ଯଦି ଆମର ‘ରାଫେଲ’ ଥାଆନ୍ତା, ତେବେ ପରିଣତି ଅଲଗା ହୋଇଥାନ୍ତା : ମୋଦି

ନୂଆଦିଲ୍ଲୀ :  ଯଦି ଆମର ରାଫେଲ ଥାଆନ୍ତା, ତେବେ ପରିଣାମ ଅଲଗା ହୋଇଥାଆନ୍ତା । ପାକିସ୍ତାନ ଓ ଭାରତ ମଧ୍ୟରେ ଚାଲିଛଥିବା ଉତେଜନା ପରିପ୍ରେକ୍ଷୀରେ ଏହି ବୟାନ ଦେଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଂଡିଆ ଟୁଡେ କନକ୍ଲେଭରେ ଯୋଗ ଦେଇ ମୋଦି ରାଫେଲରୁ ଗୁରୁତ୍ୱ ଉପରେ ଏଭଳି ବୟାନ ରଖିଛନ୍ତି । ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟ କରି କହିଛନ୍ତି, ମୋଦି ସରକାରଙ୍କ ପାଇଁ ରାଫେଲ ଆସିବାରେ ବିଳମ୍ବ ହେଉଛି ଏବଂ ମିଗ୍-୨୧ ପରି ପୁରୁଣା ଯୁଦ୍ଧ ବିମାନରେ ପାଇଲଟଙ୍କୁ ଲଢିବାକୁ ପଡୁଛି ।

ଆଜିର ଦିନରେ ଯଦି ରାଫେଲ୍ ବିମାନ ଥାନ୍ତା, ତାହେଲେ ପରିଣତି ହୁଏତ ଅଲଗା କିଛି ହୋଇଥାନ୍ତା । କିଛି ଏଭଳି କଥା କହି, ରାଫେଲ୍ ବିମାନ ପ୍ରସଙ୍ଗରେ କଂଗ୍ରେସ ଆଡକୁ ଇସାରା କରି ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଅର୍ଥାତ୍ ରାଫେଲ ବିମାନ କିଣିବାରେ ବିଳମ୍ବ ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି ନରେନ୍ଦ୍ର ମୋଦି ।

ସରକାରୀ ଏବଂ ଦଳୀୟ କାର୍ଯ୍ୟକ୍ରମ ବାହାରେ ପ୍ରଥମ ଥର ପାଇଁ ଇଣ୍ଡିଆଟୁଡେ କନକ୍ଲେଭରେ ପ୍ରଧାନମନ୍ତ୍ରୀ ଖୋଲାଖୋଲି ଭାରତ-ପାକିସ୍ତାନ ଉତେଜନା ସଂପର୍କରେ ମତ ଦେଇଥିଲେ । ଏଥିରେ ବାୟୁସେନାର ଯବାନଙ୍କୁ ପ୍ରଶଂସା କରିବା ସହ ରାଫେଲ୍ ବିମାନର କଥା ଉଠାଇଥିଲେ । ଆଉ ମୋଦିଙ୍କ ଏଭଳି କଟାକ୍ଷ କଂଗ୍ରେସ ଶିବିରରେ ନିଆଁ ଲଗେଇ ଦେଇଛି ।

ପ୍ରଧାନମନ୍ତ୍ରୀଙ୍କ କଟାକ୍ଷକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି ।-ପ୍ରଧାନମନ୍ତ୍ରୀ ମହାଶୟ । ଆପଣଙ୍କୁ ଲଜ୍ଜା ଲାଗୁନି? ଆପଣ ୩୦ ହଜାର କୋଟି ଟଙ୍କା ଚୋରି କରି, ଆପଣଙ୍କ ବନ୍ଧୁ ଅନିଲଙ୍କୁ ଦେଲେ । ରାଫେଲ୍ ବିମାନ ଆସିବାରେ ବିଳମ୍ବ ହେବା ପାଇଁ କେବଳ ଆପଣ ହିଁ ଦାୟୀ । ୱିଙ୍ଗ କମାଣ୍ଡର ଅଭିନନ୍ଦନ ନିଜ ଜୀବନକୁ ବାଜି ଲଗାଇ ପୁରୁଣା ଜେଟ୍ ଚଲାଇବା ପାଇଁ ବାଧ୍ୟ ହୋଇଛନ୍ତି, କେବଳ ଆପଣଙ୍କ ପାଇଁ ।

ଭାରତ-ପାକିସ୍ତାନର ତିକ୍ତତାକୁ ନେଇ ସୀମାରେ ଉତ୍ତେଜନା ଆଗ ତୁଳନାରେ ଏବେ ସମାନ୍ୟ କମିଥିବା ବେଳେ ଏବେ ଆରମ୍ଭ ହୋଇଛି ରାଜନୀତି । କାରଣ ଆଗକୁ ଅଛି ୨୦୧୯ ନିର୍ବାଚନ ।

ସମ୍ବନ୍ଧିତ ଖବର