ଜାନୁଆରି ୨୨ ତାରିଖରେ ଡାଭୋସ୍‌ ଠାରେ ହୋଇ ପାରେ ମୋଦି ଓ ଟ୍ରମ୍ପ୍‌ଙ୍କ ସାକ୍ଷାତ

ଓ୍ଵାସିଂଟନ୍‌: ଜାନୁଆରି ୨୨ ତାରିଖ ଦିନ ସୁଇଜର୍‌ଲାଣ୍ଡ୍‌ର ଡାଭୋସ୍‌ ଠାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରସ୍ପରକୁ ଭେଟି ପାରନ୍ତି।

ମଙ୍ଗଳବାର ଦିନ ହ୍ଵାଇଟ୍‌ ହାଉସ୍‌ ଘୋଷଣା କରିଛି ଯେ ଜାନୁଆରି ୨୨ ତାରିଖ ଦିନ ଆରମ୍ଭ ହେଉଥିବା ‘ବିଶ୍ୱ ଆର୍ଥିକ ମଞ୍ଚ’ରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଯୋଗ ଦେବେ। ସେଦିନ ଭାରତର ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସେଠାରେ ଥିବେ ବୋଲି ନୂଆଦିଲ୍ଲୀ ତରଫରୁ ଖବର ମିଳିଛି।

ହ୍ଵାଇଟ୍‌ ହାଉସ୍‌ର ପ୍ରେସ୍‌ ସେକ୍ରେଟେରି ସାରା ହକାବି ସାଣ୍ଡର୍ସ ଏକ ବିବୃତିରେ କହିଛନ୍ତି ଯେ, ବିଶ୍ୱ ନେତୃବୃନ୍ଦଙ୍କ ସହ ନିଜର ‘ଆମେରିକା ଫାଷ୍ଟ୍‍’ ଏଜେଣ୍ଡାକୁ ଆଗେଇ ନେବା ପାଇଁ ମିଳିଥିବା ସୁଯୋଗକୁ ରାଷ୍ଟ୍ରପତି ସ୍ୱାଗତ କରିଛନ୍ତି। ଆମେରିକୀୟ ବାଣିଜ୍ୟ, ଆମେରିକୀୟ ଶିଳ୍ପ ଏବଂ ଆମେରିକୀୟ କର୍ମଚାରୀମାନଙ୍କୁ ସଶକ୍ତ କରିବା ନିମନ୍ତେ ନିଜର ନୀତିକୁ ଏ ବର୍ଷର ‘ବିଶ୍ୱ ଆର୍ଥିକ ମଞ୍ଚ’ରେ ପ୍ରଚାର କରାଇବାକୁ ରାଷ୍ଟ୍ରପତି ଆଶାୟୀ।

ଛଅ ଜଣ କେନ୍ଦ୍ରମନ୍ତ୍ରୀ, ଦୁଇ ଜଣ ମୁଖ୍ୟମନ୍ତ୍ରୀ, କେତେକ ଶୀର୍ଷସ୍ତରୀୟ ସରକାରୀ କର୍ମଚାରୀ ଏବଂ ପ୍ରାୟ ୧୦୦ ସରିକି ସିଇଓ ସେଠାରେ ଉପସ୍ଥିତ ରହିବେ ବୋଲି ନୂଆଦିଲ୍ଲୀ ତରଫରୁ କୁହାଯାଇଛି।

Image Courtesy of NDTV

ପ୍ରାୟ ଦୁଇ ଦଶନ୍ଧି ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ‘ବିଶ୍ୱ ଆର୍ଥିକ ମଞ୍ଚ’କୁ ଯାଉଛନ୍ତି। ସ୍ୱଳ୍ପ କାଳ ପାଇଁ ପଦବୀରେ ଥିବା ସମୟରେ ୧୯୯୭ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଦେବେ ଗୌଡ଼ା ସେଠାକୁ ଯାଇଥିଲେ। ୧୯୯୪ରେ ପ୍ରଥମ ଥର ପାଇଁ ‘ବିଶ୍ୱ ଆର୍ଥିକ ମଞ୍ଚ’କୁ ପ୍ରଥମ ଭାରତୀୟ ପ୍ରତିନିଧି ଭାବେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରସିଂହ ରାଓ। ୧୬ ବର୍ଷ ଭାରତ ଶାସନ କରି ମଧ୍ୟ ବାଜପେୟୀ ଏବଂ ମନମୋହନ ସିଂହଙ୍କ ଭଳି ପ୍ରଧାନମନ୍ତ୍ରୀ ମଧ୍ୟ ସେଠାକୁ ଯାଇ ନ ଥିଲେ।

ଆମେରିକା ପଟରୁ ୨୦୦୦ ମସିହାରେ ଶେଷ ଥର ପାଇଁ ରାଷ୍ଟ୍ରପତି କ୍ଲିଣ୍ଟନ୍‌ ‘ବିଶ୍ୱ ଆର୍ଥିକ ମଞ୍ଚ’ରେ ଯୋଗ ଦେଇଥିଲେ। ହ୍ଵାଇଟ୍‌ ହାଉସ୍‌ରେ ୧୬ ବର୍ଷ ରହିଥିଲେ ମଧ୍ୟ ରାଷ୍ଟ୍ରପତି ବୁସ୍‌ ଏବଂ ଓବାମା ମଧ୍ୟ ସେଠାକୁ ଯାଇ ପାରି ନ ଥିଲେ।

ଗତ ବର୍ଷ ପ୍ରଥମ ଚୀନ୍‌ ନେତା ଭାବେ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ମଞ୍ଚରେ ଯୋଗ ଦେଇଥିଲେ।

ଗତବର୍ଷ ମୋଦି ଓ ଟ୍ରମ୍ପ୍‌ଙ୍କର ଦୁଇ ଥର ସାକ୍ଷାତ ହୋଇଛି। ଥରେ ଓ୍ଵାସିଂଟନ୍‌ ଡିସିରେ ଏବଂ ଆଉ ଥରେ ମାନିଲାରେ ଅନୁଷ୍ଠିତ ‘ଆସିଆନ୍‌ ମିଟ୍‌’ରେ।

ସମ୍ବନ୍ଧିତ ଖବର