ରିଷ୍ଟ ଖଣ୍ଡନ ପାଇଁ ଦୈନିକ ବେଙ୍ଗାଲୁରୁରେ ୩୫୦ କି. ମି. ଯାତ୍ରା କରୁଛନ୍ତି ମନ୍ତ୍ରୀ ଏଚ୍‌ଡି ରେବାନ୍ନା

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ବଡ଼ ଭାଇ ତଥା ପବ୍ଲିକ୍‌ ଓ୍ଵାର୍କସ୍‌ ମନ୍ତ୍ରୀ ଏଚ୍‌ଡି ରେବାନ୍ନା ହସନ୍‌ ଅନ୍ତର୍ଗତ ନିଜର ନିର୍ବାଚନ ମଣ୍ଡଳୀ ହୋଲେନାରସିପୁର ଏବଂ ବେଙ୍ଗାଲୁରୁ ମଧ୍ୟରେ ଦୈନିକ ୩୫୦ କିଲୋମିଟର ଯାତ୍ରାକରୁଛନ୍ତି। ଏହାର କାରଣ ସହରରେ ତାଙ୍କୁ ଏଯାଏଁ ଘର ମିଳି ନାହିଁ।

କିନ୍ତୁ, ସେ ବନଶଙ୍କରୀ ସେକେଣ୍ଡ୍‌ ଷ୍ଟେଜ୍‌ରେ ଥିବା ନିଜ ଘରେ କିଂବା ତାଙ୍କ ପରିବାର ଲୋକଙ୍କ ମାଲିକାନାରେ ବେଙ୍ଗାଲୁରୁ ଅନ୍ତର୍ଗତ ପଦ୍ମନାଭ ନଗର ଭିତରେ କି, ବାହାରେ ଥିବା ରହୁ ନାହାନ୍ତି କାହିଁକି? କିଂବା ସହରରେ ଘରଟିଏ ଭଡ଼ାରେ ନେଇ ରହୁ ନାହାନ୍ତି କାହିଁକି? ଅସଲ କଥା ହେଲା ଜଣେ ଜ୍ୟୋତିଷି କୁଆଡ଼େ ରେବାନ୍ନାଙ୍କୁ କହିଛନ୍ତି ଯେ ମନ୍ତ୍ରୀ ଥିବାଯାଏଁ ବେଙ୍ଗାଲୁରୁସ୍ଥିତ ନିଜ ଘରେ ଶୋଇବେ ନାହିଁ। ଜ୍ୟୋତିଷି ଶାସ୍ତ୍ରରେ ରେବାନ୍ନାଙ୍କର ଅଖଣ୍ଡ ବିଶ୍ୱାସ। ତାଙ୍କର ପ୍ରତି କାମ ଓ ନିଷ୍ପତ୍ତି ଶୁଭ ବେଳା ଓ ଦିନ ଦ୍ୱାରା ପରିଚାଳିତ।

ରେବାନ୍ନା କହନ୍ତି: ତାଙ୍କୁ ଏ ଯାବତ୍‌ ଘର ଖଣ୍ଡେ ମିଳି ନ ଥିବାରୁ ସେ ଏତେ ବାଟ ଯିବା ଆସିବା କରୁଛନ୍ତି।

ତାଙ୍କର ଜଣେ ନିକଟତମ ବ୍ୟକ୍ତିଙ୍କ ଠାରୁ ପ୍ରକାଶ, ଜ୍ୟୋତିଷି କୁଆଡ଼େ ତାଙ୍କୁ କହିଛନ୍ତି କି, ନିଜ ଘରେ ରାତ୍ରୀଯାପନ କଲେ ଦୁର୍ଭାଗ୍ୟ ଆସିବ। ଠିକ୍‌ କୁମାରସ୍ୱାମୀଙ୍କ ସରକାରରେ ସେ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାର ସମୟ ଆଧାରରେ ତାଙ୍କୁ ଏଭଳି ଉପଦେଶ ଦିଆଯାଇଛି। ରାବେନ୍ନା ସେ ଉପଦେଶକୁ ନିଷ୍ଠାର ସହ ପାଳନ କରୁଛନ୍ତି।

ସରକାର ବଙ୍ଗଳା ଦେଲେ ସେଠାରେ ଯାଇ ରହିବାକୁ ରାବେନ୍ନାଙ୍କୁ ପରାମର୍ଶ ଦେଇଛନ୍ତି ଜ୍ୟୋତିଷି। କିନ୍ତୁ, ସେଠାରେ ବି ଅଡୁଆ ରହିଛି। କୁମାର ପାର୍କ ପଶ୍ଚିମରେ ସେ ପସନ୍ଦ କରୁଥିବା ବଙ୍ଗଳାଟି ଖାଲି ନାହିଁ। ମଙ୍ଗଳମୟ ବୋଲି ବିଚାର କରାଯାଉଥିବା ସେ ବଙ୍ଗଳାଟିରେ ଏବେ ରହୁଛନ୍ତି ପୂର୍ବତନ ପବ୍ଲିକ୍‌ ଓ୍ଵାର୍କ ମନ୍ତ୍ରୀ ଏଚ୍‌ ସି ମହାଦେବପ୍ପା। ସେ ତିନି ମାସ ପରେ ଘର ଛାଡ଼ିବେ। ସେ ସେ ବଙ୍ଗଳାରେ ୨୦୧୩ରୁ ଅବସ୍ଥାନ କରି ଆସୁଛନ୍ତି।

ଅନ୍ୟ କେଉଁଠି ରହିବାକୁ ସ୍ଥାନ ନ ପାଇ, ରେବାନ୍ନା ବେଙ୍ଗାଲୁରୁ ଓ ହୋଲେନାରସିପୁର ଯାତାୟାତ କରୁଛନ୍ତି। ସେ ଦୈନିକ ଭୋର୍‌ ୫ଟାରେ ଉଠି ପୂଜାପ୍ରାର୍ଥନା କରିବା ପରେ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଭେଟୁଛନ୍ତି। ସକାଳ ୮ଟା ବେଳକୁ ବେଙ୍ଗାଲୁର ଅଭିମୁଖେ ଯାତ୍ରା ଆରମ୍ଭ କରୁଛନ୍ତି। ସାଢ଼େ ଏଗାରଟା ସୁଦ୍ଧା ସେ ବେଙ୍ଗାଲୁରୁରେ ପହଞ୍ଚି ଯାଉଛନ୍ତି। ରାତି ୯ଟାରେ ସେଠାରୁ ବାହାରି ଅଧ ରାତିକୁ ଆସି ହୋଲେନାରସିପୁରରେ ପହଞ୍ଚୁଛନ୍ତି। ଅବଶ୍ୟ ସେ ଏକ ସରକାରୀ କାର୍‌ରେ ଯିବାଆସିବା କରୁଛନ୍ତି ଓ ଏଥି ପାଇଁ ଖର୍ଚ୍ଚ ବହନ କରୁଛନ୍ତି ସରକାର।

ସମ୍ବନ୍ଧିତ ଖବର