ବିଦେଶରୁ ମୋଦୀଙ୍କୁ ଅଭିନନ୍ଦନର ସୁଅ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବିପୁଳ ବିଜୟ ହାସଲ କରିଛନ୍ତି। ମୋଦୀଙ୍କ ବିଜୟ ପାଇଁ ବିଦେଶ ରା‌ଷ୍ଟ୍ରଗୁଡ଼ିକରୁ ତାଙ୍କୁ ଏବେ ଅଭିନନ୍ଦନର ସୁଅ ଛୁଟୁଛି। ନିର୍ବାଚନ ଫଳାଫଳ ଆସିବାପରେ ଚୀନ୍‌, ରୁଷ୍‌ ସମେତ ବିଭିନ୍ନ ରାଷ୍ଟ୍ରର ନେତାମାନେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ରୁଷ୍‌: ରୁଷ୍‌ ରା‌ଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ମୋଦୀଙ୍କ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇ ପୁଟିନ୍‌ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦୀ ପୁଣିଥରେ ଭାରତ ଏବଂ ରୁଷ୍‌ ମଧ୍ୟରେ ଥିବା ଶତାବ୍ଦୀରୁ ଅଧିକ ବର୍ଷର ପୁରୁଣା ସମ୍ପର୍କକୁ ଅଧିକ ସୁଦୃଢ଼ କରିବେ। ଉଭୟ ରୁଷ୍‌ ଏବଂ ଭାରତ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ କରିବାପାଇଁ ଏବଂ ଦୁଇ ଦେଶର ବିକାଶ ପାଇଁ ଉଭୟ ଦେଶ ଏକାଠି କାର୍ଯ୍ୟ କରିବା ନେଇ ପୁଟିନ୍‌ ଆହ୍ବାନ ‌କରିଛନ୍ତି।
ଚୀନ୍: ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ମଧ୍ୟ ମୋଦୀଙ୍କ ଐତିହାସିକ ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜିନ୍‌ପିଙ୍ଗ୍‌ କହିଛନ୍ତି, ମୋଦୀଙ୍କ ନେତୃତ୍ବରେ ଦୁଇ ଦେଶରେ ଦ୍ବିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେବ ।
ଆମେରିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟ ଥର ପାଇଁ ବିପୁଳ ବିଜୟ ହାସଲ କରିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଭୟ ରାଷ୍ଟ୍ର ସବୁ କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ ଏବଂ ଆଗକୁ ବଢ଼ିବେ ବୋଲି ଟ୍ରମ୍ପ୍‌ ଆଶା ପ୍ରକାଶ କରିଛନ୍ତି।
ପାକିସ୍ତାନ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦକ୍ଷିଣ ଏସିଆରେ ଶାନ୍ତି, ପ୍ରଗତି ଏବଂ ବିକାଶ ପାଇଁ ଇମ୍ରାନ୍‌ ମୋଦୀଙ୍କ ସହ କାମ କରିବାପାଇଁ ଚାହାନ୍ତି ବୋଲି କହିଛନ୍ତି।
ଇସ୍ରାଏଲ୍‌: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ୍‌ ନେତାନ୍ୟାହୁ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ଭାରତ ଏବଂ ଇସ୍ରାଏଲ୍‌ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଅଧିକରୁ ଅଧିକ ସୁଦୃଢ଼ ହେବ ବୋଲି ସେ କହିଛନ୍ତି।
ଶ୍ରୀଲଙ୍କା: ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ୍‌ ସିରିସେନା ମୋଦୀଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଭବିଷ୍ୟତରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବାପାଇଁ ସେ କହିଛନ୍ତି।
ଆଫଗାନିସ୍ତାନ: ଆଫଗାନିସ୍ତାନ ରାଷ୍ଟ୍ରପତି ଆସରଫ ଘନି ମୋଦୀଙ୍କୁ ଟ୍ବିଟ୍‌ ମ‌ାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି। ସମଗ୍ର ଦକ୍ଷିଣ ଏସିଆ ପାଇଁ ଆଞ୍ଚଳିକ ସହଯୋଗ, ଶାନ୍ତି ଏବଂ ସଫଳତା ଦିଗରେ ଉଭୟ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସହଯୋଗର ଆବଶ୍ୟକତା ରହିବାପାଇଁ ଆଫଗାନିସ୍ତାନ ସରକାର ଏବଂ ଜନସାଧାରଣ ଚାହାନ୍ତି ବୋଲି ସେ କହିଛନ୍ତି।
ମାଳଦ୍ବୀପ: ମାଳଦ୍ବୀପ ବିଦେଶ ବ୍ୟାପାର ମନ୍ତ୍ରୀ ଅବଦୁଲା ଶାହିଦ୍‌ ମଧ୍ୟ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗତ ୫ ବର୍ଷରେ ମୋଦୀ ସରକାରଙ୍କ ସକ୍ରିୟ ବିକାଶ ଏବଂ ବିଦେଶ ନୀତିର ଏହା ଫଳ ବୋଲି ଶାହିଦ୍‌ କହିଛନ୍ତି।
ନେପାଳ: ନେପାଳ ପ୍ରଧାନମନ୍ତ୍ରୀ‌ କେପି ଶର୍ମା ଓଲି ମଧ୍ୟ ମୋଦୀଙ୍କ ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର