‘ଚୌକିଦାର ନରେନ୍ଦ୍ର ମୋଦୀ’ ଅମିତ ଶାହ ଏବଂ ମନ୍ତ୍ରୀମାନେ ବି ନାମ ବଦଳାଇଲେ

ନୂଆଦିଲ୍ଲୀ: ୨୦୧୪ ଲୋକସଭା ନିର୍ବାଚନରେ ‘ଚା’ ବାଲା’ ଶବ୍ଦ ଚର୍ଚ୍ଚାରେ ରହିଥିବା ବେଳେ ଏଥର ଏହାର ସ୍ଥାନ ନେଇଛି ‘ଚୌକିଦାର’। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମୁଁ ବି ଚୌକିଦାର’ ଅଭିଯାନ ଆରମ୍ଭ କରି ଏକ ଭିଡିଓ ଜାରି କରିଥିବା ବେଳେ ଆଜି ଟ୍ବିଟର୍‌ରେ ନିଜ ନାମ ପୂର୍ବରୁ ଚୌକିଦାର ଶବ୍ଦ ଯୋଡ଼ିଛନ୍ତି। ଟ୍ବିଟରରେ ଏବେ ପ୍ରଧାନମନ୍ତ୍ରୀଙ୍କ ନାମ ହେଉଛି ‘ଚୌକିଦାର ନରେନ୍ଦ୍ର ମୋଦୀ’। କଂଗ୍ରେସ ୨୦୧୯ ଲୋକସଭା ନିର୍ବାଚନ ପାଇଁ ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ କରି ‘ଚୌକିଦାର ଚୋର ହୈ’ ସ୍ଲୋଗାନ ଜାରି ରଖିଥିବାରୁ ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ‘ମୁଁ ବି ଚୌକିଦାର’ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ବିଜେପି ଅଧ୍ୟକ୍ଷ ଅମିତ ଶାହ, ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ବିଜେପି ଆଇଟି ସେଲ୍‌ ପ୍ରମୁଖ ଅମିତ ମାଲବ୍ୟ ମଧ୍ୟ ଟ୍ବିଟରରେ ନିଜ ନାମ ଆଗରେ ଚୌକିଦାର ଶବ୍ଦ ଲଗାଇଛନ୍ତି। ଏହା ବ୍ୟତୀତ ଜେପି ନଡ୍ଡା, ରମଣ ସିଂହ, ପୁନମ ମହାଜନଙ୍କ ସମେତ ଶତାଧିକ ନେତା ନିଜ ନାମ ଆଗରେ ଚୌକିଦାର ଶବ୍ଦ ଯୋଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଗତକାଲି କହିଥିଲେ ଯେ ଦୁର୍ନୀତି ଓ ଅନ୍ୟାୟ ବିରୋଧରେ ଲଢ଼ୁଥିବା ପ୍ରତ୍ୟେକ ବ୍ୟକ୍ତି ଚୌକିଦାର। ପ୍ରଧାନମନ୍ତ୍ରୀ ଏହି ଅଭିଯାନରେ ସାମିଲ ହେବାକୁ ଲୋକଙ୍କୁ ଆହ୍ବାନ ଦେବା ପରେ ଗତକାଲି ଏହା ଟ୍ବିଟରରେ ଟପ୍‌ ଟ୍ରେଣ୍ଡ୍‌ରେ ରହିଥିଲା। ତେବେ କଂଗ୍ରେସ ବିଜେପିର ଏହି ଅଭିଯାନକୁ ସମାଲୋଚନା କରି କହିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବେ ନିଜକୁ ଦୋଷୀ ବୋଲି ମଣୁଛନ୍ତି ଏବଂ ନିଜର ସୁରକ୍ଷା ପାଇଁ ପ୍ରୟାସ କରୁଛନ୍ତି। ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟର୍‌ରେ ଏକ ଫଟୋ ପୋଷ୍ଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବ୍ୟଙ୍ଗ କରିଥିଲେ।

ସମ୍ବନ୍ଧିତ ଖବର