ପାକିସ୍ତାନ ଉପରେ ବର୍ଷିଲେ ମୋଦୀ, ସାର୍ବଭୌମତ୍ୱ ସହ ସାଲିସ ହେବନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ଆଜି ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି। ପାକିସ୍ତାନକୁ ସତର୍କ କରାଇଦେଇ ମୋଦୀ କହିଛନ୍ତି, ଭାରତ ସବୁବେଳେ ଶାନ୍ତି ପ୍ରତିଷ୍ଠା ଉପରେ ଧ୍ୟାନ ଦେଇଆସିଛି। ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ଭାରତର ସୁଖ୍ୟାତି ରହିଛି। କିନ୍ତୁ ଭାରତର ଏଭଳି ନୀତିକୁ ଏହାର ଦୁର୍ବଳତା ଭାବି ପାକିସ୍ତାନ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ଚାଲିଛି। ତେବେ ପାକିସ୍ତାନ ଜାଣି ରଖିବା ଆବଶ୍ୟକ ଯେ ଭାରତ ଶାନ୍ତିପ୍ରିୟ ରାଷ୍ଟ୍ର। କିନ୍ତୁ ସାର୍ବଭୌମତ୍ବ ଏବଂ ଆତ୍ମସମ୍ମାନ ଉପରେ ଆଞ୍ଚ ଆସିଲେ ଭାରତ ଦୃଢ଼ ଭାବେ ଜବାବ ଦେବ। ଏହି ଦୁଇଟିରେ ଆଦୌ ସାଲିସ କରାଯିବ ନାହିଁ ବୋଲି ମୋଦୀ କହିଛନ୍ତି। ପାକିସ୍ତାନ ଉପ‌େର ହୋଇଥିବା‌ ସର୍ଜିକାଲ୍ ଷ୍ଟ୍ରାଇକ୍‌ର ଦୁଇବର୍ଷ ପୂର୍ତ୍ତି ସଂପର୍କରେ ମତ ରଖି ମୋଦୀ ଭାରତୀୟ ସେନାର ପରାକ୍ରମକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସର୍ଜିକାଲ୍ ଷ୍ଟ୍ରାଇକକୁ ଦୁଇବର୍ଷ ପୂରିଥିବା ବେଳେ ଦେଶବାସୀ ୨୯ ସେପ୍ଟେମ୍ବରକୁ ପରାକ୍ରମ ଦିବସ ଭାବେ ପାଳନ କରିଛନ୍ତି। ଏହି ଦିବସ ଆମ ସେନାର ବୀରତ୍ବ ଓ ସାହସିକତାର ପ୍ରମାଣ ଦେଉଛି। ପାକିସ୍ତାନ ସୀମା ଭିତରେ ପଶି ଭାରତୀୟ ସେନା ପାକ୍ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଘଟାଇ ସେମାନଙ୍କ ଶିବିର ଧ୍ବଂସ କରିଦେଇଥିଲା। ଏହାଦ୍ବାରା ପାକିସ୍ତାନକୁ ଉଚିତ ଶିକ୍ଷା ମିଳିଥିଲା। ଏଥିସହ ଏହି ଆକ୍ରମଣ ଭାରତର ଏକତା ଓ ଅଖଣ୍ଡତା ସୁନିଶ୍ଚିତ କରିବା ପାଇଁ ଆମକୁ ପ୍ରେରଣା ଦେଇଥାଏ ବୋଲି ମୋଦୀ କହିଛନ୍ତି।

ମନ୍ କୀ ବାତ୍‌ର ୪୮ତମ ସଂସ୍କରଣରେ ‌େମାଦୀ ଆହୁରି କହିଛନ୍ତି, ଭାରତ ସବୁବେଳେ ଶାନ୍ତି ପାଇଁ ବଦ୍ଧପରିକର ଏବଂ ସମର୍ପିତ ରହିଆସିଛି। ଶାନ୍ତି ପାଇଁ ଦୁଇଟି ବିଶ୍ବଯୁଦ୍ଧରେ ଭାରତର ଲକ୍ଷେରୁ ଅଧିକ ସେନା ପ୍ରାଣବଳି ଦେଇଥିଲେ। ଆଜି ବି ଜାତିସଂଘର ପୃଥକ୍ ପୃଥକ୍ ଶାନ୍ତି ସ୍ଥାପନ କରୁଥିବା ସୁରକ୍ଷା ବାହିନୀକୁ ଅଧିକ ସୈନ୍ୟ ପଠାଇବାରେ ଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ରହିଛି। ମନ୍ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ ବାୟୁସେନାର ମଧ୍ୟ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର