ପ୍ରଚଣ୍ଡ ବହୁମତ ସହ ଅଧିକ ଦାୟିତ୍ୱ ଆସିଯାଇଛି : ମୋଦି

ନୂଆଦିଲ୍ଲୀ : ଆଜି ବିଜେପି ଓ ଏନଡିଏ ସଂସଦୀୟ ଦଳ ବୈଠକରେ ନରେନ୍ଦ୍ର ମୋଦିଙ୍କୁ ସଂସଦୀୟ ଦଳ ନେତା ମନୋନୀତ କରାଯାଇଛି । ଏହି ଅବସରରେ ଉଦବୋଧନ ଦେଇ ମୋଦି କହିଛନ୍ତି ଯେ ପ୍ରଚଣ୍ଡ ବହୁମତ ସହ ପୁଣି ନିର୍ବାଚିତ ହୋଇ ଆସିବା ଆମ ଦାୟିତ୍ୱକୁ ବଢାଇଦେଇଛି । ସମସ୍ତେ ମିଳିମିଶି କାମ କଲେ ଆମେ ଏହି ଗୁରୁ ଦାୟିତ୍ୱର ନିର୍ବାହ କରିପାରିବା । ସେ କହିଛନ୍ତି ବିଶ୍ୱର ଏହି ବୃହତ୍ତମ ଗଣତାନ୍ତ୍ରିକ ପ୍ରକ୍ରିୟା ଦେଶର ଲୋକମାନଙ୍କୁ ଯୋଡିଛି, ଏକତ୍ରିତ କରିଛି । ଏହି ନିର୍ବାଚନ ଲୋକଙ୍କ ମଧ୍ୟରେ ଥିବା ପାଚେରୀକୁ ଭାଙ୍ଗି ଦେଇଛି । ଦେଶର ସମ୍ବିଧାନକୁ ପ୍ରଣାମ କରି ସେ କହିଛନ୍ତି ଯେ ଜଣେ ଜନପ୍ରତିନିଧି ପାତର ଅନ୍ତର କରିପାରିବ ନାହିଁ । ସେ ସମସ୍ତଙ୍କ ପାଇଁ ଜନପ୍ରତିନିଧି ।

ଏହାପୂର୍ବରୁ  ଏନଡିଏ ସଂସଦୀୟ ଦଳ ବୈଠକରେ ମୋଦିଙ୍କୁ ନେତା ଚୟନ କରାଯାଇଥିଲା । ଶୀରୋମଣି ଅକାଳି ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ ମୋଦିଙ୍କ ନାଁ ପ୍ରସ୍ତାବ ଦେଇଥିବାବେଳେ  ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନିତିଶ କୁମାର ଏହି ପ୍ରସ୍ତାବର ସମର୍ଥନ କରିଥିଲେ । ଏହାପୂର୍ବରୁ ବିଜେପି ସଂସଦୀୟ ଦଳ ବୈଠକରେ ମଧ୍ୟ ମୋଦିଙ୍କୁ ନେତା ମନୋନୀତ କରାଯାଇଥିଲା ।

ସମ୍ବନ୍ଧିତ ଖବର