ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ 

ସୁପ୍ରିମ୍‌ କୋର୍ଟରେ ଓଡ଼ିଶା ଖଣି ଦୁର୍ନୀତି ମାମଲା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଓଡ଼ିଶା ଖଣି ଅନିୟମିତତା ମାମଲାରେ ଚଳିତ ବର୍ଷ ଅଗଷ୍ଟ ୨ ତାରିଖରେ  ସୁପ୍ରିମକୋର୍ଟ ରାୟ ପ୍ରକାଶ କରି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସ୍ପେସାଲ ପର୍ପଜ୍‌ ଭେହିକଲ (ଏସପିଭି) ଜରିଆରେ ଖଣି ଅଞ୍ଚଳ ଏବଂ ସେଠାକାର ଆଦିବାସୀମାନଙ୍କ ସ୍ଥିତି ସମ୍ପର୍କରେ ଓଡ଼ିଶା ସରକାରଙ୍କୁ   ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ବାବଦରେ ରାଜ୍ୟସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।  ସତ୍ୟପାଠରେ ଖଣି ଅଞ୍ଚଳର ଆଦିବାସୀମାନଙ୍କ ବିକାଶ ଲାଗି ସିଇସିଙ୍କ ସୁପାରିସ ଓ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଏନ୍‌ପିଭି (ନେଟ୍‌ ପ୍ରୋଜେକ୍ଟ ଭେଲ୍ୟୁ) ଅର୍ଥରାଶିକୁ ଏସପିଭି  ଜରିଆରେ କ୍ରିୟାନ୍ଵୟନ କରାଯାଉଥିବା ଅବଗତ କରାଯାଇଛି।  ରାଜ୍ୟ ସରକାର ପ୍ରଥମେ ଏସପିଭିକୁ ସୋସାଇଟି ରେଜିଷ୍ଟ୍ରେସନ୍‌ ଆକ୍ଟରେ ପଞ୍ଜିକୃତ କରିଥିଲେ। ପରବର୍ତ୍ତୀ ସମୟରେ ସିଇସିଙ୍କ ଆଦେଶାନୁସାରେ  ଓଡିଶା ମିନେରାଲ ବିୟରିଙ୍ଗ ଏରିଆଜ୍‌ ଡେଭେଲପମେଣ୍ଟ୍‌ କର୍ପୋରେସନ୍‌ (ଓଏମବିଏଡିସି) ନାମରେ ପଂଜିକୃତ କରିଥିବା  ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏଥିସହ ଖଣି   ଅଞ୍ଚଳରେ ଆଦିବାସୀମାନଙ୍କର ବିକାଶ ସମ୍ପର୍କୀତ ଚିହ୍ନଟ କରାଯାଇଥିବା ପ୍ରକଳ୍ପ ଓ  କାର୍ଯ୍ୟଗୁଡ଼ିକୁ  ତ୍ୱରାନ୍ଵିତ କରିବା ଏସପିଭିର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି କୁହାଯାଇଛି। ଓଏମବିଏଡିସି ଦ୍ୱାରା ପ୍ରାଥମିକ ପର୍ଯ୍ୟାୟରେ ୯୮ ପ୍ରତିଶତ ଅଂଶଧନ ରହିଥିବା ରାଜ୍ୟର ୮ଟି ଖଣି ବହୁଳ ଜିଲ୍ଲା- ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୁରଭଂଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ବିକାଶମୂୂଳକ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗ୍ରାଉଣ୍ଡ୍‌ ସର୍ଭେରେ ପ୍ରଭାବିତ ହୋଇଥିବା ମାଇନିଂ ଭିଲେଜ୍‌ଗୁଡ଼ିକର ଚିହ୍ନଟ କରାଯାଇଛି। ସତ୍ୟପାଠ  ଅନୁସାରେ ବର୍ତ୍ତମାନ ସୁଦ୍ଧା ୩୦ଟି ବ୍ଲକ୍‌ର ୧୨୯ଟି ଗ୍ରାମ ପଞ୍ଚାୟତରେ ଥିବା ୬୯୧ଟି ଗ୍ରାମ ମାଇନିଂ ଦ୍ୱାରା ପ୍ରଭାବିତ ହୋଇଛି। ସତ୍ୟପାଠରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଓଏମବିଏଡିସି ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ବୋର୍ଡ ଅଫ ଡାଇରେକ୍ଟର୍ସ ଗଠନ କରାଯାଇଛି ତଥା ରାଜ୍ୟର ପ୍ରିନ୍ସିପାଲ ଚିଫ୍‌ କନଜରଭେଟର ଅଫ ଫରେଷ୍ଟ  ଓଏମବିଏଡିସିର ସିଇଓ ରୂପେ କାର୍ଯ୍ୟ କରୁଥିବା ଉଲ୍ଲେଖ କରାଯାଇଛି। ଏହାବାଦ୍‌ ଆଡହକ୍‌ କମ୍ପେନସେଟୋରି ଫରେଷ୍ଟେସନ ବାବଦରେ କେନ୍ଦ୍ର ସରକାର ଜାନୁଆରି୧୦, ୨୦୧୫ ସୁଦ୍ଧା ଓଏମବିଏଡିସିକୁ ୮୬୯,୪୨,୨୩,୧୦୨ ଟଙ୍କା ମଂଜୁର କରିଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ ଅଛି।  ଓଏମବିଏଡିସି  ପକ୍ଷରୁ ୬୯୧ଟି  ଗ୍ରାମ ଚିହ୍ନଟ କରାଯାଇଥିବା ମାଇନିଂ ପ୍ରଭାବିତ ଗାଁ ଗୁଡ଼ିକରେ ୪୦୨.୦୩୩ କୋଟି ଟଙ୍କା ବ୍ୟୟରେ ସମସ୍ତ ପରିବାରକୁ ପକ୍କାଘର ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଘର ନିର୍ମାଣ ଶେଷ କରାଯିବାର ଟାର୍ଗେଟ୍‌ ମାର୍ଚ୍ଚ ୨୦୧୮କୁ ଧାର୍ଯ୍ୟ କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ ଅଛି। ମାଇନିଂ ପ୍ରଭାବିତ ଗାଁ ଗୁଡ଼ିକରେ ଅକ୍ଟୋବର ୨୦୧୮ ସୁଦ୍ଧା ‘ପାନୀୟ ଜଳ ଯୋଗାଣା ଯୋଜନା’କୁ କାର୍ଯ୍ୟକାରୀ  କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା କୁହାଯାଇଛି। ଏଥିପାଇଁ ୪୪୬.୦୪ କୋଟି ଟଙ୍କାର ବ୍ୟୟ ଅଟକଳର ପ୍ରସ୍ତାବ ରହିଛି। ମାଇନିଂ ପ୍ରଭାବିତ ୮ଟି ଜିଲ୍ଲାରେ ବନୀକରଣ କାର୍ଯ୍ୟକ୍ରମରେ ଓଏମବିଏଡିସି ଦ୍ୱାରା ୨୦୧୬-୧୭ରେ ୯.୧୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ୨୦୧୭-୧୮ରେ ବନୀକରଣ କାର୍ଯ୍ୟକ୍ରମ ପାଇଁ ୧୫.୨୧ କୋଟି ଟଙ୍କା ଖର୍ଚ୍ଚ କରାଯିବାପାଇଁ ଟାର୍ଗେଟ୍‌ ରହିଛି। ସୀମିତ ପାଣ୍ଠି ଯୋଗୁଁ ଏସପିଭି ସମସ୍ତ ପରିବାରକୁ ମାଇନିଂ ପ୍ରଭାବିତ ଅଞ୍ଚଳରେ ପକ୍କା ଘର ଯୋଗାଇବା, ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି ସତ୍ୟପାଠରେ କୁହାଯାଇଛି। ଅଗଷ୍ଟ ୨, ୨୦୧୭ର ସୁପ୍ରିମକୋର୍ଟଙ୍କ ରାୟ ପରେ ଏସପିଭିକୁ ଡିସେମ୍ବର ୩୧, ୨୦୧୭ ପୂର୍ବରୁ ବିପୁଳ ପରିମାଣରେ ଅର୍ଥ ମିଳିବ ବୋଲି ଆଶା ରହିଥିବା ସତ୍ୟପାଠରେ କୁହାଯାଇଛି। ଅର୍ଥ ମିଳିଲେ ଏସପିଭି ଜରିଆରେ ଖଣି ପ୍ରଭାବିତ ଅଞ୍ଚଳରେ ବୃହତ୍ତ ପ୍ରକଳ୍ପ ସହିତ ଏକାଧିକ ପ୍ରକଳ୍ପ  ତ୍ୱରାନ୍ଵିତ କରାଯିବ ବୋଲି କୁହାଯାଇଛି। ଅର୍ଥ ମିଳିବା ସହିତ ଏସପିଭିର ସୁଦୃଢୀକରଣ ହୋଇପାରିବ ତଥା ଖଣି ପ୍ରଭାବିତ ଅଞ୍ଚଳମାନଙ୍କରେ ବିକାଶମୂଳକ କାର୍ଯ୍ୟପାଇଁ ଅର୍ଥର ବ୍ୟାପକ ଉପଯୋଗ କରାଯାଇପାରିବ ବୋଲି ସତ୍ୟପାଠରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଏନପିିଭିରୁ ଆଦାୟ ଅର୍ଥର ୫୦ ପ୍ରତିଶତ ଏସପିଭି ଜରିଆରେ ଖଣି ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ କରିବାକୁ ସିଇସି ସୁପାରିଶ କରିଥିଲେ। ତଦନୁଯାୟୀ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସରକାର  ଏସପିଭି ଗଠନ କରିଥିଲେ।

ସମ୍ବନ୍ଧିତ ଖବର