓ୍ଵାସିଙ୍ଗ୍‌ଟନ୍‌ ପୋଷ୍ଟ୍‍’ରେ ବଖାଣିଲେ ଆଉ ଜଣେ ସାମ୍ବାଦିକା

ନୂଆଦିଲ୍ଲୀ: ୨୩ ବର୍ଷ ତଳେ ଜଣେ ସାମ୍ବାଦିକା ରୂପେ ଏମ୍‌ଜେ ଆକବରଙ୍କ ଖବରକାଗଜ ‘ଏସିଆନ୍‌ ଏଜ୍‌’ରେ କାମ କରିବା ସମୟରେ ସେ ତାଙ୍କ ସହ ଦୁଷ୍କର୍ମ କରିଥିବା କଥା ‘ଏନ୍‌ପିଆର୍‌’ର ଚିଫ୍‌ ବିଜ୍‌ନେସ୍‌ ଏଡିଟର୍‌ ପଲ୍ଲବୀ ଗୋଗୋଇ ଅଭିଯୋଗ କରିଛନ୍ତି। ନିକଟ ଅତୀତରେ କେତେଗୁଡ଼ିଏ ଅସଦାଚରଣ ଅଭିଯୋଗ ଉଠିବା ପରେ ଏମ୍‌ଜେ ଆକବର କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

‘ଦି ଓ୍ଵାସିଙ୍ଗ୍‌ଟନ୍‌ ପୋଷ୍ଟ୍‍’ରେ ପ୍ରଥମେ ପ୍ରକାଶିତ ଗୋଗୋଇଙ୍କ କାହାଣୀ ଅନୁସାରେ ଆକବର ପ୍ରଥମେ ଗୋଗୋଇଙ୍କୁ ୧୯୯୪ ମସିହାରେ ଯୌନ ନିର୍ଯାତନା ଦେଇଥିଲେ।

‘ଦି ଓ୍ଵାସିଙ୍ଗ୍‌ଟନ୍‌ ପୋଷ୍ଟ୍‍’ରେ ସେ ଲେଖିଛନ୍ତି: ବୁଦ୍ଧିଦୀପ୍ତ ଶିରୋନାମା ସବୁ ଦେଇଛି ଭାବି ମୁଁ ପ୍ରସ୍ତୁତ କରିଥିବା ଓପି-ଏଡ୍‌ ପେଜ୍‌ ନେଇ ତାଙ୍କୁ ଦେଖାଇବାକୁ ଗଲି। ସେ ମୋ ଉଦ୍ୟମକୁ ପ୍ରଶଂସା କଲେ ଓ ହଠାତ୍‌ ମତେ ଚୁମ୍ବନ ଦେବାକୁ ମାଡ଼ି ଆସିଲେ। ମୋ ଦେହରେ ଛନକା ପଶିଗଲା। ଲାଲ୍‌ପଡ଼ି ଥିବା ମୁହଁ, ଗୋଳମାଳିଆ ମିଜାଜ, ଲଜ୍ଜା ଏବଂ ଧ୍ୱଂସପ୍ରାୟ ହୋଇ ମୁଁ ଅଫିସ୍‌ରୁ ବାହାରିଲି।

ଗୋଗୋଇ ଅଭିଯୋଗ କରିଛନ୍ତି ଯେ ଏଇଟା ଆକବରଙ୍କର ତାଙ୍କ ପ୍ରତି ଶେଷ ଅବାଞ୍ଛିତ ଯୌନାଚାର ଅଗ୍ରଗତି ନ ଥିଲା।

ଅଳ୍ପ କିଛି ମାସ ପରେ ବମ୍ବେରୁ ଏକ ପତ୍ରିକା ପ୍ରକାଶନ ଉତ୍ସବକୁ ଗୋଗୋଇଙ୍କୁ ଡାକିଲେ।

ସେ କଥା ବର୍ଣ୍ଣନା କରି ଗୋଗୋଇ କହନ୍ତି: ମୋତେ ଚୁମ୍ବନ ଦେବାକୁ ସେ ପୁଣି ମୋ ପାଖକୁ ଆସିବାରୁ, ମୁଁ ଠେଲାପେଲା କରି ତାଙ୍କୁ ଦୂରକୁ ତଡ଼ି ଦେଲି। ମୁଁ କାନ୍ଦି କାନ୍ଦି ଦୌଡ଼ି ଆସିବା ବେଳେ ସେ ମୋ ମୁହଁକୁ ରାମ୍ପୁଡ଼ି ପକାଇଲେ।

ବମ୍ବେ ଘଟନା ପରେ ପରେ ଆକବର ତାଙ୍କୁ ଧମକ ଦେଲେ କି, ପୁଣି ଯଦି ସେ ତାଙ୍କୁ ବାଧା ଦିଏ ସେ ତାକୁ ଗୁଳି ମାରିବେ। ଏକଥା ‘ଦି ଓ୍ଵାସିଙ୍ଗ୍‌ଟନ୍‌ ପୋଷ୍ଟ୍‍’ରେ ଗୋଗୋଇ ଲେଖିଛନ୍ତି।

ଗୋଗୋଇ ତାଙ୍କ ସହ କାମ କଲେ। ବରାଦି କାମ ଆଳରେ ତାଙ୍କୁ ଜୟପୁର ପଠାଗଲା। ସେଠାରେ ଆକବର ତାଙ୍କ ସହ ଖବରର ସବିଶେଷ ବିବରଣୀ ଆଲୋଚନା କରିବାକୁ ହୋଟେଲ୍‌କୁ ଡକାଇଲେ।

ହୋଟେଲ୍‌ ରୁମ୍‌ରେ ଯଦିବା ମୁଁ ତାଙ୍କ ସହ ଲଢ଼ିଲି, ତାଙ୍କର ବଳ ଥିଲା ଅଧିକ। ସେ ମୋ ପୋଷାକ ଚିରି ପକାଇଲେ ଓ ମୋ ସହ ଦୁଷ୍କର୍ମ କଲେ। ତାଙ୍କ ବିରୋଧରେ ପୁଲିସରେ ନ କହି ମୁଁ ଲଜ୍ଜାରେ ବୁଡ଼ିଗଲି ବୋଲି ସେ ଲେଖିଛନ୍ତି।

ଏ ଭଳି ଯୌନ ନିର୍ଯାତନା କିଛି ମାସ ଯାଏଁ ଚାଲିଲା। ସେ ମୋ ସହ ଶାରୀରିକ, ମୌଖିକ, ଆବେଗିକ ଭାବେ ଯୌନାଚାର ଜାରି ରଖିଲେ। ମୋ ବୟସର କୌଣସି ପୁରୁଷ ସହକର୍ମୀଙ୍କ ସହ ମୁଁ କଥାବାର୍ତ୍ତା କରୁଥିବା ଦେଖିଲେ ସେ ନିଉଜ୍‌ରୁମ୍‌ରେ ଗର୍ଜି ଉଠନ୍ତି। ମୁଁ ଡରିଯାଏ।

ପରେ ଗୋଗୋଇଙ୍କୁ ଲଣ୍ଡନ ପଠାଗଲା ଏବଂ ସେଠାରେ ଗୋଟାଏ ନିର୍ଦ୍ଦିଷ୍ଟ ଘଟନା ତାଙ୍କୁ ବର୍ଷ ବର୍ଷ ଧରି ଚାଲିଥିବା ଆକବରଙ୍କ ନିର୍ଯାତନାରୁ ମୁକ୍ତି ଦେଇଥିଲା।

ଲଣ୍ଡନ ଅଫିସରେ ଜଣେ ପୁରୁଷ ସହକର୍ମୀଙ୍କ ସହ ଗୋଗୋଇ କଥାବାର୍ତ୍ତା କରୁଥିବା ଦେଖି ଆକବର ରାଗିଗଲେ।

ଗୋଗୋଇ ଲେଖିଛନ୍ତି: ସନ୍ଧ୍ୟାରେ ମୋ ସହକର୍ମୀମାନେ କାମରୁ ଯିବା ପରେ ସେ ରାଗରେ ମତେ ମାଡ଼ ମାରି ଡେସ୍କ୍‌ ଉପରେ ଥିବା କଇଁଚି, ପେପର୍‌େଓ୍ଵଟ୍‌ ଆଦି ଯାହା ହାତରେ ପଡ଼ିଲା ତାହା ମୋ ଉପରୁକୁ ଫିଙ୍ଗିଲେ। ମୁଁ ଅଫିସ୍‌ର ଦୌଡ଼ି ଯାଇ ହାଇଡ୍‌ ପାର୍କରେ ଘଣ୍ଟାଏ କାଳ ଲୁଚିଲି।
ଶେଷରେ ଗୋଗୋଇ ଚାକିରି ଛାଡ଼ିଥିଲେ।

‘ଦି ଓ୍ଵାସିଂଟନ୍‌ ପୋଷ୍ଟ୍‍’ ଓକିଲଙ୍କ ଜରିଆରେ ଆକବରଙ୍କ ସହ ଯୋଗାଯୋଗ କରିବାରୁ ସେ ଉପରୋକ୍ତ ଘଟନାକୁ ଅସ୍ୱୀକାର କରିବା ସହ ଏହି ଅଭିଯୋଗ ମିଥ୍ୟା ବୋଲି କହିଲେ।

ସମ୍ବନ୍ଧିତ ଖବର