ମିସ ଇଣ୍ଡିଆ ୟୁନିଭର୍ସଙ୍କୁ ଅସଦାଚରଣ କଲେ କିଛି ଯୁବକ, ଫେସବୁକ ରେ ଜଣାଇଲେ ପୁରା ଘଟଣା

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଜଣେ ପ୍ରସିଦ୍ଧ ମଡେଲଙ୍କୁ ଅସଦାଚରଣ କରାଯାଇଥିବାର ଅଭିଯୋଗ ସାମ୍ନାକୁ ଆସିଛି | ୨୦୧୦ ମସିହାର ମିସ ଇଣ୍ଡିଆ ୟୁନିଭର୍ସ ହୋଇଥିବା ଉଷସୀ ସେନଗୁପ୍ତାଙ୍କୁ କିଛି ଯୁବକ ଅସଦାଚରଣ କରିଥିବାର ସେ ଅଭିଯୋଗ କରିଛନ୍ତି | ଏହାସହ ଏହି ଘଟଣା ସମ୍ବଦ୍ଧିତ ଅସଦାଚରଣର ଏକ ଭିଡିଓକୁ ମଧ୍ୟ ନିଜ ଫେସବୁକରେ ପୋଷ୍ଟ କରିଛନ୍ତି | ନିଜ ସହକର୍ମୀ ସହ ସେ ଘରକୁ ଫେରୁଥିବାବେଳେ କିଛି ବାଇକରେ ଯାଉଥିବା ଯୁବକ ତାଙ୍କ ଗାଡିକୁ ଅଟକାଇ ଡ୍ରାଇଭରକୁ ମାଡ ମାରିବା ସହ ତାଙ୍କ ପ୍ରତି ଅସଦାଚରଣ କରିଥିବାର ସେ ନିଜ ପୋଷ୍ଟରେ ଲେଖିଛନ୍ତି |

ଉଷସୀ ଅଭିଯୋଗ କରିଛନ୍ତି ଯେ ଏହି ଘଟଣା ବାବଦରେ ସେ ଉପସ୍ଥିତ ଥିବା ପୋଲିସ ଅଧିକାରୀଙ୍କୁ ଜଣାଇଥିଲେ | କିନ୍ତୁ ପୋଲିସ ତାଙ୍କୁ ସାହାଯ୍ୟ କରିବାକୁ ମନା କରିଦେଇଥିଲା | ଉଷସୀ ଅତ୍ୟନ୍ତ କ୍ଷୋଭର ସହ ଲେଖିଛନ୍ତି ଯେ ଯଦି ଆପଣଙ୍କୁ କେହି ମାରପିଟ କରନ୍ତି ବା ଜୀବନରୁ ମାରି ଦିଅନ୍ତି ତେବେ ଆପଣ ପୋଲିସ ପାଖକୁ ଯିବା ପୂର୍ବରୁ ଘଟଣାସ୍ଥଳ ତାଙ୍କ ଥାନା ଅଧୀନରେ ଆସୁଛି ନା ନାହିଁ ପ୍ରଥମେ ଜାଣିନିଅନ୍ତୁ | କାରଣ ଥାନା ଅଂଚଳ ଅଧୀନରୁ ୧୦୦ ମିଟର ଦୂରରେ ତାଙ୍କ ସହ ଏଭଳି ଘଟଣା ଘଟିଥିଲେ ବି ପୋଲିସ ସାହାଯ୍ୟ କରିନଥିଲା |

ଏହାକୁ ନେଇ ତାଙ୍କ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | ଘଟଣା ବାବଦରେ ଉଷସୀ ଫେସବୁକରେ ପୋଷ୍ଟ କରିବା ପରେ ଏହାକୁ ନେଇ ପୁଲିସ ମଧ୍ୟ ଏବେ ତଦନ୍ତ କରୁଛି | କୋଲକାତା ପୁଲିସର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଘଟଣାକୁ ଗମ୍ଭିରତାର ସହ ନିଆଯାଇଛି | ସାତଜଣ ଲୋକଙ୍କୁ ଗିରଫ କରାଯାଇଥିବାବେଳେ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି |

ସମ୍ବନ୍ଧିତ ଖବର