ମିର୍ଚପୁର ଦଳିତ ହତ୍ୟା ମାମଲା: ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡ

ଚଣ୍ଡିଗଡ଼: ୨୦୧୦ ମସିହାରେ ହରିୟାଣାର ହିସାର ଜିଲ୍ଲା ଅନ୍ତର୍ଗତ ମିର୍ଚପୁରରେ ଘଟିଥିବା ଦଳିତ ହତ୍ୟାକାଣ୍ଡ ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ୩୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାରେ ୨୦ ଜଣଙ୍କୁ ଟ୍ରାଏଲ୍‌ କୋର୍ଟ ପୂର୍ବରୁ ଦୋଷମୁକ୍ତ କରିଥିଲେ ମଧ୍ୟ ଦିଲ୍ଲୀ ହାଇକୋର୍ଟ ପୂର୍ବ ରାୟକୁ ଖାରଜ କରି ଏମାନଙ୍କୁ ପୁନର୍ବାର ଦୋଷୀସାବ୍ୟସ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ୨୦୧୦ ମସିହା ଏପ୍ରିଲ ୧୯ରୁ ୨୧ ତାରିଖ ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ମିର୍ଚପୁର ଗ୍ରାମରେ ଜାଟ୍‌ ଏବଂ ଦଳିତ ସମ୍ପ୍ରଦାୟ ମଧ୍ୟରେ ବିବାଦ ପାଇଁ ୭୦ ବର୍ଷୀୟ ଦଳିତ ବ୍ୟକ୍ତି ତାରାଚାନ୍ଦଙ୍କ ଘରେ ନିଅାଁ ଲଗାଇ ଦିଆଯାଇଥିଲା। ଏଥିରେ ତାରାଚାନ୍ଦ ଓ ତାଙ୍କ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସୁପ୍ରିମକୋର୍ଟ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ମାମଲାଟିକୁ ହିସାର୍‌ରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଥିଲେ। ମାମଲାର ତଦନ୍ତ କରୁଥିବା ଟ୍ରାଏଲ୍‌ କୋର୍ଟ ୨୦୧୧ ମସିହା ସେପ୍ଟେମ୍ବର ୨୪ ତାରିଖରେ ମାମଲାରେ ଜଡ଼ିତ ୯୭ ଜାଟ୍‌ ସମ୍ପ୍ରଦାୟ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ।

ସମ୍ବନ୍ଧିତ ଖବର