ସୁଷମାଙ୍କ ବିମାନ ନିଖୋଜ : ୧୪ ମିନିଟ୍‌ ପରେ ସନ୍ଧାନ ମିଳିଲା

ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ନେଇ ମରିସସ୍‌ ଯାଉଥିବା ଭାରତୀୟ ବାୟୁସେନାର ଏକ ବିମାନ ସହ ଗତକାଲି ଯୋଗାଯୋଗ ହଠାତ୍‌ ବିଚ୍ଛିନ୍ନ ହେବାକୁ ନେଇ ଆତଙ୍କ ଖେଳିଯାଇଥିଲା। ତେବେ ୧୪ ମନିଟ୍‌ ପରେ ଯୋଗାଯୋଗ ପୁଣି ସ୍ଥାପିତ ହୋଇଥିଲା ଏବଂ ବିମାନଟି ମରିସସରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।

ସୂଚନା ଅନୁଯାୟୀ ସୁଷମାଙ୍କ ବିମାନ ଆଇଏଫ୍‌ସି- ୩୧ ଗତକାଲି ଦିନ ୨ଟା ୮ ମିନିଟେରେ ତ୍ରିଭାନ୍ଦ୍ରମ ଛାଡ଼ିଥିଲା। ଦିନ ୪ଟା ୪୪ ମିନିଟରେ ଏହା ମାଳଦ୍ୱୀପ ବାୟୁସୀମା ଉପରେ ଉଡ଼ୁଥିବା ବେଳେ ମାଲେ ଏଟିସି (ଏୟାର ଟ୍ରାଫିକ କଂଟ୍ରୋଲ) ସହ ସଂପର୍କ ସ୍ଥାପନ କରିଥିଲା। ତେବେ ମରିସସ୍‌ ବାୟୁସୀମାରେ ପ୍ରବେଶ କରିବା ମାତ୍ରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହାକୁ ନେଇ ଆତଙ୍କ ଖେଳିଯାଇଥିଲା। ବିମାନ ଆଉ ରାଡାରରେ ଦେଖାଯାଇ ନଥିଲା। ମରିସସ୍‌ ଏଟିସି ତୁରନ୍ତ ପ୍ୟାନିକ୍‌ ବଟନ୍‌କୁ ସକ୍ରିୟ କରିଦେଇଥିଲା। ଜୁରୁରୀ ପରିସ୍ଥିତି ସୃଷ୍ଟି ହେଲେ ପ୍ୟାନିକ୍‌ ବଟନର ସହାୟତା ନିଆଯାଇଥାଏ। ତେବେ ୧୪ ମିନିଟ ପରେ ମରିସସ୍‌ ଏଟିସି ସହିତ ବିମାନର ଯୋଗାଯୋଗ ସ୍ଥାପିତ ହୋଇଥିଲା। ଏହାର କିଛି ସମୟ ପରେ ୪ଟା ୫୮ ମିନିଟ୍‌ରେ ବିମାନ ମରିସସ୍‌ ବିମାନ ବନ୍ଦରରେ ଅବତରଣ କରିଥିଲା।

ଭାରତୀୟ ବିମାନ ସେନା କର୍ତ୍ତୃପକ୍ଷଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମହାସାଗର ବାୟୁସୀମାରେ ଯୋଗାଯୋଗର ସମସ୍ୟା ରହିଛି। ତେଣୁ ମହାସାଗର ଉପରେ ବିମାନକୁ ନିଖୋଜ ଘୋଷଣା କରିବାକୁ ହେଲେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ (ଏଟିସି)କୁ ପାଖାପାଖି ୩୦ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଏକ୍ଷେତ୍ରରେ ମରିସସ୍‌ ବିମାନବନ୍ଦର କର୍ତ୍ତୃପକ୍ଷ ୧୨ ମିନିଟ୍‌ ପର୍ଯ୍ୟନ୍ତ ବିମାନ ସହ ଯୋଗାଯୋଗ ନହେବାରୁ ଆଲାର୍ମ ବଟନ୍‌ ଦବାଇଥିଲେ। ବିମାନରେ ଭିଭିଆଇପି ଥିବାରୁ ସେମାନେ ଆଉ ୩୦ ମିନିଟ୍‌ ଅପେକ୍ଷା କରିନଥିଲେ।

ସୂଚନାଯୋଗ୍ୟ ଯେ ସୁଷମା ଏବେ ବ୍ରିକ୍ସ ସମ୍ମିଳନୀ ଏବଂ ଇବ୍‌ସା (ଭାରତ-ବ୍ରାଜିଲ୍‌- ଦକ୍ଷିଣ ଆଫ୍ରିକା) ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବାପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି।

ସମ୍ବନ୍ଧିତ ଖବର