ଭାରତ ସହ ଉତ୍ତେଜନାକୁ କମାଅ, ପାକିସ୍ତାନକୁ କହିଲା ଚୀନ

ବେଜିଂ : ଭାରତ ସହ ଉତ୍ତେଜନା କମାଇବାକୁ ପାକିସ୍ତାନକୁ କହିଛି ଚୀନ । ଚୀନ ଭଲଭାବରେ ଜାଣିଛି ଯେ ପାକିସ୍ତାନ କାଶ୍ମୀରରେ ଚାଲିଥିବା ଅସ୍ଥିରତା ପଛରେ ପାକିସ୍ତାନର ହାତ ରହିଛି । ଏଣୁ ପାକିସ୍ତାନ ଯଦି ଭାରତକୁ ଉସୁକେଇବା ବନ୍ଦ କରିଦିଏ ତେବେ ଉତ୍ତେଜନା କମିବ ଓ ପାକିସ୍ତାନରେ ଚୀନ ନିଜର ସିପିଇସି ପ୍ରକଳ୍ପଗୁଡ଼ିକୁ ଠିକ ସମୟରେ ସାରିପାରିବ । ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚୀନକୁ ଟାର୍ଗେଟ କରୁଥିବାରୁ ଚୀନ ଟିକିଏ ଚିନ୍ତିତ ହୋଇପଡିଛି । ବାଣିଜ୍ୟ ନିଅଣ୍ଟ କ୍ଷେତ୍ରରେ ଆମେରିକାର ଧମକ ପରେ ଚୀନ ନରମ ପଡିଥିଲା ଓ ନିଜ ବାଣିଜ୍ୟ ନୀତିକୁ କିଛିଟା କୋହଳ କରିଥିଲା । ଏ ପରିପ୍ରେକ୍ଷୀରେ ଚୀନ ନିଜର ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ବଜାର ଭାରତକୁ ଆଉ ଅସନ୍ତ୍‌ୁଷ୍ଟ କରିବାକୁ ଚାହୁଁନାହିଁ । ସେଥିପାଇଁ ଭାରତକୁ ଶତ୍ରୁ ବିଚାରୁଥିବା ଚୀନ ଏବେ ବନ୍ଧୁତାର ହାତ ବଢାଇଛି । ପାକିସ୍ତାନ ସହିତ ଚୀନର ଦୃଢ ସମ୍ପର୍କ ରହିଥିଲେ ମଧ୍ୟ ପାକିସ୍ତାନ ପରି ଏକ କାଙ୍ଗାଳ ଦେଶ ଯୋଗୁଁ ଭାରତ ପରି ଏକ ବିଶାଳ ବଜାର ହରାଇବାକୁ ଚାହୁଁନାହିଁ । ଏଥିପାଇଁ ଭାରତ ସହ ଉତ୍ତେଜନା ହ୍ରାସ କରିବାକୁ ପାକିସ୍ତାନକୁ କହିଛି ଚୀନ । ଦୁଇଦିନ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ରାଷ୍ଟ୍ରପତି ସି ଜିନ ପିନ ଙ୍କୁ ଭେଟିବାକୁ ଯାଉଥିବାରୁ ଚୀନ କୌଣସି ରିସ୍କ ନେବାକୁ ଚାହୁଁନାହିଁ ।

ପାକିସ୍ତାନର ଏକ ଦୈନିକ ଖବରକାଗଜରେ ମଧ୍ୟ ଏ ବିଷୟରେ ଏକ ସଂପାଦକୀୟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ “ଚୀନ ଓ ଭାରତ ନିଜର ଅର୍ଥନୀତି ଉପରେ ସର୍ବାଧିକ ଗୁରୁତ୍ୱ ଦେଇ ସେହି ଅନୁସାରେ ବିଦେଶନୀତି ପ୍ରସ୍ତୁତ କରୁଛନ୍ତି । ଆମ ଦେଶ (ପାକିସ୍ତାନ) ମଧ୍ୟ ଏଥିରୁ ଶିଖିବା ଆବଶ୍ୟକ ।”

ସମ୍ବନ୍ଧିତ ଖବର