ଶ୍ରୀନଗରରେ କଟକଣା କୋହଳ, ୧୫ ଦିନ ପରେ ଲାଲଚୌକ୍‌ରୁ ହଟିଲା ବ୍ୟାରିକେଡ୍‌

ମୋବାଇଲ, ଇଣ୍ଟରନେଟ୍‌ ସେବା ବନ୍ଦ ରହିବ

ଶ୍ରୀନଗର: ଶ୍ରୀନଗର ସହରର ବ୍ୟବସାୟିକ କେନ୍ଦ୍ର ଲାଲ ଚୌକ୍‌ ଅଂଚଳରେ ପରିବହନ କ୍ଷେତ୍ରରେ ଲଗାଯାଇଥିବା କଟକଣା ଆଜି ହଟାଇ ଦିଆଯାଇଛି। ସର୍ବାଧିକ ସମ୍ବେଦନଶୀଳ ଅଂଚଳରୁ ମଧ୍ୟ ବ୍ୟାରିକେଡ୍‌ ହଟାଇ ଦିଆଯାଇଛି। ତେବେ ହିଂସା ରୋକିବା ପାଇଁ ବ୍ୟାପକ ସର୍ତକତା ମୂଳକ ପଦକ୍ଷେପ ନିଆଯାଇଛି। ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବା ଆଜିକୁ ୧୬ ଦିନ ହେଲା ବନ୍ଦ ରହିଥିବା ବେଳେ ଆଗକୁ ମଧ୍ୟ ଏ ବାବଦ କଟକଣା ଜାରି ରହିବ ବୋଲି କୁହାଯାଇଛି । ସରକାରୀ କାର୍ଯ୍ୟଳୟରେ ଆଜି ଉପସ୍ଥିତି ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ସ୍କୁଲଗୁଡ଼ିକରେ ମଧ୍ୟ ଉପସ୍ଥାନ ବଢ଼ିବାରେ ଲାଗିଛି । ଘାଟିରେ ଆଜି ଯାତ୍ରୀ ପରିବହନ ବ୍ୟବସ୍ଥାରେ ଲାଗୁ ହୋଇଥିବା କଟକଣା ହଟିବା ପରେ ବଜାରରେ ଗହଳ ଚହଳ ବଢ଼ିଯାଇଛି । ୫ ଅଗଷ୍ଟରେ ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଧାରା ୩୭୦କୁ ସରକାର ହଟାଇ ନେବା ପରଠାରୁ ରାଜ୍ୟରେ ବ୍ୟାପକ କଟକଣା ଜାରି ରହିଥିଲା। ଜମ୍ମୁରେ ସ୍ଥିତି ସଂପୂର୍ଣ୍ଣ ସ୍ବାଭାବିକ ହେଉଥିବା ବେଳେ କଶ୍ମୀରରେ ଏବେ ବି ସଂଗୀନ ରହିଛି। ସେନା ଉପରେ ପଥର ଆକ୍ରମଣ ପାଇଁ ବିଚ୍ଛିନ୍ନତାବାଦୀଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କରିଦିଆଯାଇଛି ।

ସମ୍ବନ୍ଧିତ ଖବର