ମେଟ୍ରୋ ମାଜେଣ୍ଟା ଲାଇନ୍‌ ଆରମ୍ଭରୁ ବିବାଦ

କେଜରିଓ୍ଵାଲଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ କ୍ଷୋଭ:ଅଂଶଧନ ଫେରାଇ ନେବାକୁ ଆପ୍‌ ସରକାରଙ୍କ ଧମକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ ମେଟ୍ରୋ ମାଜେଣ୍ଟା ଲାଇନ୍‌ ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ରାମ ନାଇକ ଏବଂ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମ୍‌ଆର୍‌ସି) ପରିଚାଳନା ନିର୍ଦ୍ଦେଶକ ମଙ୍ଗୁ ସିଂହ ପ୍ରମୁଖ ଯୋଗ ଦେଇଥିଲେ। ଅପରପକ୍ଷେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ୍‌ଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ତାଙ୍କ ଦଳ ଆପ୍‌ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ଏପରିକି ଏହି ନୂଆ ମେଟ୍ରୋ ଲାଇନ୍‌ର ନିର୍ମାଣ ପାଇଁ ଆପ୍‌ ସରକାର ଯୋଗାଇଥିବା ୫୦ ପ୍ରତିଶତ ଅଂଶଧନ ଫେରାଇନେବାକୁ ମଧ୍ୟ ଧମକ ଦେଇଛି।
ଦିଲ୍ଲୀ ମେଟ୍ରୋର ନବନିର୍ମିତ ଏହି ୧୨.୬୪ କିମି ଦୀର୍ଘ ମାଜେଣ୍ଟା ଲାଇନ୍‌ ନଏଡ଼ାର ବଟାନିକାଲ ଗାର୍ଡେନ୍‌ରୁ ଦିଲ୍ଲୀର କାଲ୍‌କାଜି ମନ୍ଦିରକୁ ଯୋଗାଯୋଗ ସ୍ଥାପନ କରିବ। ଏହା ଦ୍ୱାରା ଦକ୍ଷିଣ ଦିଲ୍ଲୀରୁ ନଏଡ଼ାକୁ ଯାତ୍ରା ସମୟ ୫୨ ମିନିଟ୍‌ରୁ ୧୯ ମିନିଟ୍‌କୁ କମିଯିବ। ସମୁଦାୟ ଲାଇନ୍‌ଟି ସମ୍ପୂର୍ଣ୍ଣ ହେବା ପରେ ବଟାନିକାଲ ଗାର୍ଡେନଠାରୁ ଜନକପରୀ ପଶ୍ଚିମ ପର୍ଯ୍ୟନ୍ତ ଯୋଗାଯୋଗ ସୁଗମ ହେବ। ଉଦ୍‌ଘାଟନ ପରେ ମୋଦିଙ୍କ ସହ ଅନ୍ୟ ଅଧିକାରୀମାନେ ବଟାନିକାଲ ଗାର୍ଡେନ୍‌ ଷ୍ଟେସନଠାରୁ ଓଖଲା ପକ୍ଷୀ ଅଭୟାରଣ୍ୟ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଆମେ ଯେଉଁ ଯୁଗରେ ରହୁଛେ, ସେହି ଯୁଗରେ ଯୋଗାଯୋଗ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦ୍‌ଘାଟିତ ମେଟ୍ରୋ ଲାଇନ୍‌ କେବଳ ବର୍ତ୍ତମାନ ପାଇଁ ନୁହେଁ ବରଂ ଭବିଷ୍ୟତ ପିଢ଼ିି ପାଇଁ ବରଦାନ ସଦୃଶ ବୋଲି ମୋଦି ଉଦ୍‌ଘାଟନୀ ପରେ ଉଦ୍‌ବୋଧନ ଦେଇ କହିଥିଲେ। ଅପରପକ୍ଷେ, ଉଦ୍‌ଘାଟନୀ ଉତ୍ସବକୁ କେଜରିଓ୍ଵାଲଙ୍କୁ ନିମନ୍ତ୍ରଣ ନକରିବା ଦ୍ୱାରା କେନ୍ଦ୍ର ସରକାରଙ୍କର ଦିଲ୍ଲୀ ସରକାରଙ୍କ ପ୍ରତି ରହିଥିବା ବ୍ୟକ୍ତିଗତ ଶତ୍ରୁତା ସ୍ପଷ୍ଟ ହୋଇଛି ବୋଲି ଆପ୍‌ ନେତା ସଞ୍ଜୟ ସିଂହ କହିଛନ୍ତି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ଶିଶୋଡ଼ିିଆ ମଧ୍ୟ ଟ୍ଵିଟରରେ ଏହି ପ୍ରସଙ୍ଗରେ ମୋଦି ସରକାରଙ୍କ ବିରୋଧରେ ଗର୍ଜିଛନ୍ତି।

ସମ୍ବନ୍ଧିତ ଖବର