ମିଜୋରାମ୍‌ରେ ନୂଆ ସରକାର, ଜୋରାମଥାଙ୍ଗା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ଆଇଜଲ୍‌: ମିଜୋରାମ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଥିବା ମିଜୋ ନ୍ୟାସନାଲ୍‌ ଫ୍ରଣ୍ଟ୍‌ (ଏମଏନ୍‌ଏଫ) ନେତା ଜୋରାମଥାଙ୍ଗା‌ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟରେ ଏହା ପୂର୍ବରୁ କଂଗ୍ରେସ ସରକାର ରହିଥିଲା ଏବଂ ପି ଲାଲଥାନୱାଲା ଲଗାତାର ୨ ଥର ମୁଖ୍ୟମନ୍ତ୍ରୀ ରହିଥିଲେ। ଆଜି ଜୋରାମଥାଙ୍ଗା‌ଙ୍କ ସହିତ ୧୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଆଇଜଲ ରାଜଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଜୋରାମଥାଙ୍ଗା ୧୯୯୮ ଏବଂ ୨୦୦୩ରେ ମିଜୋରାମ୍‌ରେ ଏମଏନ୍‌ଏଫ ସରକାରର ନେତୃତ୍ବ ନେଇଥିଲେ। ଆଜି ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ୫ ଜଣ କ୍ୟାବିନେଟ୍‌ ଏବଂ ୬ ଜଣ ରାଷ୍ଟ୍ରମନ୍ତ୍ରୀ ସାମିଲ ଅଛନ୍ତି। ଶପଥ ନେବାପରେ ଜୋରାମଥାଙ୍ଗା କହିଛନ୍ତି ଯେ ମିଜୋରାମ୍‌ରେ ବିକାଶର ଏକ ନୂଆ ଅଧ୍ୟ‌ାୟ ଆରମ୍ଭ ହେବ ଏବଂ ସବୁ ବର୍ଗର ଜନତାଙ୍କ କଲ୍ୟାଣ ନିମନ୍ତେ ସରକାର କାର୍ଯ୍ୟ କରିବେ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ଆଜି
ନୂଆଦିଲ୍ଲୀ: ଛତିଶଗଡ଼ରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ସେନେଇ କଂଗ୍ରେସରେ ମନ୍ଥନ ଜାରି ରହିଛି। ରବିବାର କଂଗ୍ରେସ ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଛତିଶଗଡ଼ କଂଗ୍ରେସ ପ୍ରଭାରୀ ପିଏଲ୍‌ ପୁନିଆ କହିଛନ୍ତି ଯେ ରବିବାର ମଧ୍ୟାହ୍ନ ୧୨ଟାରେ ବୈଠକ ଅନୁଷ୍ଠିତ ହୋଇ ୧୨.୩୦ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ୧୭ ଡିସେମ୍ବର ଅପରାହ୍ନ ୪.୩୦ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଦିଲ୍ଲୀରେ ଛତିଶଗଡ଼ର ୪ ଜଣ ବରିଷ୍ଠ ନେତା- ଟି ଏସ୍‌ ସିଂହ‌ଦେଓ, ତାମ୍ରଧ୍ବଜ ସାହୁ, ଭୂପେଶ ବଘେଲ ଏବଂ ଚରଣ ଦାସ ମହନ୍ତଙ୍କ ସହିତ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର