ମୋଦିଙ୍କ ଗଳାରେ ରାଫେଲ୍‌ କଣ୍ଟା

ନୂଆଦିଲ୍ଲୀ ଭାରତ ସରକାର ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ କରିବା ନେଇ ଫ୍ରାନ୍‌୍‌ସ ସରକାରଙ୍କ ସହ କରିଥିବା ଚୁକ୍ତିକୁ ନେଇ ଏବେ ସରଗରମ ଚର୍ଚ୍ଚା ଚାଲିଛି। ୨୦୧୫ରେ ଏନ୍‌ଡିଏ ସରକାର ସିଧାସଳଖ ଫ୍ରାନ୍‌୍‌ସ ସରକାରଙ୍କ ସହ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେଇଥିବା ବେଳେ ଏବେ ରାଫେଲ ଯୁଦ୍ଧ ବିମାନର ମୂଲ୍ୟକୁ ନେଇ ମୁଖ୍ୟ ବିରୋଧୀ ଦଳ ସରକାରଙ୍କୁ ଘେରିବା ପାଇଁ କୌଣସି ମଉକା ହାତଛଡ଼ା କରୁନାହିଁ। ୫୮ ହଜାର କୋଟି ଟଙ୍କାରେ ମୋଦି ସରକାର ରାଫେଲ କ୍ରୟ ଚୁକ୍ତି କରିଛନ୍ତି ଏବଂ ଏ ବାବଦ ସବିଶେଷ କ୍ରୟ ବିବରଣୀ ସାର୍ବଜନୀନ କରିବାକୁ କଂଗ୍ରେସ ଦଳ ଦାବି କରୁଛି। ପୂର୍ବରୁ ୨୦୦୮ରେ କଂଗ୍ରେସ ସରକାର ଅମଳରେ ହୋଇଥିବା ରାଫେଲ ଚୁକ୍ତିକୁ ବିଭିନ୍ନ କାରଣୁ ବାତିଲ କରାଯାଇଥିଲା ଏବଂ ଏନ୍‌୍‌ଡିଏ ସରକାର ଅମଳରେ ସଂପୂର୍ଣ୍ଣ ନୂଆ ଚୁକ୍ତି ସଂପାଦିତ ହୋଇଛି । ଗୋଟିଏ ଯୁଦ୍ଧ ବିମାନ ପିଛା କେତେ ଅର୍ଥ ଦେଇ ଭାରତ କ୍ରୟ କରିଛି ତାହାର ତଥ୍ୟ ପ୍ରଘଟ କରିବା ଦାବିରେ କଂଗ୍ରେସ ଅଡ଼ି ବସିଛି। ତେବେ ଅନ୍ତର୍ଜାତୀୟ ନିୟମ ଏବଂ ଦେଶର ସୁରକ୍ଷାକୁ ଉଲ୍ଲଂଘନ କରି ଏ ବାବଦ ତଥ୍ୟ ପ୍ରଘଟ କରାଯାଇପାରିବ ନାହିଁ ଏବଂ ଏଭଳିକରି ସରକାର ଉଭୟ ରାଷ୍ଟ୍ର ପାଇଁ ଅଡ଼ୁଆ ସୃଷ୍ଟି କରିବାକୁ ଚାହୁନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଏ ବାବଦ ତଥ୍ୟ ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ଜଣାଇ ଦେଇଛି। ତେବେ ଏହି ଚୁକ୍ତି ଏକ ବଡ଼ ଦୁର୍ନୀତି ବୋଲି କଂଗ୍ରେସର ଲଗାତାର ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲୁନାହାନ୍ତି। ରାଫଲ୍‌ ଚୁକ୍ତି ଏବେ ମୋଦିଙ୍କ ଗଳାରେ କଣ୍ଟା ହୋଇ ରହିଥିବାରୁ ବିରୋଧ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଏକଜୁଟ୍‌ ହୋଇଛନ୍ତି।

ବିବାଦର ଆରମ୍ଭ
ଭାରତର ବାୟୁସେନା ପାଇଁ ୧୨୩ଟି ଲଢ଼ୁଆ ବିମାନର ଆବଶ୍ୟକତା ଥିବାରୁ ଫ୍ରାନ୍‌୍‌ସର ଡାସଲ୍‌୍‌୍‌ଟ କମ୍ପାନି ଦ୍ୱାରା ପ୍ରସ୍ତୁତ ରାଫେଲ ଯୁଦ୍ଧ ବିମାନ କ୍ରୟ ନିମନ୍ତେ ଗୁରୁତ୍ୱ ଦିଆଯାଇଥିଲା। କଂଗ୍ରେସ ସରକାର ଅମଳରେ ଏ ବାବଦରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାରେ ବହୁ ପ୍ରତିବନ୍ଧକ ଆସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୟୁପିଏ ସରକାର ଅମଳର ପୁରୁଣା ଚୁକ୍ତିକୁ ବାତିଲ କରି ୩୬ଟି ନୂତନ ପିଢ଼ିର ରାଫେଲ କ୍ରୟ ପାଇଁ ଫ୍ରାନ୍‌୍‌ସ ସରକାରଙ୍କ ସହ ଚୁକ୍ତି କରିଥିଲେ। ତେବେ କଂଗ୍ରେସ ଅଭିଯୋଗ କରିଛି ଯେ ଶିଳ୍ପପତି ଅନିଲ ଅମ୍ବାନିଙ୍କୁ ଫାଇଦା ଦେବାପାଇଁ ଏହି ନୂତନ ଚୁକ୍ତି ସଂପାଦିତ ହୋଇଛି ଏବଂ ଏହାପଛରେ ବଡ଼ ଧରଣର ଦୁର୍ନୀତି ରହିଛି।

୨୦୧୨ ଚୁକ୍ତିର ବିଫଳତା
ଭାରତୀୟ ବାୟୁସେନା ଆବଶ୍ୟକ କରୁଥିବା ୧୨୬ଟି ଯୁଦ୍ଧ ବିମାନ କ୍ରୟ ପାଇଁ ହୋଇଥିବା ଟେଣ୍ଡରରେ ଫ୍ରାନ୍‌୍‌ସର ଡାସଲ୍‌୍‌୍‌ଟ କମ୍ପାନି ଯୋଗ୍ୟ ବିଡର୍‌ ଭାବେ ବିବେଚିତ ହୋଇଥିଲା। ଏ ବାବଦରେ ୟୁପିଏ ସରକାର ମଧ୍ୟ ତତ୍ପରତା ପ୍ରକାଶ କରି ୧୮ଟି ଯୁଦ୍ଧ ବିମାନ ତୁରନ୍ତ ବ୍ୟବହାରକ୍ଷମ ସ୍ଥିତିରେ କ୍ରୟ କରିବା ପାଇଁ କମ୍ପାନି ସହ ଚୁକ୍ତି କରିଥିଲେ। ପରବର୍ତ୍ତୀ ସମୟରେ ବଳକା ୧୦୮ଟି ବିମାନ ଡାସଲ୍‌୍‌ଟ କମ୍ପାନି ହିନ୍ଦୁସ୍ତାନ ଏରୋନଟିକ୍‌୍‌ସ ଲିମିଟେଡ (ଏଚ୍‌୍‌ଏଏଲ୍‌) ଦ୍ୱାରା ତିଆରି କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଭାରତ ଓ ଫ୍ରାନ୍‌୍‌ସ ମଧ୍ୟରେ ଯୁଦ୍ଧ ବିମାନର ମୂଲ୍ୟକୁ ନେଇ ସହମତି ହୋଇ ନପାରିବାରୁ ଏହି ଚୁକ୍ତି କାର୍ଯ୍ୟକାରୀ ହୋଇପାରି ନଥିଲା।

୨୦୧୫ରେ ନୂଆ ଚୁକ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୦୧୫ରେ ୩୬ଟି ରାଫେଲ ଯୁଦ୍ଧ ବିମାନ କ୍ରୟ ପାଇଁ ଫ୍ରାନ୍‌୍‌ସ ସରକାରଙ୍କ ସହ ବୁଝାାମଣା କରିଥିଲେ। ପୂର୍ବରୁ ଏ ବାବଦରେ ହୋଇଥିବା ଚୁକ୍ତିକୁ ବାତିଲ କରି ନୂଆ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ୨୦୧୬ ଜାନୁଆରିରେ ଫ୍ରାନ୍‌୍‌ସ ରାଷ୍ଟ୍ରପତି ଫ୍ରାନ୍‌୍‌ସୁଆ ଓଲାନ୍ଦ ଭାରତ ଗସ୍ତରେ ଆସିଥିବା ବେଳେ ଚୂଡ଼ାନ୍ତ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ୭.୮ ବିଲିୟନ ଡଲାର ମୂଲ୍ୟରେ ରାଫେଲ ଯୁଦ୍ଧ ବିମାନ କ୍ରୟ ପାଇଁ ଦୁଇ ଦେଶ ସହମତି ପ୍ରକାଶ କରିଥିଲେ।

୨୦୧୭ରେ ରାଫେଲ ଦୁର୍ନୀତି ଅଭିଯୋଗ
ରାଫେଲ କ୍ରୟରେ ବଡ଼ ଧରଣର ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଦଳ ଗତବର୍ଷ ଅଭିଯୋଗ ଆଣିବା ପରେ ଏହି ଚୁକ୍ତିକୁ ନେଇ ନାନା ବିବାଦ ସାମ୍ନାକୁ ଆସିଥିଲା। ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିରେ ପ୍ରଧାନମନ୍ତ୍ରୀ ରାଫେଲ କ୍ରୟ ବାବଦ ଘୋଷଣା କରିବା ସଂପୂର୍ଣ୍ଣ ମାମଲାକୁ ବିବାଦୀୟ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ପ୍ରଧାନମନ୍ତ୍ରୀ ପୂର୍ବ ଚୁକ୍ତିକୁ ବଦଳାଇ ନିର୍ଦ୍ଦିଷ୍ଟ କମ୍ପାନିକୁ ଫାଇଦା ଦୋପାଇଁ ଉଦ୍ୟମ କରିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁତର ଅଭିଯୋଗ କରିଛନ୍ତି। ତେବେ କଂଗ୍ରେସ ନିଜ ସରକାର ଅମଳରେ ରାଫେଲ କ୍ରୟ ପାଇଁ ନିର୍ଦ୍ଧାରିତ ମୂଲ୍ୟକୁ ବର୍ତ୍ତମାନର ରାଫେଲ ମୂଲ୍ୟ ସହ ତୁଳନା କରି ଦୁର୍ନୀତି ଅଭିଯୋଗ କରିବା ହାସ୍ୟାସ୍ପଦ ବୋଲି କେତେକ ମହଲ ମତ ଦେଇଛନ୍ତି। ଭାରତକୁ ୧୨୬ଟି ରାଫେଲ ଯୁଦ୍ଧ ବିମାନ କ୍ରୟ କରିବା ପାଇଁ ୩୦.୪୫ ବିଲିୟନ ଡଲାର ଦେବାକୁ ହେବ। ତେବେ ଡାସଲ୍‌୍‌ଟ କମ୍ପାନି ହାଲ୍‌ ସହ ରାଫେଲ ଜ୍ଞାନକୌଶଳ ହସ୍ତାନ୍ତର ପାଇଁ ରାଜି ହୋଇନଥିବା ବେଳେ ଏହାର ନିର୍ମାଣରେ ଏବେ ରିଲାଏନ୍‌୍‌ସ ଡିଫେନ୍‌ସ ଲିମିଟେଡ଼ ଡାସଲ୍‌ଟର ମୁଖ୍ୟ ସହଯୋଗୀ ରହିଛି । ଅନିଲ ଅମ୍ବାନିଙ୍କୁ ପ୍ରତିରକ୍ଷା ଶିଳ୍ପକୁ ସହାୟତା କରିବାକୁ ମୋଦି ସରକାର ଫ୍ରାନ୍‌୍‌ସ ସରକାରଙ୍କ ପ୍ରସ୍ତାବରେ ରାଜି ହୋଇଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି।

ଜେଟ୍‌ଲିଙ୍କ ରାଫେଲ୍‌ ବୟାନକୁ ନେଇ ଲୋକସଭାରେ ହଙ୍ଗାମା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଆଜି ରାଫେଲ କ୍ରୟ ଚୁକ୍ତିକୁ ନେଇ ଲୋକସଭାରେ ଦେଇଥିବା ବୟାନକୁ କେନ୍ଦ୍ରକରି ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଛି। ଜେଟ୍‌୍‌ଲି କହିଥିଲେ ଯେ ଦେଶସ୍ୱାର୍ଥରେ ସଂପାଦିତ ହୋଇଥିବା ଚୁକ୍ତିକୁ ସଂପୂର୍ଣ୍ଣ ପ୍ରଘଟ କରବାକୁ ଦାବି କରି କଂଗ୍ରେସ ବିଭ୍ରାନ୍ତି ସୃଷ୍ଟି କରୁଛି ଏବଂ ଏଭଳି କରିବାର ଅଧିକାର ଏହି ଦଳର ନାହିଁ। ସର୍ବାଧିକ ସ୍ୱଚ୍ଛତା ଏବଂ ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ରାଫେଲ କ୍ରୟ ଚୁକ୍ତି କରିଥିବା ସେ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲକୁ ନେଇ ଯେଉଁ ମିଥ୍ୟା ଓ ବିଭ୍ରାନ୍ତି ସୃଷ୍ଟି କରିଛନ୍ତି ତାହାକୁ ଦେଶବାସୀ ବଝିସାରିଛନ୍ତି। ରାହୁଲ ଏ ବାବଦରେ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁୂ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ ବୋଲି ଜେଟ୍‌୍‌ଲି କହିଥିଲେ। ଜେଟ୍‌୍‌୍‌ଲିଙ୍କ ବୟାନକୁ ନେଇ କଂଗ୍ରେସ ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ପାଟିତୁଣ୍ଡ କରିଥିଲେ। ଜେଟ୍‌୍‌ଲି ଯୁକ୍ତି ଦର୍ଶାଇ କହିଥିଲେ ଯେ ୟୁପିଏ ସରକାର ଅମଳରେ ହୋଇଥିବା ରାଫେଲ ଚୁକ୍ତି ବାବଦରେ ସମସ୍ତ ତଥ୍ୟ ସରକାର ଦେଶର ସୁରକ୍ଷା ଏବଂ ଅନ୍ତର୍ଜାତୀୟ ଚୁକ୍ତିକୁ ସମ୍ମାନ ଦେଇ ଗୋପନ ରଖିଥିବା ବେଳେ ଏବେ ଏନ୍‌୍‌ଡିଏ ସରକାର କେଉଁ ଆଧାରରେ ତଥ୍ୟ ପ୍ରଘଟ କରିବାକୁ କଂଗ୍ରେସ ଦଳ ଦାବି କରୁଛି।

ସମ୍ବନ୍ଧିତ ଖବର