ଜାଲିଆନ୍‌ୱାଲା ବାଗ୍‌ ନରସଂହାର ଲଜ୍ଜାଜନକ ଘଟଣା: ବ୍ରିଟିଶ ହାଇ କମିସନର

ଅମୃତସର: ଜାଲିଆନୱାଲା ବାଗ୍‌ ନରସଂହାରକୁ ନେଇ ଗଭୀର ଦୁଖଃପ୍ରକାଶ କରିଛନ୍ତି ଭାରତରେ ବ୍ରିଟିଶ ହାଇ କମିସନର ଡୋମିନିକ ଆସ୍‌କ୍ୟିଥ। ନରସଂହାରର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଶନିବାର ଜାଲିଆନୱାଲା ବାଗ୍‌ ସ୍ମାରକୀ ଠାରେ ଶ୍ରଧାଞ୍ଜଳି ଅର୍ପଣ କରି ଭିଜିଟର୍‌ସ ବୁକରେ ଏହି ଗୁଳିକାଣ୍ଡକୁ ଇତିହାସରେ ସବୁଠାରୁ ଲଜ୍ଜାଜନକ ଘଟଣା ବୋଲି ଉଲ୍ଲେଖ କରିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସେ ମେଙ୍କ ଭଳି ଆସ୍‌କ୍ୟୁଥ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି, କିନ୍ତୁ କ୍ଷମା ପ୍ରାର୍ଥନା କରିନାହାନ୍ତି। ଉପସ୍ଥିତ ଗଣାମାଧ୍ୟମକୁ ଉତ୍ତର ଦେଇ ସେ ଏହାକୁ ଏଡାଇଯିବା ସହ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ, ବର୍ତ୍ତମାନର ପ୍ରଧନମନ୍ତ୍ରୀ ଏବଂ ରାଣୀ ଏଲିଜାବେଥ ଆଗରୁ ଦେଇଥିବା ମନ୍ତବ୍ୟ ଗୁଡିକୁ ଦୋହରାଇଛନ୍ତି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି, ତାଙ୍କ ଜେଜେବାପାଙ୍କ ବାପା ଏଚ୍‌ଏଚ୍‌ ଆସ୍‌କ୍ୟିଥ ଯିଏ ୧୯୦୮ରୁ ୧୯୧୬ ଯାଏଁ ବ୍ରିଟେନର ପ୍ରଧାନମନ୍ତ୍ରୀ ଥିଲେ ସେ ମଧ୍ୟ ଏହି ନରସଂହାରକୁ ଇତିହାସର ଏକ ବହୁତ ବଡ କଳଙ୍କ ବୋଲି ଅଭିହିତ କରିଥିଲେ।

ଦୁଃଖ ପ୍ରକାଶ ଯଥେଷ୍ଟ ନୁହଁ: ପଞ୍ଜାବ ମୁଖ୍ୟମନ୍ତ୍ରୀ
ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରୀନ୍ଦର ସିଂହ, କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଧୁ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସ୍ମାରକସ୍ଥଳୀ ଠାରେ ହୋଇଥିବା ସମାବେଶରେ ଯୋଗଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କ ଦୁଖାପ୍ରକାଶ ଯଥେଷ୍ଟ ନୁ‌େହଁ। ବ୍ରିଟେନ ସରକାର ‘ସ୍ପଷ୍ଟ’ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଭୟଙ୍କର ନରସଂହାର: ରାଷ୍ଟ୍ରପତି
ଜାଲିଆନୱାଲା ବାଗ୍‌ ଠାରେ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ୧୦୦ବର୍ଷ ତଳେ ଆଜିର ଦିନରେ ଏକ ଭୟଙ୍କର ନରସଂହାର ଘଟିଥିଲା। ଉକ୍ତ ନରସଂହାର ସଭ୍ୟତାର ଏକ ଦାଗ। ବଳିଦାନର ଏହି ଦିନଟିକୁ କେବେ ହେଲେ ଭୁଲିହେବନି।

ବଳିଦାନ ଭୁଲିହେବନାହିଁ: ପ୍ରଧାନମନ୍ତ୍ରୀ
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସେଇ ଦିନ ଯେଉଁମାନେ ସହିଦ ହୋଇଥିଲେ ତାଙ୍କୁ ଭାରତ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱ ଏବଂ ବଳିଦାନ ଭୁଲିହେବନାହିଁ। ସେମାନଙ୍କ ବଳିଦାନ ଆମକୁ ପ୍ରେରଣା ଦେଉଛି। ଏମିତି ଏକ ଭାରତ ନିର୍ମାଣ କରିବା ଯାହାକୁ ନେଇ ସେମାନେ ଗର୍ବ କରିପାରିବେ।

ସମ୍ବନ୍ଧିତ ଖବର