“ମିଶନ ସଫଳ” ସିରିଆ ଆକ୍ରମଣ ପରେ ମୁହଁ ଖୋଲିଲେ ଟ୍ରମ୍ପ

ଓ୍ଵାସିଂଟନ: ସିରିଆ ସରକାରଙ୍କ ଦ୍ୱାରା ବିଦ୍ରୋହୀଙ୍କ ଉପରେ ରାସାୟନିକ ଅସ୍ତ୍ର ପ୍ରୟୋଗକୁ ବିରୋଧ କରି ଆମେରିକା ଓ ତାହାର ମିତ୍ର ରାଷ୍ଟ୍ର ଫ୍ରାନ୍ସ ଓ ବ୍ରିଟେନ କରିଥିବା କ୍ଷେପଣାନ୍ତ୍ର ଆକ୍ରମଣ ପରେ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଟ୍ଵିଟ୍‌ କରି ସେ କହିଛନ୍ତି ଯେ ଗତରାତିରେ ଏକ ଅତି ନିର୍ଭୁଲ ଓ ସଫଳ ଆକ୍ରମଣ କରାଯାଇଥିଲା । ବ୍ରିଟେନ ଓ ଫ୍ରାନ୍ସର ସହଯୋଗ ପାଇଁ ଧନ୍ୟବାଦ । ମିଶନ ସଫଳ ହୋଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆକ୍ରମଣ ରାସାୟନିକ ଅସ୍ତ୍ରର ଉତ୍ପାଦନ, ପ୍ରସାର ଓ ପ୍ରୟୋଗ ବିରୋଧରେ ହୋଇଥିଲା । ଆମ ସେନାବାହିନୀ ପାଇଁ ମୁଁ ଗର୍ବିତ । ଆମ ସେନା ଏବେ ଇତିହାସର ସବୁଠୁ ଶକ୍ତିଶାଳୀ ସେନାରେ ପରିଣତ ହେବାକୁ ଯାଉଛି । ଆମ ଆଖପାଖରେ ହିଁ କେହି ପହଞ୍ଚି ପାରିବେ ନାହିଁ ।

ଗତ ରାତିରେ ସିରିଆର ବସଦ-ଅଲ-ଆସଦ ସରକାରଙ୍କ ଦ୍ୱାରା ରାସାୟନିକ ଆକ୍ରମଣ ହେଉଥିବା ଅଭିଯୋଗ କରି ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ପକ୍ଷରୁ ଗତକାଲି ସିରିଆର କେତେକ ଟାର୍ଗେଟ ଉପରେ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । ଏହା ଦ୍ୱାରା ସିରିଆ ଗଚ୍ଛିତ ରଖିଥିବା ରାସାୟନିକ ଅସ୍ତ୍ରର ଏକ ବଡ଼ ଭଣ୍ଡାର ଧ୍ୱଂସ ପାଇଯାଇଛି ବୋଲି ଫ୍ରାନ୍ସର ବିଦେଶ ମନ୍ତ୍ରୀ ଜିନ ଭେସ ଲି ଡ୍ରିଆନ କହିଛନ୍ତି । ତେବେ ଏହି ଆକ୍ରମଣର ପରିଣତି ଆମେରିକା ଭୋଗିବ ବୋଲି ଋଷିଆ କହିଛି ।

ସମ୍ବନ୍ଧିତ ଖବର