ଜାତୀୟ ରାଜପଥ କଡ଼ରେ ନାବାଳିକାଙ୍କୁ ନେଇ ଚାଲିଥିଲା ଦେହ ବେପାର; କେନ୍ଦ୍ର ମନ୍ତ୍ରୀ ଜାଣିବା ପରେ କହିଲେ ଦୁର୍ଭାଗ୍ୟଜନକ, ମାଗିଲେ ରିପୋର୍ଟ

ଭୋପାଳ (ମଧ୍ୟପ୍ରଦେଶ)/ ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରତ୍‌ଲାମ୍‌ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ- ୭୯ କଡ଼ରେ ଏକ ଜନଜାତି ପକ୍ଷରୁ ନାବାଳିକାମାନଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରା ଯାଉଥିବା ଘଟଣା ଲୋକଲୋଚନକୁ ଆସିବା ପରେ ଏହାକୁ ନେଇ ଏବେ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମଧ୍ୟପ୍ରଦେଶର ରତ୍‌ଲାମ୍‌ ଜିଲ୍ଲା ଦେଇ ନୂଆଦିଲ୍ଲୀ ଓ ମୁମ୍ବାଇକୁ ସଂଯୋଗ କରୁଥିବା ଜାତୀୟ ରାଜପଥ କଡ଼ରେ, ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଏକ ଜନଜାତି ପକ୍ଷରୁ ଖୋଲାଖୋଲି ଭାବେ ଦେହ ବ୍ୟବସାୟ ଚାଲିଥିଲା। ସଂପୃକ୍ତ ଜନଜାତିର ଲୋକେ ସେମାନଙ୍କ ସଂପ୍ରଦାୟର ନାବାଳିକା ମାନଙ୍କୁ ଆଣି ଦେହ ବ୍ୟବସାୟରେ ଲିପ୍ତ କରାଉଥିଲେ। ମଧ୍ୟପ୍ରଦେଶର ଏହି ଜନଜାତି ପରମ୍ପରା ନାମରେ ସେମାନଙ୍କ ସଂପ୍ରଦାୟର ୧୨ରୁ ୧୩ ବର୍ଷ ବୟସ ମଧ୍ୟରେ ଥିବା ନାବାଳିକା ମାନଙ୍କୁ ଆଣି ଏହି ଘୃଣ୍ୟ ଦେହ ବ୍ୟବସାୟରେ ଲିପ୍ତ କରାଇବା ସହ ନାବାଳିକା ମାନଙ୍କର ଦେହ ବିନିମୟରେ ଗ୍ରାହକ ମାନଙ୍କ ଠାରୁ ଅର୍ଥ ଆଦାୟ କରୁଥିଲେ। ଜଣେ ଜଣେ ନାବାଳିକା ପ୍ରତି ରାତିରେ ୧୦ରୁ ୧୧ ଜଣ ଲୋକଙ୍କ ଠାରୁ ଅର୍ଥ ନେଇ ସେମାନଙ୍କର ଯୌନ କ୍ଷୁଧା ମେଣ୍ଟାଉ ଥିଲେ।

ମଧ୍ୟପ୍ରଦେଶ ଦେଇ ଯାଇଥିବା ଏହି ଜାତୀୟ ରାଜପଥ କଡ଼ରେ ଚାଲିଥିବା ଏହି ଘୃଣ୍ୟ କରବାର ସଂପର୍କରେ ପୁଲିସ୍‌ ଠାରୁ ଆରମ୍ଭ କରି ପ୍ରଶାସନ ଓ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ ଭଲ ରୂପେ ଅବଗତ ଥିଲେ ସୁଦ୍ଧା ସମସ୍ତେ ଏଥିପ୍ରତି ଆଖିବୁଜି ଦେଇଥିଲେ। ନିକଟରେ ଜାତୀୟ ସ୍ତରର ଏକ ନ୍ୟୁଜ୍‌ ଚ୍ୟାନେଲ ସିଏନ୍‌ଏନ୍‌ ନ୍ୟୁଜ୍‌ ୧୮ ପକ୍ଷରୁ ଏହି ଘୃଣ୍ୟ କାରବାର ସଂପର୍କରେ ଏକ ବିଶେଷ ଅନୁସନ୍ଧାନ ମୂଳକ ରିପୋର୍ଟ ଭିଡିଓ ଚିତ୍ର ସହ ପ୍ରସାରିତ ଓ ପ୍ରଦର୍ଶିତ ହେବା ପରେ ଏବେ ଏହାକୁ ନେଇ ଦେଶବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହୋଇଛି।


ଏହି ଘୃଣ୍ୟ କାରବାର ସଂପର୍କରେ ଜାଣିବା ପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ଏହି ଘଟଣାକୁ ‘ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ’ ବୋଲି କହିବା ସହ ଏହି ଘଟଣା ସଂପର୍କରେ ଅବିଳମ୍ବେ ଏକ ରିପୋର୍ଟ ଦେବା ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ ତଲବ କରିଛନ୍ତି। ଏଥିସହ ସଂପୃକ୍ତା ନାବାଳିକା ମାନଙ୍କ ଯୌନ ସଂପର୍କ ରଖିଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପୋସ୍କୋ ଆଇନ୍‌ ବଳରେ ମାମଲା ରୁଜ୍ଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର