ମହାରାଷ୍ଟ୍ରରେ ପ୍ଲାଷ୍ଟିକ ବ୍ୟାନ ହଟାଇବାକୁ ବହୁରାଷ୍ଟ୍ରୀୟ କମ୍ପାନିଙ୍କ ଉଦ୍ୟମ

ମୁମ୍ବାଇ : ପରିବେଶ ପ୍ରଦୂଷଣ ରେକିବାକୁ ୨୦୨୨ ସୁଦ୍ଧା ଦେଶରେ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକର ପ୍ରଚଳନ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ସେଠାକାର ରାଜ୍ୟ ସରକାର ଥରେ ବ୍ୟବହାର ଯୋଗ୍ୟ ବା ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ସଂପୂର୍ଣ୍ଣ ନିଷିଦ୍ଧ କରିଛନ୍ତି । କିନ୍ତୁ ଏହି ନିଷେଧାଜ୍ଞାକୁ ହଟାଇବାକୁ ବହୁରାଷ୍ଟ୍ରୀୟ କମ୍ପାନିମାନେ ଲବି ଆରମ୍ଭ କରିଛନ୍ତି ।

ଏହି ନିଷେଧାଜ୍ଞାକୁ କୋହଳ କରିବା ବା ପର୍ଯ୍ୟାୟକ୍ରମେ ଲାଗୁ କରିବା ପାଇଁ ଏହି ବହୁରାଷ୍ଟ୍ରୀୟ କମ୍ପାନି ଓ ପ୍ଲାଷ୍ଟିକ ଶିଳ୍ପ ଦାବି କରିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ପେପସୀ, କୋକାକୋଲା, ଆମାଜନ, ଏଚଏଣ୍ଡଏମ ପରି କମ୍ପାନି । ଜୁନ ୨୩ରେ ଏହି ନିଷେଧାଜ୍ଞା ଆସିବା ପୂର୍ବରୁ ଏସବୁ କମ୍ପାନି, ପ୍ଲାଷ୍ଟିକ ଶିଳ୍ପ ସଂଘର କର୍ମକର୍ତ୍ତାମାନେ ମହାରାଷ୍ଟ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଏହି ନିଷେଧାଜ୍ଞାକୁ କୋହଳ କରିବା ବା ପର୍ଯ୍ୟାୟକ୍ରମେ ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି । ଏହାକୁ ଲାଗୁ କରିବାକୁ ଅତି କମରେ ୭ ବର୍ଷ ସମୟ ଦେବାକୁ ଏହି ଶିଳ୍ପ ଦାବି କରିଛି । ଏମାନେ କହିଛନ୍ତି ଯେ ଏହି ଶିଳ୍ପରେ ସେମାନେ ବିପୁଳ ନିବେଶ କରିଛନ୍ତି, ବ୍ୟାଙ୍କ ଋଣ କରିଛନ୍ତି, ଅନେକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । କୌଣସି ବିକଳ୍ପ ପନ୍ଥା ବାହାର ନ କରି ହଠାତ ନିଷେଧାଜ୍ଞା ଲଗାଇବା ଠିକ ନୁହେଁ । ଜାତିସଂଘର ତଥ୍ୟ ଅନୁସାରେ ସାରା ବିଶ୍ୱରେ ଯେତେ ପରିମାଣରେ ପ୍ଲାଷ୍ଟିକ ବ୍ୟବହାର ହୁଏ ତାହାର ପ୍ରାୟ ଅଧା ହେଉଛି ଥରେ ମାତ୍ର ବ୍ୟବହାର ହେଉଥିବା ପ୍ୟାକିଂରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ( ପଲିଥିନ ଆଦି) ।

ସମ୍ବନ୍ଧିତ ଖବର