୨୦୧୬ ସେପଟେମ୍ବର ୨୮ ତାରିଖ ରାତିରେ ଶୋଇ ପାରି ନ ଥିଲେ ପ୍ରଧାନମନ୍ତ୍ରୀ ମୋଦି ! ଜାଣନ୍ତୁ କାହିଁକି, କ’ଣ ଥିଲା କାରଣ ?

ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ସାକ୍ଷାତକାରରେ ସର୍ଜିକାଲ୍‌ ଷ୍ଟାଇକ୍‌ ନେଇ ଅନେକ ଅଜଣା କଥା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୬ ସେପ୍‌ଟେମ୍ବର ୨୮ ତାରିଖ ଦିନ ଭାରତ-ପାକ୍‌ ନିୟନ୍ତ୍ରଣ ରେଖା ଭିତରକୁ ପଶି ପାକ୍‌ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଧ୍ୱଂସ କରିଥିଲା କମାଣ୍ଡୋ ବାହିନୀ।

ସେଦିନ ରାତିରେ ପ୍ରଧାନମନ୍ତ୍ରୀ ମୋଦି ଶୋଇ ନ ଥିଲେ। ପ୍ରତିଟି ମିନିଟ୍‌ରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ବେଳେ କ’ଣ ଘଟୁଛି ତାହାର ଖବର ରଖୁଥିଲେ। ସେଦିନର ଘଟଣା ବର୍ଣ୍ଣନା କରି ମୋଦି କହିଥିଲେ, ସୂର୍ଯ୍ୟାଦୟ ହେବା ପରେ ମୋ ପାଖକୁ ସୂଚନା ଆସିବା ବନ୍ଦ ହୋଇଗଲା। ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ କିଛି ବି ଖବର ଆସିଲା ନାହିଁ। ମୁଁ ଅତ୍ୟନ୍ତ ଅସ୍ଥିର ଓ ବିଚଳିତ ହୋଇପଡ଼ିଲି। ତା’ ପରେ ମୋତେ ଖବର ମିଳିଲାକିି କମାଣ୍ଡୋ ଫେରି ନାହାନ୍ତି। କିନ୍ତୁ ସୁରକ୍ଷିତ ଅଞ୍ଚଳରେ ପ୍ରବେଶ କରି ସାରିଲେଣି। ମୁଁ ମିସନ୍‌ର ଶେଷ ବ୍ୟକ୍ତି ଫେରିବା ଯାଏଁ ଅପେକ୍ଷା କରିଥିଲି ଓ ଆଶ୍ୱସ୍ତ ହୋଇଥିଲି। କାରଣ ସମସ୍ତ କମାଣ୍ଡୋ ସୁରକ୍ଷିତ ଫେରିଥିଲେ।

ସର୍ଜିକାଲ୍‌ ଷ୍ଟ୍ର୍ରାଇକ ନେଇ ପ୍ରଧାନମନ୍ତ୍ରୀ ମୋଦି ଏକଥା ବି କହିଥିଲେ, ସ୍ୱତନ୍ତ୍ର କମାଣ୍ଡୋ ଦଳକୁ ମୋର ବାର୍ତ୍ତା ଥିଲା ସୂର୍ଯ୍ୟାଦୟ ପୂର୍ବରୁ ଫେରିଆସିବ। ମିସନ୍‌ ବିଫଳ ହେଉକି ସଫଳ ସେକଥା ଚିନ୍ତା କରିବ ନାହିଁ।

ପ୍ରଥମ ଥର ଲାଗି ଦେଶର ଏହି ବହୁଚର୍ଚ୍ଚିତ ମିଲିଟାରି ଅପରେସନ୍‌ ପଛର ଘଟଣାଗୁଡ଼ିକୁ ସାମ୍ନାକୁ ଆଣିଛନ୍ତି ମୋଦି। ସେ କହିଛନ୍ତି, ସର୍ଜିକାଲ୍‌ ଷ୍ଟ୍ରାଇକର ତାରିଖ ଦୁଇଥର ବଦଳା ଯାଇଛି। କମାଣ୍ଡୋମାନଙ୍କ ସୁରକ୍ଷାକୁ ଆଖିରେ ରଖି ଏପରି କରାଯାଇଥିଲା।

ସେହିପରି ସର୍ଜିକାଲ୍‌ ଷ୍ଟ୍ରାଇକର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ କି ଉରି ସେନା କ୍ୟାମ୍ପ ଉପରେ ଯେଭଳି ଆକ୍ରମଣ କରି ଯବାନଙ୍କୁ ଜିଅନ୍ତା ଜାଳି ଦିଆଗଲା, ସେନା ଭିତରେ ଏବଂ ମୋ ଭିତରେ ମଧ୍ୟ ଏକ ଆକ୍ରୋଶ ସୃଷ୍ଟି ହୋଇଥିଲା। ଏହା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଲାଗି ଇନ୍ଧନ ଯୋଗାଇଥିଲା।

ସମ୍ବନ୍ଧିତ ଖବର