ଦେଶର ବିଧାୟକମାନଙ୍କର ବାର୍ଷିକ ହାରାହାରି ଆୟ ୨୪.୫୯ ଲକ୍ଷ: ରିପୋର୍ଟ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟ ବିଧାନସଭା ମାନଙ୍କରେ ଥିବା ବିଧାୟକ ମାନଙ୍କର ବାର୍ଷିକ ହାରାହାରି ଆୟ ହେଉଛି ୨୪. ୫୯ ଲକ୍ଷ। ତେବେ, ଅଷ୍ଟମ ଶ୍ରେଣୀ ପାସ୍‌ କରିଥିବା ବିଧାୟକମାନେ ହେଉଛନ୍ତି ଏମାନଙ୍କ ମଧ୍ୟରେ ସବୁଠାରୁ ଧନୀ। ଏମାନଙ୍କର ବାର୍ଷିକ ହାରାହାରି ଆୟ ହେଉଛି ୮୯.୯ ଲକ୍ଷ। ସେହିପରି ସ୍ନାତକ ଓ ସ୍ନାତକୋତ୍ତର ପାସ୍‌ କରିଥିବା ବିଧାୟକ ମାନଙ୍କର ବାର୍ଷିକ ହାରାହାରି ଆୟ ହେଉଛି ୧୯.୮ ଲକ୍ଷ। ‘ଶ୍ରୀ ଅକ୍ଷର ବିବର୍ଜିିତ’ ଅର୍ଥାତ୍‌ ଅପାଠୁଆ ବିଧାୟକ ମାନଙ୍କର ବାର୍ଷିକ ହାରାହାରି ଆୟ ହେଉଛି ୯.୩ ଲକ୍ଷ। ଦେଶର ବିଧାୟକମାନଙ୍କ ମଧ୍ୟରେ କର୍ଣ୍ଣାଟକର ୨୦୩ ବିଧାୟକ ହେଉଛନ୍ତି, ଦେଶର ସବୁଠାରୁ ଧନୀ ବିଧାୟକ। ଏମାନଙ୍କର ବାର୍ଷିକ ହାରାହାରି ଆୟ ହେଉଛି ୧.୧ କୋଟି। ଦେଶର ପୂର୍ବାଞ୍ଚଳ ବିଧାୟକ ମାନଙ୍କର ଆୟ ସବୁଠାରୁ କମ୍‌। ଦେଶର ପୂର୍ବାଞ୍ଚଳରେ ଥିବା ୬୧୪ ବିଧାୟକଙ୍କର ବାର୍ଷିକ ହାରାହାରି ଆୟ ହେଉଛି ୮. ୫ ଲକ୍ଷ। ଇଲେକ୍‌ସନ୍‌ ଓ୍ଵାଚ୍‌ ପକ୍ଷରୁ ଆଜି ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହି ତଥ୍ୟ ସାମନାକୁ ଆସିଛି।

ସେହିପରି ଦେଶର ଦାକ୍ଷିଣାତ୍ୟର ବିଧାୟକମାନେ ହେଉଛନ୍ତି ଧନୀ ବିଧାୟକ। ଦାକ୍ଷିଣାତ୍ୟରେ ଥିବା ୭୧୧ ଜଣ ବିଧାୟକଙ୍କର ବାର୍ଷିକ ହାରାହାରି ଆୟ ହେଉଛି ୫୧.୯୯ ଲକ୍ଷ। ତେବେ ଛତିଶଗଡ଼ର ବିଧାୟକମାନଙ୍କର ଆୟ ଅନ୍ୟ ବିଧାୟକମାନଙ୍କ ତୁଳନାରେ ସବୁଠାରୁ କମ୍‌। ଛତିଶଗଡ଼ ବିଧାୟକମାନଙ୍କର ବାର୍ଷିକ ହାରାହାରି ଆୟ ୫.୪ ଲକ୍ଷ ରହିଥିବା ଏହି ରିପୋର୍ଟରୁ ଜାଣିବା ପାଇଁ ମିଳିଛି।

ଦେଶର ୪,୦୮୬ ଜଣ ବିଧାୟକମାନଙ୍କ ମଧ୍ୟରୁ ୩,୧୪୫ ଜଣ ବିଧାୟକ ସତ୍ୟପାଠ ଜରିଆରେ ସେମାନଙ୍କ ବାର୍ଷିକ ଆୟ ଘୋଷଣା କରିଛନ୍ତି। ୯୪୧ ଜଣ ବିଧାୟକ ସେମାନଙ୍କର ବାର୍ଷିକ ଆୟ ସଂପର୍କରେ କୌଣସି ତଥ୍ୟ ପ୍ରଦାନ କରିନାହାନ୍ତି।

ସତ୍ୟପାଠ ଦାଖଲ କରିଥିବା ବିଧାୟକମାନଙ୍କ ମଧ୍ୟରୁ ୩୩ ପ୍ରତିଶତ; ଯେଉଁମାନଙ୍କର ଶିକ୍ଷାଗତ ଯୋଗ୍ୟତା ୫ମରୁ ୧୨ଶ ଶ୍ରେଣୀ ମଧ୍ୟରେ ରହିଛି ସେମାନଙ୍କର ହାରାହାରି ବାର୍ଷିକ ଆୟ ୩୧.୦୩ ଲକ୍ଷ ରହିଥିବା ବେଳେ; ୬୩ ପ୍ରତିଶତ; ଯେଉଁମାନଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତଦୁର୍ଦ୍ଧ ରହିଛି, ସେମାନଙ୍କର ହାରାହାରି ବାର୍ଷିକ ଆୟ ୨୦.୮୭ ଲକ୍ଷ ରହିଛି। ସେହିପରି ‘ଶ୍ରୀ ଅକ୍ଷର ବିବର୍ଜିିତ’ ଅର୍ଥାତ୍‌ ଅପାଠୁଆ ବିଧାୟକ ମାନଙ୍କର ବାର୍ଷିକ ହାରାହାରି ଆୟ ହେଉଛି ୯.୩ ଲକ୍ଷ। ଗୃହିଣୀରୁ ବିଧାୟିକା ସାଜିଥିବା ବିଧାୟକମାନଙ୍କର ବାର୍ଷିକ ହାରାହାରି ଆୟ ୩.୭୯ ଲକ୍ଷ ରହିଛି।

ସମ୍ବନ୍ଧିତ ଖବର